24.1 C
Bhubaneswar
Sunday, October 20, 2024
Homeଓଡିଶାମୁଖ୍ୟମନ୍ତ୍ରୀ ପୁଷ୍ଟି ଯୋଜନା କେନ୍ଦ୍ର ସରକାରଙ୍କ ପୋଷଣ ଅଭିଯାନର ଅଂଶବିଶେଷ: ସ୍ମୃତି ପଟ୍ଟନାୟକ

ମୁଖ୍ୟମନ୍ତ୍ରୀ ପୁଷ୍ଟି ଯୋଜନା କେନ୍ଦ୍ର ସରକାରଙ୍କ ପୋଷଣ ଅଭିଯାନର ଅଂଶବିଶେଷ: ସ୍ମୃତି ପଟ୍ଟନାୟକ

 ମୁଖ୍ୟମନ୍ତ୍ରୀଙ୍କ ସମ୍ପୂର୍ଣ୍ଣ ପୃଷ୍ଟି ଯୋଜନା ଘୋଷଣା ଧର୍ମକୁ ଆଖିଠାର

 ଭୋଟ ବ୍ୟାଙ୍କ ପାଇଁ ମହିଳା ସଶକ୍ତିକରଣ କଥା ରାଜ୍ୟରେ କେବଳ ପ୍ରହେଳିକା ସୃଷ୍ଟି କରୁଛି
 ବାହାଦୂରୀ ନନେଇ କେନ୍ଦ୍ର ସରକାରଙ୍କ ସମନ୍ୱିତ ମହିଳା, ଶିଶୁ କଲ୍ୟାଣ, ସ୍ୱାସ୍ଥ୍ୟ ଯୋଜନାକୁ ଯଥାଶୀଘ୍ର ଆପଣେଇ ନିଅନ୍ତୁ ରାଜ୍ୟ ସରକାର
 ସାଧାରଣ ମହିଳା ୫୧ ପ୍ରତିଶତ ଓ ବାଳିକାଙ୍କ ରକ୍ତହୀନତା ତାହା ସମ୍ପ୍ରତି ୬୪ ପ୍ରତିଶତକୁ ବୃଦ୍ଧି ପାଇଲାଣି
 ଓଡ଼ିଶାରେ ସରକାରଙ୍କ ଶିଶୁ, ମହିଳା ସ୍ୱାସ୍ଥ୍ୟ ବିକାଶ ଯୋଜନା ପ୍ରହସନରେ ପରିଣତ ହୋଇଛି

ଭୁବନେଶ୍ୱର, : ରାଜ୍ୟ ସରକାର ଓଡ଼ିଶାରେ ପୁଷ୍ଟି ଓ ସ୍ୱାସ୍ଥ୍ୟରେ ଉନ୍ନତି ପାଇ ଗତକାଲି “ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ପୁଷ୍ଟି ଯୋଜନା”(ଏମଏସପିୱାଇ)କୁ କ୍ୟାବିନେଟ୍ ଅନୁମୋଦନ ଦେଇଛନ୍ତି । ଏହା ଘୋଷଣା ସର୍ବସ୍ୱ ରାଜ୍ୟ ସରକାରର ଆଉ ଏକ ଘୋଷଣା ବୋଲି ଜଣାପଡୁଛି । ରାଜ୍ୟ ସରକାର କେବଳ ଏହାର ନାଁ ବଦଳେଇ ଆଉ ଥରେ ଘୋଷଣା କରୁଛନ୍ତି । ତେବେ ପର ତିଅଣରେ ଅତିଥି ସତ୍କାର କରନ୍ତୁ ପଛେ ଯୋଜନାର ସଫଳ ରୂପାୟନ କରନ୍ତୁ । ଦୀର୍ଘ ୨୩ବର୍ଷ ସରକାରରେ ରହିବା ପରେ ଏବେ ରାଜ୍ୟ ସରକାରଙ୍କ ନିଦ ଭାଙ୍ଗୁଛି । ଯେଉଁ ସରକାର ମାଆମାନଙ୍କ ପାଇଁ ଉନ୍ନତି କାର୍ଯ୍ୟ କହି କେବଳ କୁମ୍ଭୀର କାନ୍ଦଣା କାନ୍ଦନ୍ତି ସେହି ସରକାରରେ ହେଉଥିବା ଯୋଜନାର ସୁଫଳ ଲୋକମାନଙ୍କୁ କେବେ ମିଳିବ, ତାହା ସମୟ କହିବ । ଏହି ଯୋଜନା କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାର ଏକ ଅଂଶ । କେନ୍ଦ୍ର ସରକାର ଶିଶୁ ଓ ମହିଳାଙ୍କ ସ୍ୱାସ୍ଥ୍ୟର ବିକାଶ ପାଇଁ ସମନ୍ୱିତ ଶିଶୁ ବିକାଶ ଯୋଜନା(ଆଇସିଡିଏସ), ପୋଷଣ ଅଭିଯାନ, ପ୍ରଧାନମନ୍ତ୍ରୀ ମାତୃବନ୍ଦନା ଯୋଜନା, ଜାତୀୟ ସ୍ୱାସ୍ଥ୍ୟ ମିଶନ ପରି ଯୋଜନା କରିଛନ୍ତି ବୋଲି ରାଜ୍ୟ ମହିଳା ମୋର୍ଚ୍ଚା ସଭାନେତ୍ରୀ ସ୍ମୃତି ପଟ୍ଟନାୟକ କହିଛନ୍ତି ।
ଆଜି ରାଜ୍ୟ କାର୍ଯ୍ୟାଳୟରେ ସାମ୍ବାଦିକ ସମ୍ମିଳନୀ କରି ଶ୍ରୀମତୀ ପଟ୍ଟନାୟକ କହିଛନ୍ତି ଯେ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବାରମ୍ବାର ଶିଶୁଙ୍କୁ ପୃଷ୍ଟିକର ଖାଦ୍ୟ, ମାଆମାନଙ୍କର ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ଥରେ ନୁହେଁ ବାରମ୍ବାର ରାଜ୍ୟ ସରକାରଙ୍କ ପାଖରେ ଉପସ୍ଥାପନ କରିବା ପରେ ମୁଖ୍ୟମନ୍ତ୍ରୀଙ୍କର ଏବେ ଚେତା ପଶିଲା । ନେଡି ଗୁଡ କହୁଣୀକୁ ବୋହିବା, ସବୁଆଡୁ ସମାଲୋଚନାର ଶୀକାର ହେବା ପରେ ମୁଖ୍ୟମନ୍ତ୍ରୀ ଅନ୍ୟ କିଛି ବାଟ ନପାଇ ଗତକାଲି କ୍ୟାବିନେଟ୍‌ରେ ଏହି ଯୋଜନାକୁ ଅନୁମୋଦନ କରିଛନ୍ତି । ସବୁ ଯୋଜନା ଭଳି ମୁଖ୍ୟମନ୍ତ୍ରୀ ଏହି ଯୋଜନାର ରୂପରେଖ ସମ୍ପୂର୍ଣ୍ଣ ହେବ କି ନାହିଁ, ଏହା ସନ୍ଦେହଜନକ । ଏହାର ସୁଫଳ କେବେ ମିଳିବ, ଏହା ପ୍ରଶ୍ନବାଚୀ । ଯେତେବେଳେ ନିର୍ବାଚନ ପାଖେଇ ଆସୁଛି, ସେହି ସମୟରେ ଭୋଟ ବ୍ୟାଙ୍କ ପାଇଁ ଏପରି ମିଛ ଛଳନା କରୁଛନ୍ତି । ବିଭିନ୍ନ ଯୋଜନା କରି କେବଳ ନାଁକୁ ମାତ୍ର ପ୍ରହସନ କରୁଛନ୍ତି କିନ୍ତୁ ବାସ୍ତବରେ କାର୍ଯ୍ୟକାରିତା ଶୂନ ।
ବିଭିନ୍ନ ଗଣମାଧ୍ୟମ ଓ ସର୍ଭେ ସଂସ୍ଥା ତଥା ଏନଏଫଏଚଏସ ୫ ଅନୁଯାୟୀ ଓଡ଼ିଶାର ୧୯ପ୍ରତିଶତ ଶିଶୁ ଜନ୍ମବେଳେ କମ ଓଜନ ରହିଛି । ୩୧ପ୍ରତିଶତ ପୃଷ୍ଟିହୀନ ଯୋଗୁଁ ଷ୍ଟଂଟେଡ ଉଚ୍ଚତାର ଶୀକାର ହେଉଛନ୍ତି । ୧୮ପ୍ରତିଶତ ୱେଷ୍ଟେଡର ଶୀକାର ହେଉଛନ୍ତି । ୬ପ୍ରତିଶତ ଗୁରୁତର ଭାବରେ ୱେଷ୍ଟେଡ ଓ ୬୪ପ୍ରତିଶତ ଶିଶୁ ରକ୍ତହୀନତାରେ ପୀଡିତ । ସେହିପରି ୬ମାସରୁ ୫୯ମାସର ୬୪.୨ପ୍ରତିଶତ ଶିଶୁ ଓ ୬୧.୮ପ୍ରତିଶତ ଗର୍ଭବତୀ ମହିଳା ରକ୍ତହୀନତାରେ ପୀଡିତ ଅଛନ୍ତି । ଓଡିଶାରେ ୨୧ପ୍ରତିଶତ ବାଳିକା ମଧ୍ୟ ନିର୍ଦ୍ଧାରିତ ଓଜନ ଅନୁସାରେ କମ ଓଜନର ରହିଛନ୍ତି । ଚିନ୍ତାର ବିଷୟ ୨୦୧୫-୧୬ରେ ୧୫ ରୁ ୧୯ବର୍ଷ ବୟସ ବର୍ଗର ବାଳିକାଙ୍କ ରକ୍ତହୀନତାର ଶିକାର ୫୧ପ୍ରତିଶତ ଥିବାବେଳେ ୨୦୨୦-୨୧ରେ ଏହାର ୬୪ପ୍ରତିଶତକୁ ବୃଦ୍ଧି ପାଇଛି ବୋଲି ଶ୍ରୀମତୀ ପଟ୍ଟନାୟକ କହିଛନ୍ତି ।
ରାୟଗଡା, ନବରଙ୍ଗପୁର ଏବଂ ମାଲକାନଗିରିରେ ଅଧିକାଂଶ ଶିଶୁ ଷ୍ଟଂଟେଡ ଓ ୱେଷ୍ଟେଡର ଶୀକାର । ବହୁଳ ରକ୍ତହୀନତା ଓ କମ ଓଜନ ଯୋଗୁଁ ଓଡ଼ିଶାରେ ପ୍ରସୂତି ଓ ଶିଶୁ ମୃତ୍ୟୁ ମଧ୍ୟ ଚିନ୍ତାଜନକ । ମାତୃ ମୃତ୍ୟୁ ହାର ୧୧୯, ନବଜାତକ ମୃତ୍ୟୁ ହାର ୨୭, ଶିଶୁ ମୃତ୍ୟୁହାର ୩୬.୩, ୫ବର୍ଷରୁ କମ ଶିଶୁ ମୃତ୍ୟୁହାର ୪୧ସହ ଓଡ଼ିଶା ଦେଶରେ ପଛୁଆ ରାଜ୍ୟମାନଙ୍କ ମଧ୍ୟରୁ ଅନ୍ୟତମ । ୨୦୧୬-୧୭ ରୁ ୨୦୨୧-୨୨ରେ ୯୨,୯୨୪ଜଣ ପାଂଚ ବର୍ଷରୁ କମ ଶିଶୁ ମୃତ୍ୟୁବରଣ କରିଛନ୍ତି, ୨୦୨୧-୨୨ରେ ଖାଲି ୧୪,୨୨୮ଶିଶୁମୃତ୍ୟୁ ହୋଇଛି । ଆମର ଭବିଷ୍ୟତ ସନ୍ତାନ ଏବଂ ମାମାନେ ଯାହା ଆଶା କରୁଛୁ ତାହା ଠାରୁ ଯେଉଁ ଉନ୍ନତି ହୋଇଛି ତାହା ଏପର୍ଯ୍ୟନ୍ତ ବହୁତ ଦୂରରେ ଅଛି ବୋଲି ଶ୍ରୀମତୀ ପଟ୍ଟନାୟକ କହିଛନ୍ତି ।
ନିକଟରେ ଭାରତ ସରକାରଙ୍କ ଖାଦ୍ୟ ସୁରକ୍ଷା ସୂଚନାଙ୍କ ରିପୋର୍ଟରେ ପ୍ରକାଶିତ ହୋଇଛି ଯେ, ଓଡିଶା ୧୦୦ରୁ ୨୯ମାର୍କ ସ୍କୋର କରି ୧୫ନଂ ସ୍ଥାନ ରଖିଛି, ଯାହାକି ଚିନ୍ତାର ବିଷୟ । ତେଣୁ ରାଜ୍ୟ ସରକାର ଘୋଷଣା ସର୍ବସ୍ୱ ନହୋଇ କେନ୍ଦ୍ର ସରକାରଙ୍କ ସହଯୋଗରେ ଶିଶୁ ଓ ମହିଳାଙ୍କୁ ପୋଷଣଯୁକ୍ତ ଖାଦ୍ୟ ପ୍ରଦାନ ଓ ସ୍ୱାସ୍ଥ୍ୟ ସମସ୍ୟାକୁ ହ୍ରାସ କରିବା ପାଇଁ ହେଉଥିବା ଯୋଜନାକୁ ସଠିକ କ୍ରିୟାନ୍ୱୟନା ଦାୟିତ୍ୱ ନେବା ଆବଶ୍ୟକ । ତତ୍‌ସହିତ ରାଜ୍ୟ ସରକାର ରାଜନୀତି ନକରି ଯୋଜନାର ସଠିକ କ୍ରିୟାନ୍ୱୟନ କରନ୍ତୁ । ମିଶନଶକ୍ତିର ଘୋଷଣା ପରି ଏହି ଯୋଜନାରେ ବ୍ୟୟବରାଦ କରିଥିବା ଅର୍ଥକୁ ଭୋଟ ବ୍ୟାଙ୍କର ଆକାର ନଦିଅନ୍ତୁ । ଆଜି ଜନ୍ମ ହେଉଥିବା ଶିଶୁଙ୍କୁ ନେଇ ଦେଶ ଅମୃତ ମହୋତ୍ସବ ପାଳନ କରୁଥିବ । ଶିଶୁଟି ଦେଶ ସ୍ୱାଧୀନତାର ଶତବାର୍ଷିକୀ ପାଳନ କରିବା ସମୟରେ ସେ ୨୫ବର୍ଷର ଯୁବକ ହୋଇଥିବ । ସେହି ପିଲାର ଦୃଢ଼ ଇଛାଶକ୍ତି ବଳରେ ଓଡ଼ିଶା ପରିବର୍ତନର ବଡ ଭରସା ହେବ ତେଣୁ ବର୍ତମାନରୁ ସେମାନଙ୍କର ସ୍ୱାସ୍ଥ୍ୟ ଓ ଶରୀରରେ ଯତ୍ନନେବାକୁ ହେବ ବୋଲି ଶ୍ରୀମତୀ ପଟ୍ଟନାୟକ କହିଛନ୍ତି ।
ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ମହିଳାମୋର୍ଚ୍ଚର ଗଣମାଧ୍ୟମ ସଂଯୋଜିକା ସୁଚରିତା ଜେନାମଣି ଉପସ୍ଥିତ ଥିଲେ ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking