ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଜୁନ୍ ୨୯ ତାରିଖରେ ହିଂସାଗ୍ରସ୍ତ ମଣିପୁର ଗସ୍ତ କରିବେ । ଦୁଇଦିନିଆ ଗସ୍ତ ଅବସରରେ ରାହୁଲ ଚୁରାଚାନ୍ଦପୁର ମଧ୍ୟ ଯିବେ । ଇତିମଧ୍ୟରେ ସେନା ପକ୍ଷରୁ ଏକ ଭିଡିଓ ଜାରି କରାଯାଇଛି । ଦୁଇ ମିନିଟ୍ ୧୪ ସେକେଣ୍ଡ୍ର ଏହି ଭିଡିଓରେ ସେନାର ଅପରେସନ୍ରେ ସହଯୋଗ କରିବାକୁ ଲୋକଙ୍କୁ ନିବେଦନ କରାଯାଇଛି । ସେନା କହିଛି, ସୁରକ୍ଷାବଳଙ୍କ ଅପରେସନ୍ ବେଳେ ବହୁବାର କେତେକ ଲୋକଙ୍କ ପକ୍ଷରୁ ଏଥିରେ ଦଖଲ ପାଇଁ ଉଦ୍ୟମ କରାଯାଇଛି । ଆମର ମାନବୀୟ ବ୍ୟବହାରକୁ ଦୁର୍ବଳତା ବୋଲି ନଭାବିବାକୁ ଭିଡିଓରେ ସେନା ପକ୍ଷରୁ କୁହାଯାଇଛି ।
ଆହୁରି କୁହାଯାଇଛି, ଆମର ସହଯୋଗ କଲେ ହିଁ ଆମେ ମଣିପୁରରେ ଶାନ୍ତି ଓ ଆଇନ ବ୍ୟବସ୍ଥା ପୁନଃସ୍ଥାପିତ କରିପାରିବୁ । ସୂଚନାଯୋଗ୍ୟ, ଶନିବାର ସେନା ଓ ମଣିପୁର ପୁଲିସ ପୂର୍ବ ଇମ୍ଫାଲ୍ରେ ଏକ ମିଳିତ ଅପରେସନ୍ ଚଳାଇ ପ୍ରତିବନ୍ଧିତ ସଂଗଠନ କାଙ୍ଗଲେଇ ୟୁବୋଲା କନ୍ନା ଲୁପ୍ (କେୱାଇକେଏଲ୍)ର ୧୨ ସଦସ୍ୟଙ୍କୁ ଧରିଥିଲା । ତେବେ କେତେକ ମହିଳା ଏବଂ ସ୍ଥାନୀୟ ନେତାଙ୍କ ନେତୃତ୍ୱରେ ୧୨୦୦ରୁ ୧୫୦୦ ଲୋକ ସୁରକ୍ଷାବଳକୁ ଘେରିଯାଇ କେୱାଇକେଏଲ୍ ସଦସ୍ୟଙ୍କୁ ସେମାନଙ୍କଠାରୁ ଛଡ଼ାଇ ନେଇଥିଲେ । ଏହାପରେ ହିଁ ସେନା ପକ୍ଷରୁ ଏହି ଭିଡିଓ ଜାରି କରାଯାଇଛି ।