ନୂଆଦିଲ୍ଲୀ: ଏୟାର ଇଣ୍ଡିଆ ବିମାନରେ ପୁଣି ଏକ ପରିସ୍ରା ଘଟଣା ସାମ୍ନାକୁ ଆସିଛି । ମୁମ୍ବାଇରୁ ଦିଲ୍ଲୀ ଯାଉଥିବା ଏକ ବିମାନରେ ଜଣେ ଯାତ୍ରୀ ଶୌଚ ଏବଂ ପରିସ୍ରା କରିଛନ୍ତି । ଅଭିଯୁକ୍ତ ଯାତ୍ରୀଙ୍କୁ ଦିଲ୍ଲୀ ବିମାନ ବନ୍ଦରରେ ଗିରଫ କରାଯାଇଛି । ଘଟଣା ଜୁନ୍ ୨୪ ତାରିଖର ହୋଇଥିବା ବେଳେ ସୋମବାର ଏ ସମ୍ପର୍କରେ ଜଣାପଡ଼ିଥିଲା । ଏ ମାମଲାରେ ଏୟାର୍ ଇଣ୍ଡିଆ ମଙ୍ଗଳବାର ପକ୍ଷରୁ କୁହାଯାଇଛି, ବିମାନରେ ଯାତ୍ରୀଙ୍କ ଏପରି ଘୃଣିତ ବ୍ୟବହାର ପରେ ତାଙ୍କୁ ତୁରନ୍ତ ଅନ୍ୟ ଯାତ୍ରୀଙ୍କ ଠାରୁ ଅଲଗା କରିଦିଆଯିବା ସହିତ ଦିଲ୍ଲୀ ବିମାନ ବନ୍ଦରରେ ସୁରକ୍ଷାକର୍ମୀଙ୍କୁ ହସ୍ତାନ୍ତର କରାଯାଇଥିଲା ।
ଏୟାରଲାଇନ୍ ସୂଚନା ଅନୁସାରେ ଜୁନ୍ ୨୪ରେ ମୁମ୍ବାଇରୁ ଦିଲ୍ଲୀ ଯାଉଥିôବା ଏୟାଇସି ୮୬୬ ନମ୍ବର ବିମାନର ନବମ ଧାଡ଼ିର ୧୭ଏଫ୍ ସିଟ୍ରେ ଯାତ୍ରା କରୁଥିବା ଯାତ୍ରୀ ବିମାନରେ ହିଁ ଶୌଚ, ପରିସ୍ରା କରିବା ସହିତ ଛେପ ପକାଇଥିଲେ । କେବିନ୍ ସୁପର୍ଭାଇଜର୍ ତାଙ୍କୁ ଚେତାବନୀ ଦେଇଥିଲେ ମଧ୍ୟ ସେ ଶୁଣିନଥିଲେ । କ୍ୟାପ୍ଟେନ୍ ତୁରନ୍ତ କମ୍ପାନୀକୁ ସୂଚନା ଦେଇଥିଲେ । ବିମାନ ବନ୍ଦରରେ ଲ୍ୟାଣ୍ଡ୍ କରିବା ପରେ ଅସନ୍ତୁଷ୍ଟ ଯାତ୍ରୀମାନେ ପାଟିତୁଣ୍ଡ କରିଥିଲେ । ଏୟାର ଇଣ୍ଡିଆ ସୁରକ୍ଷା ପ୍ରମୁଖଙ୍କ ତଦାରଖରେ ଅଭିଯୁକ୍ତଙ୍କୁ ଆଇଜିଆଇ ଥାନା ନିଆଯାଇଥିଲା । ପୁଲିସ ଆଇପିସି ଧାରା ୨୯୪, ୫୧୦ରେ ମାମଲା ରୁଜୁ କରିବା ସହିତ ଅଭିଯୁକ୍ତଙ୍କୁ ଗିରଫ କରିଥିଲା । ତେବେ କୋର୍ଟରୁ ଅଭିଯୁକ୍ତଙ୍କୁ ଜାମିନ ମିଳିଛି । ଅଭିଯୁକ୍ତଙ୍କ ନାମ ରାମ ସିଂହ ହୋଇଥିବା ବେଳେ ସେ ଆଫ୍ରିକାରେ ରୋଷେୟା କାର୍ଯ୍ୟ କରୁଛନ୍ତି ।