ବାରିପଦା : ବାରିପଦା-ଉଦଳା ରାସ୍ତାର ସାନକେରକୋ ନିକଟରେ ମଙ୍ଗଳବାର ସକାଳେ ଏକ ଯାତ୍ରୀବାହୀ ବସ୍ ଓ ବାଇକ୍ ଦୁର୍ଘଟଣାରେ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଅନ୍ୟ ଜଣେ ଗୁରୁତର ଅବସ୍ଥାରେ ହସ୍ପିଟାଲ ଯିବା ବାଟରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି ।
ମୃତକ ଜଣଙ୍କ ହେଲେ ବାପା ପାଣ୍ଡୁ ଓରଫ ପଦ୍ମୋଲୋଚନ ଗୋଚ୍ଛାୟତ(୫୮) ଓ ତାଙ୍କ ପୁଅ ତପୁ(୨୮) । ଘଟଣାସ୍ଥଳରୁ ଗୁରୁତର ଅବସ୍ଥାରେ ତପୁଙ୍କୁ ପିଆର୍ଏମ୍ ମେଡିକାଲ କଲେଜ ଓ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କଟକ ସ୍ଥାନାନ୍ତରିତ କରାଯାଇଥିଲା । ହେଲେ ହସ୍ପିଟାଲ ଯିବା ବାଟରେ ପୁଅର ମଧ୍ୟ ମୃତ୍ୟୁ ହୋଇଥିବା ଜଣାପଡ଼ିଛି ।
ସୂଚନା ଅନୁସାରେ, ବଡ଼ସାହି ଥାନା ଉଠାଣୀନୂଆଗାଁର ବାପ-ପୁଅ ବାଇକ୍ରେ ଯାଉଥିବା ବେଳେ ଦୁଲାରୀ ନାମକ ବସ୍ଟି ତାଙ୍କୁ ଧକ୍କା ଦେଇ ପଳାଇବାରୁ ଘଟଣା ଉତ୍ତେଜନା ରୂପ ନେଇଥିଲା । ଦୁର୍ଘଟଣା ଘଟାଇବା ପରେ ବସ୍ଟି ପଳାଇ ଯାଉଥିବାବେଳେ ବାରିପଦାର ଅସ୍ତିଆ ନିକଟରେ ଉତ୍ତେଜିତ ଯୁବକମାନେ ବସକୁ ଅଟକାଇ ଭଙ୍ଗାରୁଜା କରିଛନ୍ତି ।
ଟାଉନ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ଆୟତ୍ତକୁ ନେଇଛନ୍ତି । ଏହି ବସ୍ ଓ ବିବାଦୀୟ ଚାଳକ ମାସକ ତଳେ ବାରିପଦା ସହରରେ ଏକ ସ୍କୁଟିକୁ ଧକ୍କା ଦେବା ଫଳରେ ଜଣେ ଡାକ କର୍ମଚାରୀ ଯୁବତୀଙ୍କ ମୃତ୍ୟୁ ଘଟିଥିଲା । ଦୁର୍ଘଟଣା ସ୍ଥଳରେ ଲୋକମାନେ ରାସ୍ତାରୋକ କରିଛନ୍ତି । ବଡସାହି ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି ।