ଅନୁଗୁଳ: ଅନୁଗୁଳ ବନଖଣ୍ଡ ଅନ୍ତର୍ଗତ ବନ୍ତଳା ବନାଞ୍ଚଳରେ ମଙ୍ଗଳବାର ହାତୀ ଆକ୍ରମଣରେ ଦୁଇଜଣଙ୍କ ଜୀବନ ଯାଇଛି । ବନ୍ତଳା ବନାଞ୍ଚଳ ଅରାଡ଼ିହ ଗ୍ରାମର ଅରୁଣ ପ୍ରଧାନ(୫୫)ମଙ୍ଗଳବାର ପୂର୍ବାହ୍ନ ୧୧ଟାରେ ନିଜ ବଗିଚାରେ ବାଉଁଶ ବାଡ଼ ଦେଉଥିଲେ । ଏହି ସମୟରେ ଗୋଟିଏ ହାତୀ ତାଙ୍କ ଉପରେ ଆକ୍ରମଣ କରିଥିଲା । ପାଖ ଜଙ୍ଗଲରୁ ହାତୀଟି ଜନବସତି ମଧ୍ୟକୁ ଆସିଯାଇଥିଲା । ହାତୀଟି ତାଙ୍କୁ ଟାଣି ନେଇ କଚାଡ଼ି ଦେଇଥିଲା ।
ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା । ବନ ବିଭାଗ କର୍ମଚାରୀ ଓ ପୁଲିସ ଶବକୁ ବ୍ୟବଚ୍ଛେଦ ପାଇଁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ । ଏହି ଘଟଣାର ଖିଛି ଘଣ୍ଟା ପରେ ପୁଣି ସାନକନ୍ତକୁଳ ଗ୍ରାମର ଶ୍ରୀନିବାସ ସାହୁ(୬୫)ଗାଁ ନିକଟରେ ଥିବା ବାଉଁଶ ବୁଦାରୁ ବାଉଁଶ ସଂଗ୍ରହ କରିବାକୁ ଯାଇଥିବା ବେଳେ ତାଙ୍କୁ ଦନ୍ତାହାତୀ ପାଦରେ ଦଳି ଦେଇଥିଲା ।
ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା । ତେବେ ଗୋଟିଏ ଦିନରେ ହାତୀ ଆକ୍ରମଣରେ ଦୁଇ ଜଣଙ୍କ ମୃତ୍ୟୁ ହେବାଫଳରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି । ସୂଚନାଯୋଗ୍ୟ ଯେ ଗତ ଏପ୍ରିଲ ମାସ ୨୪ ତାରିଖରେ ଏହି ବଡ଼କନ୍ତକୁଳ ପଞ୍ଚାୟତରେ ଗୋଟିଏ ଦିନରେ ଦନ୍ତାହାତୀ ଦୁଇ ମହିଳାଙ୍କ ଜୀବନ ନେଇଥିଲା ।