ଜୟପୁର: ଏକତରଫା ପ୍ରେମରୁ ଫିଲ୍ମ ଷ୍ଟାଇଲରେ ଦବଙ୍ଗଗିରି । ବିବାହ ପୂର୍ବରୁ ଯୁବତୀଙ୍କୁ ଅପହରଣ । ମଝି ମରୁଭୂମିରେ ନିଆଁ ଜାଳି ଯୁବତୀଙ୍କୁ ବଳପୂର୍ବକ ଧରି ସାତ ଘେରା ବୁଲିଲା ଦୁର୍ବୃତ୍ତ । ଯାହାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ଏପରି ଏକ ଅଭାବନୀୟ ଘଟଣା ରାଜସ୍ଥାନର ସୀମାନ୍ତ ଜିଲ୍ଲା ଜୈସଲମେରରେ ଦେଖିବାକୁ ମିଳିଛି ।
ଭିଡିଓ ଭାଇରାଲ ହେବା ପରେ ବିରୋଧୀ ବିଜେପି ସରକାରକୁ ଟାର୍ଗେଟ କରିଛି । ସ୍ଥାନୀୟ ପୋଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତକୁ ଚିହ୍ନଟ କରାଯିବା ସହ ଗିରଫ କରାଯାଇଥିବା ସୂଚନା ଦେଇଛି । ସେହିପରି ଭାଇରାଲ ଭିଡିଓ ପଛରେ ଥିବା ଅନ୍ୟ ଅଭିଯୁକ୍ତମାନେ ଫେରାର ହୋଇଯାଇଛନ୍ତି ।
ସେମାନଙ୍କୁ ଗିରଫ କରିବା ପାଇଁ ପୋଲିସ କାର୍ଯ୍ୟରେ ଲାଗିଥିବା ସୂଚନା ମିଳିଛି । ସୂଚନା ଅନୁସାରେ, ରାଜସ୍ଥାନ ଜୈସଲମେର ଜିଲ୍ଲା ମୋହନଗଡ ଥାନା ଏରିଆରେ ଏହି ଘଟଣା ଘଟିଛି । ସ୍ଥାନୀୟ ସଂଖଲା ଗ୍ରାମରେ ଜଣେ ଯୁବତୀଙ୍କ ବିବାହ ତାରିଖ ସ୍ଥିର ହେବା ପରେ ସ୍ଥାନୀୟ ଅଞ୍ଚଳର କିଛି ଅସମାଜିକ ଯୁବକ ଯୁବତୀଙ୍କୁ ପରିବାର ସଦସ୍ୟଙ୍କ ସାମ୍ନାରେ ମାରଣାସ୍ତ୍ର ଦେଖାଇ ଉଠାଇ ନେଇଥିଲେ ।
ନିକଟସ୍ଥ ମରୁଭୂମିରେ ନିଆଁ ଜାଳି ଅଭିଯୁକ୍ତ ଯୁବତୀଙ୍କୁ ଧରି ସାତ ଘେରା ବୁଲିଥିଲା । ପରେ ସେମାନେ ଯୁବତୀଙ୍କୁ ଧରି ଫେରାର ହୋଇଯାଇଥିଲେ । ଏନେଇ ଏକ ଭିଡିଓ ମଧ୍ୟ ଭାଇରାଲ ହୋଇଥିଲା । ଭାଇରାଲ ଭିଡିଓରେ ଏକାଧିକ ଯୁବକ ଓ ଜଣେ ମହିଳା ଥିବା ଦେଖିବକୁ ମିଳିଥିଲା ।