ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ୍ଙ୍କ ସରକାରୀ ବଙ୍ଗଳା ପୁନଃନିର୍ମାଣରେ ହୋଇଥିବା ଅନିୟମିତତା ଏବଂ ଉଲ୍ଲଂଘନର ତଦନ୍ତ ଭାରତର ନିୟନ୍ତ୍ରିକ ଓ ମହାଲେଖା ପରୀକ୍ଷକ (ସିଏଜି) କରିବେ । ଉପରାଜ୍ୟପାଳ ଭିକେ ସାକ୍ସେନା ମେ’ ୨୪ ତାରିଖରେ ପତ୍ର ଲେଖି ବଙ୍ଗଳାର ସ୍ୱତନ୍ତ୍ର ସିଏଜି ଯାଞ୍ଚ୍ ପାଇଁ ସୁପାରିସ କରିଥିଲେ ।
ଏହା ପରେ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଏହା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଏହାପୂର୍ବରୁ ଦିଲ୍ଲୀ ମୁଖ୍ୟ ସଚିବ ଏପ୍ରିଲ୍ ୧୭ ଏବଂ ପୁଣି ମେ’ ୧୨ ତାରିଖରେ ଏ ସମ୍ପର୍କିତ ନିଜ ରିପୋର୍ଟ ଉପରାଜ୍ୟପାଳଙ୍କୁ ପ୍ରଦାନ କରିଥିଲେ । ଏହି ରିପୋର୍ଟ ଅନୁସାରେ କେଜରିୱାଲ୍ଙ୍କ ବାସଭବନ ରିନୋଭେସନ୍ ପାଇଁ ୩୩.୪୯ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା । ସେହିପରି ତାଙ୍କ ଅଫିସ୍ ପାଇଁ ମଧ୍ୟ ୧୯.୨୨ କୋଟି ଟଙ୍କା ଖର୍ଚ୍ଚ କରାଯାଇଥିଲା ।
ରିନୋଭେସନ୍ ନାମରେ ପୁରୁଣା ବଙ୍ଗଳାକୁ ଭାଙ୍ଗି ନୂଆ ବଙ୍ଗଳା ନିର୍ମାଣ କରାଯାଇଥିଲା । ଅନ୍ୟପକ୍ଷରେ ଆପ୍ କହିଛି, ମୁଖ୍ୟମନ୍ତ୍ରୀଙ୍କ ବାସଭବନ ପୁନର୍ନିର୍ମାଣ ଖର୍ଚ୍ଚର ଗତବର୍ଷ ସିଏଜି ଅଡିଟ୍ ହୋଇସାରିଛି । ଅନିୟମିତତାର କୌଣସି ପ୍ରମାଣ ମିଳିନଥିଲା । ପୁଣିଥରେ ଏପରି ନିଷ୍ପତ୍ତି ନେବା ବିଜେପିର ହତାଶାକୁ ଦର୍ଶାଉଛି । ୨୦୨୪ ନିର୍ବାଚନରେ ବିଜେପି ହାରିବା ଆଶଙ୍କା ଥିବାରୁ ଏପରି କରାଉଛି ବୋଲି ପାର୍ଟି ପକ୍ଷରୁ ଅଭିଯୋଗ କରାଯାଇଛି ।