31.1 C
Bhubaneswar
Friday, October 18, 2024
Homeଓଡିଶାଛାତ୍ରୀ ରୋଜାଲିନ ହତ୍ୟାରେ ପୋଲିସ ନିଷ୍କ୍ରିୟତା ପ୍ରତିବାଦରେ ଯାଜପୁର ଏସ.ପି ଅଫିସ ସମ୍ମୁଖରେ ଆମରଣ ଅନଶନରେ...

ଛାତ୍ରୀ ରୋଜାଲିନ ହତ୍ୟାରେ ପୋଲିସ ନିଷ୍କ୍ରିୟତା ପ୍ରତିବାଦରେ ଯାଜପୁର ଏସ.ପି ଅଫିସ ସମ୍ମୁଖରେ ଆମରଣ ଅନଶନରେ ବସିଲେ ବି.ଜେ.ଡି ନେତା : ପ୍ରତିଶୃତି ପରେ ଅନଶନ ପ୍ରତ୍ୟାହୃତ

ଯାଜାପୁର: ଯାଜପୁର ଜିଲ୍ଲା କୋରେଇ ଥାନା ଅନ୍ତର୍ଗତ ରଗଡି ପଲିଟେକନିକ କଲେଜର ଛାତ୍ରୀ ରୋଜାଲିନ ପାତ୍ର କେବଳ ଜଣେ ମେଧାବୀ ଛାତ୍ରୀ ନଥିଲେ, ସେ ମଧ୍ୟ ଧର୍ମଶାଳା ଅଂଚଳର ସୁନାଝିଅ ଭାବେ ନିଜର ପରିଚୟ ସୃଷ୍ଟି କରିଥିଲେ । ଛାତ୍ର ଜୀବନରେ ଶ୍ରେଣୀ ଗୃହରେ ପ୍ରଥମ ହେଉଥିବା ଏହି ଗରୀବ ଝିଅଙ୍କୁ କଲେଜ ହଷ୍ଟେଲରେ ମାରି ଦିଆଯାଇ ଥିବାର ପରିବାର ଲୋକଙ୍କ ଅଭିଯୋଗର ୩ ମାସ ବିତିଲାଣି ।

ଏହି ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ହସ୍ତକ୍ଷେପ ସହ ଅଭିଯୁକ୍ତଙ୍କ ବିରୋଧରେ ତଥ୍ୟ ପ୍ରମାଣ ଥାଇ ବି କୌଣସି ଅଭିଯୁକ୍ତଙ୍କ ବିରୋଧରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ । ଏହାର ପ୍ରତିବାଦରେ ଆଜି ଯାଜପୁର ଏସ.ପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧର୍ମଶାଳାର ବି.ଜେ.ଡି ନେତା ସତୀଶ ବିଶ୍ୱାଳ ଆମରଣ ଅନଶନ କରିଥିବା ସହ ତାଙ୍କର ନେତୃତ୍ୱରେ ପ୍ରାୟ ୩୦୦ ରୁ ଉର୍ଦ୍ଧ୍ୱ ଲୋକ ଗଣ ଅନଶନରେ ବସିଥିଲେ । ଜିଲ୍ଲା ପୋଲିସର ଅନୁରୋଧକ୍ରମେ ବରିଷ୍ଠ ପୋଲିସ ଅଧିକାରୀ ମାନଙ୍କ ସହ ଆଲୋଚନା ହୋଇଥିଲା । ଏହି ଆଲୋଚନାରେ ପୋଲିସ ବିଭିନ୍ନ ଦିଗକୁ ଗୁରୁତ୍ୱର ସହ ନେଇ ତୁରନ୍ତ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ପ୍ରତିଶୃତି ଦେବାପରେ ସତୀଶ ନିଜର ଆମରଣ ଅନଶନକୁ ପ୍ରତ୍ୟାହାର କରିଛନ୍ତି ।

ଖବରରୁ ପ୍ରକାଶ, ଜେନାପୁର ଥାନା ଅନ୍ତର୍ଗତ ଷେଣ୍ଡପୁର ଗ୍ରାମର ଅମୂଲ୍ୟ ପାତ୍ରଙ୍କ ଝିଅ ରୋଜାଲିନଙ୍କ ରଗଡି ପଲିଟେକନିକ କଲେଜ ହଷ୍ଟେଲରେ ଗତ ୨୭ ମାର୍ଚ୍ଚ ୨୦୨୩ ରିଖରେ ସନ୍ଦେହଜନକ ଭାବେ ମୃତ୍ୟୁ ହୋଇଥିଲା । ରୋଜାଲିନ ବାରମ୍ବାର କଲେଜରେ ସମସ୍ତ କ୍ୟମ୍ପସରେ ସବୁଠାରୁ ଭଲ ରେଜଲ୍ଟ କରୁଥିବା ସହ କ୍ୟାମ୍ପସ ପାଇବା ନେଇ କଲେଜର ତିନିଜଣ ଛାତ୍ରୀ ଏବଂ ଛାତ୍ର ସର୍ବଦା ରେଜାଲିନଙ୍କୁ ଧମକାଇବା ସହ ନିର୍ଯ୍ୟାତନା ଦେଉଥିଲେ । ଏଥିରେ ରୋଜାଲିନ ଅତିଷ୍ଟ ହୋଇ ତାଙ୍କର ବାପା, ମାଆଙ୍କ ସମେତ ଅନ୍ୟ ବନ୍ଧୁ ମାନଙ୍କୁ ବାରମ୍ବାର ଜଣାଇଛନ୍ତି ।

ଏପରିକି ଜଣେ ଛାତ୍ର ବନ୍ଧୁଙ୍କ ଆଗରେ ରୋଜଳଲିନଙ୍କୁ ଧମକ ଚମକ ଦିଆ ଯାଇଥିବ।।ର ପ୍ରମାଣ ପୋଲିସ ନିକଟରେ ରହିଛି । ଏଥିନେଇ ଜନୈକ ଛାତ୍ର ପୋଲିସ ନିକଟରେ ନିଜର ସ୍ପଷ୍ଟ ବୟାନ ଦେଇଛନ୍ତି । ଏପରିକି ଧମକ ଦେଉଥିବା ଛାତ୍ର ରୋଜାଲିନଙ୍କୁ ପ୍ରେମ ନିବେଦନ କରିଥିବାର ମଧ୍ୟ ସାକ୍ଷ୍ୟ ରହିଛି । ଯାହାକୁ ରୋଜାଲିନ ପ୍ରତ୍ୟାଖ୍ୟାନ କରିଥିଲେ । ଘଟଣା ଦିନ ରୋଜାଲିନ ଖାଇ ନଥିବା ନେଇ କଲେଜ କର୍ତୁପକ୍ଷ ରୋଜାଲିନଙ୍କ ବାପା ମାଆଙ୍କୁ ଖବର ନଦେବା, ରୋଜାଲିନଙ୍କ ମୃତ୍ୟୁ ପରେ ତାଙ୍କର ମୋବାଇଲର ସିମକୁ କଲେଜ କର୍ତୁପକ୍ଷ ହଡପ କରିବା, ଅଭିଯୁକ୍ତଙ୍କ ପ୍ରରୋଚନାରେ ରୋଜାଲିନଙ୍କ ଫୋନକୁ ବାରମ୍ବାର ଆପତି ଜନକ ଫୋନ କଲ ଆସିବା, ରୋଜାଲିନ ଏହି ଫୋନ ନଂବରକୁ ବ୍ଲକ କରିବା, ଅନ୍ୟ ଜଣେ କଲେଜ ବାହାରର ବନ୍ଧୁ ରୋଜାଲିନଙ୍କୁ ହଇରାଣ କରାଯିବା ନେଇ ରୋଜାଲିନ ବାରମ୍ବାର ତାଙ୍କ ଆଗରେ କହିଥିବା ନେଇ ପୋଲିସକୁ ସାକ୍ଷୀ ଦେବା, ରୋଜାଲିନଙ୍କ ବାପା, ମାଆଙ୍କ ସାକ୍ଷ୍ୟ ନେଇ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରି ଚୁପ ହୋଇ ବସି ରହିଛି ।

ଏଥିନେଇ ଦୁଇମାସ ପୂର୍ବରୁ ଜେନାପୁର ଅଂଚଳରେ ଅସନ୍ତୋଷ ଚରମ ସୀମାରେ ପହଂଚିବା ସହ ଏସ.ପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ପାଇଁ ପ୍ରସ୍ତତି ହୋଇଥିଲା । ହେଲେ ଧର୍ମଶାଳାର ବି.ଜେ.ଡି ନେତା ସତୀଶ ବିଶ୍ୱାଳଙ୍କୁ ଗାଁ ଲୋକେ ଡକାଇ ଏହି ପ୍ରସଙ୍ଗରେ ଆଲୋଚନା ପରେ ମୁଖ୍ୟମନ୍ତ୍ରୀ ଏବଂ ଯାଜପୁର ଏସ.ପିଙ୍କ ଉପରେ ଆସ୍ଥା ରଖିବାକୁ ସତୀଶ ବୁଝାଇବା ସହ ଏଥିନେଇ ମୁଖ୍ୟମନ୍ତ୍ରୀ ଏବଂ ଏସ.ପିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଏହାପରେ ଯାଜପୁର ଏସ.ପିଙ୍କ ସହ ସତୀଶ ଏବଂ ସ୍ଥାନୀୟ ଅଂଚଳର ଗୋଟିଏ ପ୍ରତିନିଧି ଦଳ ଆଲୋଚନା କରିଥିଲେ ।

ଏସ.ପି ଘଟଣାକୁ ଗୁରୁତ୍ୱର ସହ ନେବା ସହ ନିଜେ ଘଟଣାର ତଦନ୍ତ କରିବେ ବୋଲି ପ୍ରତିଶୃତି ଦେଇଥିଲେ । ହେଲେ ଏହାର ଗୋଟିଏ ମାସ ବିତି ଯାଇଥିଲେ ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ କରା ନଯିବାରୁ ଆଜି ଗୁରୁବାର ସତୀଶ ଆମରଣ ଅନଶନରେ ବସିଥିଲେ । ଏହାର କିଛି ସମୟ ପରେ ଜିଲ୍ଲା ପୋଲିସର ବରିଷ୍ଠ ଅଧିକାରୀ ମାନଙ୍କ ଅନୁରୋଧ କ୍ରମେ ଯାଜପୁର ଏସ.ପିଙ୍କ ସଭାକକ୍ଷରେ ଏକ ଆଲୋଚନା ହୋଇଥିଲା ।

ଯାଜପୁର ଏସ.ପି ଅନୁପସ୍ଥିତି ଥିବା ବେଳେ ଅତିରିକ୍ତ ଏସ.ପି ଅନିରୁଦ୍ଧ ରାଉତରାୟ, ଅତିରିକ୍ତ ଏସ.ପି ନୃସିଂହ ଚନ୍ଦ୍ର ବାରିକ, ଏସ.ଡି.ପି.ଓ ସଂଜୟ ପଟ୍ଟନାୟକ, ଜେନାପୁର ଥାନା ଅଧିକାରୀ ଉମାକାନ୍ତ ନାୟକ, କୋରେଇ ଥାନା ଅଧିକାରୀ ସଂଘମିତ୍ରା ନାୟକ ପ୍ରମୁଖ ଦୀର୍ଘ ସମୟ ଧରି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ଏହି ଘଟଣାକୁ ରାଜ୍ୟ ପୋଲିସର ସର୍ବୋଚ୍ଚ ଅଧିକାରୀ ଅତି ଗୁରୁତ୍ୱର ସହ ନେବା ଏଥିନେଇ ସମୀକ୍ଷା ହେଉଛି ବୋଲି ପୋଲିସ ଅଧିକାରୀମାନେ ମତ ପ୍ରକାଶ କରିଥିଲେ । ଏଥିରେ ସତୀଶ ପୋଲିସର ନିଷ୍କ୍ରିୟତା, ଚରମ ଅବିବେକିତା, ମୁଖ୍ୟମନ୍ତ୍ରୀଙ୍କ ନୀତି ବିରୋଧ କାର୍ଯ୍ୟ ନେଇ ଦୀର୍ଘ ସମୟ ଧରି ବର୍ଷିଥିଲେ ।

ଏହି ଆଲୋଚନାରେ ଅନଶନକାରୀଙ୍କ ତରଫରୁ ୧୫ ଜଣ ପ୍ରତନିଧିଙ୍କ ସମେତ ରୋଜାଲିନଙ୍କ ପରିବାରବର୍ଗ ସାମିଲ ଥିଲେ । ଆମରଣ ଅନଶନ ଭଙ୍ଗ ପରେ ସତୀଶ ଗଣମାଧ୍ୟମକୁ କହିଛନ୍ତି ଯେ, ଆମେ ବ୍ୟବସ୍ଥା ଓ ପୋଲିସ ଉପରେ ଆସ୍ଥା ରଖିଛୁ । ହେଲେ ପୋଲିସ ଏଭଳି ଏକ ସମ୍ବେଦନଶୀଳ ପ୍ରସଙ୍ଗରେ ନିଜର କର୍ତବ୍ୟ ଠିକରେ ନକଲେ ଅଯଥାରେ ପୋଲିସ ଜନବିରୋଧୀ ହେବା ସହ ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ଜନବିରୋଧୀ କରିବାର କାର୍ଯ୍ୟ କରୁଛି ବୋଲି ବୁଝିବାକୁ ହେବ । ଏହାକୁ ଆମେ କଦାପି ବରଦାସ୍ତ କରିବୁ ନାହିଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking