27.1 C
Bhubaneswar
Saturday, October 19, 2024
Homeଓଡିଶାଏମ୍‌ଏଲ୍‌ସି: ଟେକ୍ସାସ୍ ସୁପର୍ କିଙ୍ଗ୍‌ସରେ ରାୟୁଡୁ

ଏମ୍‌ଏଲ୍‌ସି: ଟେକ୍ସାସ୍ ସୁପର୍ କିଙ୍ଗ୍‌ସରେ ରାୟୁଡୁ

ହାଇଦ୍ରାବାଦ: ଗତ ମାସରେ ଶେଷ ହୋଇଥିବା ଆଇପିଏଲ୍‌ର ଷୋଡ଼ଶ ସଂସ୍କରଣରେ ଚେନ୍ନାଇ ସୁପର୍ କିଙ୍ଗ୍‌ସ (ସିଏସ୍‌କେ) ପଞ୍ଚମ ଥର ପାଇଁ ଟାଇଟଲ୍ ଜିତିଥିବା ବେଳେ ଦଳର ପୁରୁଖା ଖେଳାଳି ଅମ୍ବାତି ରାୟୁଡୁ ସ୍ୱତନ୍ତ୍ର ଢଙ୍ଗରେ ଲିଗ୍‌ରେ ତାଙ୍କ କ୍ୟାରିଅର୍ ଶେଷ କରିଥିଲେ । ତେବେ ଚେନ୍ନାଇ ପକ୍ଷରୁ ବେଶ୍ କେତେ ବର୍ଷ ସଫଳତାର ସହ ଖେଳିବା ପରେ ଏହି ବ୍ୟାଟ୍ସମ୍ୟାନ୍ ଜଣକ ବେଶୀଦିନ ଚେନ୍ନାଇ ବ୍ରାଣ୍ଡ୍‌ଠାରୁ ଦୂରେଇ ରହିପାରିନାହାନ୍ତି ।

କାରଣ ସେ ଆସନ୍ତା ଜୁଲାଇ ୨୩ରୁ ଆମେରିକାରେ ପ୍ରଥମ ଥର ପାଇଁ ଆରମ୍ଭ ହେଉଥିବା ଫ୍ରାଞ୍ଚାଇଜି ଭିତ୍ତିକ ଟୁର୍ଣ୍ଣାମେଣ୍ଟ୍ ମେଜର୍ ଲିଗ୍ କ୍ରିକେଟ୍ (ଏମ୍‌ଏଲ୍‌ସି)ରେ ଅଂଶଗ୍ରହଣ କରିବେ । ସେ ଏହି ଲିଗ୍‌ରେ ଭାଗ ନେଉଥିବା ୬ଟି ଦଳ ମଧ୍ୟରୁ ଟେକ୍ସାସ୍ ସୁପର୍ କିଙ୍ଗ୍‌ସ ପକ୍ଷରୁ ପ୍ରତିନିଧିତ୍ୱ କରିବା ସକାଶେ ଚୁକ୍ତିବଦ୍ଧ ହୋଇଛନ୍ତି । ଗତ ୨୦୧୯ ଦିନିକିଆ ବିଶ୍ୱକପ୍ ଦଳରେ ସ୍ଥାନ ନ ପାଇବା ପରେ ନିଜର ଅନ୍ତର୍ଜାତୀୟ କ୍ୟାରିୟର୍ ଶେଷ କରିଥିବା ରାୟୁଡୁଙ୍କ ବ୍ୟତୀତ ଟେକ୍ସାସ୍ ଟିମ୍‌ରେ ସିଏସ୍‌କେର ପୂର୍ବତନ ଅଲ୍‌ରାଉଣ୍ଡର୍ ଡ୍ୱେନ୍ ବ୍ରାଭୋ ଓ ବ୍ୟାଟ୍ସମ୍ୟାନ୍ ଫାଫ୍ ଡୁ ପ୍ଲେସିସ୍‌ଙ୍କ ସହ ମିଚେଲ୍ ସାଣ୍ଟନର୍ ଓ ଡେଭନ୍ କୋନ୍‌ୱେ ମଧ୍ୟ ସାମିଲ୍ ହୋଇଛନ୍ତି ।

ସିଏସ୍‌କେ ମୁଖ୍ୟ କୋଚ୍ ଷ୍ଟିଫେନ୍ ଫ୍ଲେମିଙ୍ଗ୍ ଦଳ ପାଇଁ ସମାନ ଭୂମିକା ନିର୍ବାହ କରିବେ ଓ ତାଙ୍କୁ ସହଯୋଗ କରିବା ସକାଶେ ଏରିକ୍ ସିମନ୍ସ ଓ ଏଲ୍‌ବି ମର୍କେଲ୍ ନିଯୁକ୍ତି ପାଇଛନ୍ତି । ଡେଭିଡ୍ ମିଲର୍ ଓ ଡାନିଏଲ୍ ସାମ୍ସ ଏହି ଦଳର ଦୁଇ ଜଣ ତାରକା ଖେଳାଳି ହୋଇଥିବା ବେଳେ ଦଳ ଏମ୍‌ଏଲ୍‌ସିରେ ଜୁଲାଇ ୧୪ ତାରିଖରେ ତା’ର ଅଭିଯାନ ଆରମ୍ଭ କରିବ, ଯେଉଁଥିରେ ଦଳର ମୁକାବିଲା ଲସ୍ ଏଞ୍ଜେଲ୍‌ସ ନାଇଟ୍ ରାଇଡର୍ସ ସହ ହେବ ।

ଏହି ଟୁର୍ଣ୍ଣାମେଣ୍ଟ୍‌ରେ ଟେକ୍ସାସ୍ ଓ ଲସ୍ ଏଞ୍ଜେଲ୍‌ସ ବ୍ୟତୀତ ଏମ୍‌ଆଇ ନ୍ୟୁୟର୍କ, ସାନ୍ ଫ୍ରାନ୍‌ସିସ୍‌କୋ ୟୁନିକର୍ନସ, ସିଆଟଲ୍ ଓର୍କାସ୍ ଓ ୱାଶିଂଟନ୍ ଫ୍ରିଡମ୍ ପରି ଦଳ ଅଂଶଗ୍ରହଣ କରିବେ । ଏମ୍‌ଏଲ୍‌ସିର ଉଦ୍‌ଘାଟନୀ ସଂସ୍କରଣରେ ୪ଟି ପ୍ଲେଅଫ୍ ସମେତ ମୋଟ ୧୯ଟି ମ୍ୟାଚ୍ ଗ୍ରାଣ୍ଡ୍ ପେରିଜ୍ ଷ୍ଟାଡିୟମ୍ ଓ ଚର୍ଚ ଷ୍ଟ୍ରୀଟ୍ ପାର୍କଠାରେ ଖେଳାଯିବ । ପ୍ରତିଯୋଗିତାର ଫାଇନାଲ୍ ମ୍ୟାଚ୍ ଜୁଲାଇ ୩୦ ତାରିଖରେ ଖେଳାଯିବାର କାର୍ଯ୍ୟକ୍ରମ ଚୂଡ଼ାନ୍ତ ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking