28.1 C
Bhubaneswar
Friday, November 22, 2024
Homeଓଡିଶାତାଣ୍ଡବ ରଚିବ ସାମୁଦ୍ରିକ ଝଡ଼ ‘ବିପର୍ଯ୍ୟୟ’; ଗୁଜରାଟରେ ୬୭ ଟ୍ରେନ୍ ବାତିଲ

ତାଣ୍ଡବ ରଚିବ ସାମୁଦ୍ରିକ ଝଡ଼ ‘ବିପର୍ଯ୍ୟୟ’; ଗୁଜରାଟରେ ୬୭ ଟ୍ରେନ୍ ବାତିଲ

ନୂଆଦିଲ୍ଲୀ: ଆରବ ସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ଼ ‘ବିପର୍ଯ୍ୟୟ’ କ୍ରମଶଃ ଭୟଙ୍କର ରୂପ ଧାରଣ କରିବାରେ ଲାଗିଛି । ଜୁନ ୧୫ ମଧ୍ୟାହ୍ନ ସୁଦ୍ଧା ଏହା ଗୁଜରାଟ ସ୍ଥଳଭାଗ ଛୁଇଁବ ବୋଲି ପୂର୍ବାନୁମାନ କରାଯାଇଛି । ଏହି ପରିପ୍ରେକ୍ଷୀରେ ଭାରତୀୟ ପାଣିପାଗ କାର୍ଯ୍ୟାଳୟ (ଆଇଏମଡି) ପକ୍ଷରୁ ମଙ୍ଗଳବାର ଗୁଜରାଟର ସୌରାଷ୍ଟ୍ର ଓ କଚ୍ଛ୍ ଅଞ୍ଚଳ ପାଇଁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି ।

ଏହି ଝଡ଼ର ଗତିବିଧି ସମ୍ପର୍କରେ ଆଇଏମ୍‌ଡି ପକ୍ଷରୁ ତୀକ୍ଷ୍ଣ ନଜର ରଖାଯାଇଥିବାବେଳେ ଲୋକଙ୍କୁ ସତର୍କ ମଧ୍ୟ କରାଯାଉଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ଏହି ପ୍ରସଙ୍ଗରେ ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲଙ୍କ ସହ ଫୋନରେ ଆଲୋଚନା କରିଛନ୍ତି । ଏଭଳି ପ୍ରାକୃତିକ ଦୁର୍ବିପାକ ସମୟରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦିଆଯିବ ବୋଲି ମୋଦୀ ଗୁଜରାଟ ମୁଖ୍ୟମନ୍ତ୍ରୀଙ୍କୁ ନିର୍ଭର ପ୍ରତିଶ୍ରୁତି ଦେଇଥିବା ଜଣାପଡିଛି ।

ପରିସ୍ଥିତିର ମୁକାବିଲା ପ୍ରସଙ୍ଗରେ ମଧ୍ୟ ମୋଦୀ ଉଚ୍ଚସ୍ତରୀୟ ବୈଠକରେ ସମୀକ୍ଷା କରିଛନ୍ତି । ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ସମେତ ଝଡ଼ ସମୟରେ ଅତ୍ୟାବଶ୍ୟକ ସାମଗ୍ରୀର ଯୋଗାଣ ଯେପରି ବାଧାପ୍ରାପ୍ତ ନହୁଏ, ସେଥିପ୍ରତି ସତର୍କ ରହିବାକୁ ମୋଦୀ ପୁଲିସ ଓ ପ୍ରଶାସନକୁ କଡା ନିର୍ଦ୍ଦେଶ ଦେଇଛନ୍ତି । ଗୁରୁବାର ସ୍ଥଳଭାଗ ଛୁଇଁବାପରେ ଏହି ଝଡ଼ ଗୁଜରାଟରେ ବ୍ୟାପକ କ୍ଷୟକ୍ଷତି କରିବାର ସମ୍ଭାବନା ରହିଛି ବୋଲି ଆଇଏମ୍‌ଡି ପକ୍ଷରୁ କୁହାଯାଇଛି ।

ଗୁଜରାଟର କଚ୍ଛ, ଦେବଭୂମୀ ଦ୍ୱାରକା, ଜାମନଗର, ପୋରବନ୍ଦର, ରାଜକୋଟ, ଜୁନାଗଡ ଓ ମୋର୍ବି ଜିଲ୍ଲାରେ ପବନର ବେଗ ଘଣ୍ଟାକୁ ୧୨୫ରୁ ୧୪୫ କିମି ମଧ୍ୟରେ ରହିବ ବୋଲି ଆଇଏମଡି ପକ୍ଷରୁ କୁହାଯାଇଛି । ଝଡ଼ ଆଶଙ୍କାରେ ଥିବା ଉପକୂଳ ଅଞ୍ଚଳରୁ ୨୮ ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । ଫଳରେ ବଡ ବଡ ଗଛ ଉପୁଡି ପଡିବା ସହ ପୁରୁଣା ଅଟ୍ଟାଳିକା ଓ ସଡକପଥ କ୍ଷତିଗ୍ରସ୍ତ ହୋଇପାରେ ବୋଲି ମଧ୍ୟ ସୂଚନା ଦିଆଯାଇଛି ।

ବର୍ତ୍ତମାନ ‘ବିପର୍ଯ୍ୟୟ’ ଦ୍ୱାରକାଠାରୁ ୨୮୦ କିମି ଦୂରରେ ରହିଛି । ଏହାର ପ୍ରଭାବରେ ଦ୍ୱାରକା ଓ କଚ୍ଛ ଅଞ୍ଚଳରେ କଳା ବାଦଲ ଦେଖାଯାଉଛି । ଫଳରେ ସୌରାଷ୍ଟ୍ର ଅଞ୍ଚଳର ଉପକୂଳବର୍ତ୍ତୀ ଜିଲ୍ଲାଗୁଡିକରେ ଅତି ପ୍ରବଳ ବର୍ଷାର ସମ୍ଭାବନା ରହିଛି ବୋଲି ଆଇଏମଡି ପକ୍ଷରୁ କୁହାଯାଇଛି । ଗୁରୁବାର ସ୍ଥଳଭାଗ ଛୁଇଁବାପରେ ଝଡ଼ର ପ୍ରକୋପ ବୃଦ୍ଧି ପାଇବ ଏବଂ ଏହା ଗୁୂଜରାଟର ମାଣ୍ଡ୍‌ଭି ସମେତ ପାକିସ୍ତାନର କରାଚି ସହରରେ ସାଂଘାତିକ କ୍ଷୟକ୍ଷତି କରିବ ବୋଲି କୁହାଯାଇଛି । ବିପର୍ଯ୍ୟୟ ପ୍ରଶମନ ସଂସ୍ଥାଗୁଡିକ ବର୍ତ୍ତମାନ ଗୁଜରାଟରେ ଦିନରାତି ପରିଶ୍ରମ କରୁଛନ୍ତି ।

ଗୁଜରାଟ ବ୍ୟତୀତ ରାଜସ୍ଥାନ ଓ ମହାରାଷ୍ଟ୍ରର କେତେକ ଅଞ୍ଚଳରେ ମଧ୍ୟ ଝଡ଼ର ପ୍ରଭାବ ଦେଖିବାକୁ ମିଳିପାରେ । ଏହି ପରିପ୍ରେକ୍ଷୀରେ ଏନ୍‌ଡିଏମଏ (ନ୍ୟାସନାଲ ଡିଜାଷ୍ଟର ମ୍ୟାନେଜମେଣ୍ଟ ଅଥରିଟୀ) ପକ୍ଷରୁ ଲୋକଙ୍କ ନିମନ୍ତେ ଗାଇଡଲାଇନ୍ ଜାରି କରାଯାଇଛି । ଘଡ଼ ସମୟରେ ଘରେ ରହିବା, ସମସ୍ତ ବୈଦ୍ୟୁତିକ ଉପକରଣ ଓ ଗ୍ୟାସ୍‌କୁ ସୁଇଚଚ୍ ଅଫ୍ କରିବା, ଯଦି ବାସଗୃହ ଅସୁରକ୍ଷିତ ହୋଇଥାଏ, ତେବେ ସମୟ ପୂର୍ବରୁ ସୁରକ୍ଷିତ ସ୍ଥାନକୁ ଚାଲିଯିବା, ରେଡିଓ କିମ୍ବା ଟ୍ରାନ୍‌ଜିଷ୍ଟରରୁ ଝଡ଼ ସମ୍ପର୍କିତ ସୂଚନା ସଂଗ୍ରହ କରିବା, ସିଝା କିମ୍ବା କ୍ଲୋରିନଯୁକ୍ତ ପାଣି ପିଇବା, କୌଣସି ଭଙ୍ଗାତୁଟା ଘର, ଗଛ, ଇଲେକ୍‌ଟ୍ରିକ୍ ଖୁଣ୍ଟ ନିକଟରେ ଆଶ୍ରୟ ନନେବାକୁ ପରାମର୍ଶ ଦିଆଯାଇଛି ।

ଝଡ଼ ପରବର୍ତ୍ତୀ ସମୟରେ ବାହାରକୁ ଯିବାକୁ ଅନୁମତି ନମିଳିବା ପର୍ଯ୍ୟନ୍ତ ଘରେ ରହିବା, ଛିଣ୍ଡିଥିବା ବିଜୁଳି ତାରକୁ ନ ଛୁଇଁବା, ଜରୁରୀ ନଥିଲେ କାର କିମ୍ବା ଦୁଇଚକିଆ ଯାନରେ ବାହାରକୁ ନଯିବା, କୌଣସି ଗୁଜବରେ ଧ୍ୟାନ ନଦେବାକୁ ମଧ୍ୟ କୁହାଯାଇଛି । ଝଡ଼ ପରିପ୍ରେକ୍ଷୀରେ ୱେଷ୍ଟର୍ଣ୍ଣ ରେଲୱେ ପକ୍ଷରୁ ଗୁଜରାଟ ଦେଇ ଚଳାଚଳ କରୁଥିବା ୬୭ଟି ଟ୍ରେନ୍‌କୁ ବାତିଲ କରାଯାଇଛି । ଏହାବ୍ୟତୀତ ଆଉ କେତେକ ଟ୍ରେନ୍‌ର ଗନ୍ତବ୍ୟସ୍ଥଳକୁ କାଣ୍ଟ୍‌ଛାଣ୍ଟ କରାଯାଇଛି । ମତ୍ସ୍ୟଜୀବୀଙ୍କୁ ସମୁଦ୍ର ବାରଣ କରାଯାଇଥିବାବେଳେ ପୂର୍ବରୁ ମାଛ ଧରିବାକୁ ଯାଇଥିବା ସମସ୍ତ ଡଙ୍ଗାକୁ କୂଳକୁ ଫେରାଇ ଅଣାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking