21.1 C
Bhubaneswar
Sunday, November 24, 2024
Homeଓଡିଶା‘ବିପର୍ଯ୍ୟୟ’ ପରେ ଗୁଜରାଟରେ ଭୀଷଣ ବର୍ଷା; ପାଲନପୁର ସହରରେ ପାଣି: ବୁଡ଼ିଲା ଚାରଣାକାର ସୋଲାର୍ ପାର୍କ...

‘ବିପର୍ଯ୍ୟୟ’ ପରେ ଗୁଜରାଟରେ ଭୀଷଣ ବର୍ଷା; ପାଲନପୁର ସହରରେ ପାଣି: ବୁଡ଼ିଲା ଚାରଣାକାର ସୋଲାର୍ ପାର୍କ ଅହମ୍ମଦାବାଦ-ଦିଲ୍ଲା ହାଇୱେ ବନ୍ଦ

ଅହମ୍ମଦାବାଦ: ସାମୁଦ୍ରିକ ବାତ୍ୟା ‘ବିପର୍ଯ୍ୟୟ’ ଗୁରୁବାର ରାତିରେ କଚ୍ଛ୍ ଉପକୂଳରେ ଲ୍ୟାଣ୍ଡ୍‌ଫଲ୍ କରିବାର ୩୬ ଘଣ୍ଟା ପରେ ମଧ୍ୟ ସୌରାଷ୍ଟ୍ର-କଚ୍ଛ୍ ସମେତ ଉତ୍ତର ଗୁଜରାଟର କେତେକ ସହରରେ ଭୀଷଣ ବର୍ଷା ଜାରି ରହିଛି । ବନାସକାଣ୍ଠାରେ ବର୍ଷା ଯୋଗୁଁ ମନାସ ନଦୀର ପାଣି ଆବୁରୋଡ୍‌ରେ ପହଞ୍ଚିବା ଫଳରେ ପାଲନପୁର-ଅମ୍ବାଜୀ ହାଇୱେ ବନ୍ଦ କରିଦିଆଯାଇଛି । ସେହିପରି ଅହମ୍ମଦାବାଦ-ଦିଲ୍ଲୀ ହାଇୱେ ପାଣିରେ ବୁଡ଼ିଯିବାରୁ ଏହାକୁ ବନ୍ଦ କରାଯାଇଛି ।

ଶକ୍ତିପୀଠ ଅମ୍ବାଜୀରେ ବନ୍ୟା କାରଣରୁ ରାଜସ୍ଥାନ ଓ ଗୁଜରାଟର ଶ୍ରଦ୍ଧାଳୁଙ୍କୁ ଫେରାଇ ଦିଆଯାଉଛି । ଝଡ଼ ତୋଫାନ୍‌ରେ ପାଟଣରେ ନିର୍ମିତ ଗୁଜରାଟର ସବୁଠୁ ବଡ଼ ସୋଲାର୍ ପ୍ଲାଣ୍ଟ୍ ବହୁଳ ଭାବେ କ୍ଷତିଗ୍ରସ୍ତ ହୋଇଛି । ଜୋର୍ ପବନ କାରଣରୁ ଚାରଣକା ପ୍ଲାଣ୍ଟ୍‌ରେ ସୋଲାର୍ ପ୍ୟାନେଲ୍ ଝୁଲି ପଡ଼ିବା ସହିତ ଅଞ୍ଚଳରେ ପାଣି ପଶିଯାଇଛି ।

ବନ୍ୟା ଯୋଗୁ ପାଟଣର ଶତାଧିକ ଗ୍ରାମ ସହିତ ସମ୍ପର୍କ କଟିଯାଇଛି । ସେହିପରି ଥରାଦ ସହରରେ ଘଣ୍ଟା ପ୍ରତି ୮୦ରୁ ୯୦ କିମି ବେଗରେ ପବନ ବହୁଛି । ଫଳରେ ଘର, ଦୋକାନର ଛପର ସହିତ ସହରରେ ଲାଗିଥିବା ହୋର୍ଡିଂ ଉଡ଼ିଯାଇଛି । କେତେକ ଅଞ୍ଚଳରେ ବିଦ୍ୟୁତ୍ ଖୁଣ୍ଟ ଓ ଗଛ ଉପୁଡ଼ି ପଡ଼ିଛି । ସହରର ଅଧିକାଂଶ ଅଞ୍ଚଳରେ ଆଣ୍ଠୁଏ ଲେଖାଏଁ ପାଣି ପଶିଯାଇଛି ।

ବାତ୍ୟାରେ ହୋଇଥିବା କ୍ଷୟକ୍ଷତି ଓ ରିଲିଫ୍‌-ଉଦ୍ଧାର କାର୍ଯ୍ୟର ଆକଳନ କରିବା ନିମନ୍ତେ ସ୍ୱରାଷ୍ଟ୍ର ମନ୍ତ୍ରୀ ଶନିବାର ହୋଲିକପ୍ଟର୍ ଯୋଗେ କଚ୍ଛ୍‌ର ନିରୀକ୍ଷଣ କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ୍ ମଧ୍ୟ ତାଙ୍କ ସହିତ ଉପସ୍ଥିତ ଥିଲେ । ବାତ୍ୟାରେ କାହାର ମୃତ୍ୟୁ ହୋଇନଥିବା ବେଳେ ୪୭ ଜଣ ଲୋକ କେବଳ ଆହତ ହୋଇଛନ୍ତି । ଏହା ବ୍ୟତୀତ ୨୩୪ ପଶୁଙ୍କ ମୃତ୍ୟୁ ଘଟିଥିବା ଏକ ସାମ୍ବାଦିକ ସମ୍ମିଳନୀରେ ଶାହ କହିଛନ୍ତି ।

କଚ୍ଛରେ ମାଡ଼ହେବା ପରେ ବାତ୍ୟା ବିପର୍ଯ୍ୟୟ ଶୁକ୍ରବାର ରାତି ପ୍ରାୟ ସାଢ଼େ ୧୧ଟା ବେଳେ ଦକ୍ଷିଣ-ପୂର୍ବ ପାକିସ୍ତାନ ଉପରେ ଦୁର୍ବଳ ହୋଇ ଡିପ୍ ଡିପ୍ରେସନ୍‌ରେ ପରିବର୍ତ୍ତତ ହୋଇଛି । ରବିବାର ସୁଦ୍ଧା ଏହା ଆହୁରି ଦୁର୍ବଳ ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ।

ବାତ୍ୟା ବେଳେ ଗୁଜରାଟରେ ୭୦୦ ଶିଶୁ ଜନ୍ମ

‘ବିପର୍ଯ୍ୟୟ’ର ତାଣ୍ଡବ ବେଳେ ଗୁଜରାଟର ବିଭିନ୍ନ ରେସ୍କ୍ୟୁ କ୍ୟାମ୍ପ୍‌ରେ ୭୦୦ରୁ ଊର୍ଦ୍ଧ୍ୱ ଶିଶୁ ଜନ୍ମଗ୍ରହଣ କରିଛନ୍ତି । ବାତ୍ୟାର ୭୨ ଘଣ୍ଟା ପୂର୍ବରୁ ହିଁ ରାଜ୍ୟ ସରକାର ୮ ବିପଜ୍ଜନକ ଜିଲ୍ଲାରୁ ପ୍ରାୟ ଏକ ଲକ୍ଷ ଲୋକଙ୍କୁ ରେସ୍କ୍ୟୁ କ୍ୟାମ୍ପ୍‌କୁ ସ୍ଥାନାନ୍ତର କରିଥିଲେ । ସେମାନଙ୍କ ମଧ୍ୟରେ ୧,୧୫୨ ଗର୍ଭବତୀ ମହିଳା ମଧ୍ୟ ସାମିଲ ଥିଲେ । ଏହା ମଧ୍ୟରୁ ୭୦୭ ଜଣ ବାତ୍ୟା ବେଳେ ହସ୍ପିଟାଲ୍ ଓ ସ୍ୱାସ୍ଥ୍ୟ କେନ୍ଦ୍ରରେ ଶିଶୁଙ୍କୁ ଜନ୍ମ ଦେଇଛନ୍ତି । ବାତ୍ୟା ବେଳେ ୩୦୨ ସରକାରୀ ବାହନ ଏବଂ ୨୦୨ ଆମ୍ବୁଲାନ୍ସ ମୁତୟନ କରାଯାଇଥିଲା । ଏହି ଆମ୍ବୁଲାନ୍ସରେ ମେଡିକାଲ୍ ଷ୍ଟାଫ୍ ମଧ୍ୟ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking