27.1 C
Bhubaneswar
Saturday, October 19, 2024
Homeଖେଳବିଶ୍ୱ ୧ ନଂ. ସ୍ଥାନକୁ ଫେରିଲେ ଜୋକୋଭିକ୍

ବିଶ୍ୱ ୧ ନଂ. ସ୍ଥାନକୁ ଫେରିଲେ ଜୋକୋଭିକ୍

ନୂଆଦିଲ୍ଲୀ : କ୍ୟାରିୟର୍‌ର ୨୩ତମ ଗ୍ରାଣ୍ଡ୍‌ସ୍ଲାମ୍ ଟାଇଟଲ୍ ଜିତିବା ଫଳରେ ନୋଭାକ୍ ଜୋକୋଭିକ୍ ସଦ୍ୟତମ ଏଟିପି ର‌୍ୟାଙ୍କିଙ୍ଗ୍‌ରେ ଶୀର୍ଷ ସ୍ଥାନ ଫେରିପାଇଛନ୍ତି । ଫ୍ରେଞ୍ଚ୍ ଓପନ୍‌ରେ ସ୍ମରଣୀୟ ବିଜୟ ପରେ କାର୍ଲୋସ୍ ଅଲ୍‌କାରାଜ୍‌ଙ୍କ ଠାରୁ ଜୋକୋଭିକ୍ ଶୀର୍ଷସ୍ଥାନ ଛଡ଼ାଇ ଆଣିଛନ୍ତି । ଏହି ବିଜୟ ଫଳରେ ୩୬ ବର୍ଷୀୟ ଜୋକୋଭିକ୍ ସମସ୍ତ ପୂର୍ବ ରେକର୍ଡକୁ ଅତିକ୍ରମ କରି ଶୀର୍ଷରେ ନିଜର ୩୮୮ତମ ସପ୍ତାହ ଆରମ୍ଭ କରିଛନ୍ତି ।

ପ୍ୟାରିସ୍‌ରେ ତାଙ୍କର ସଫଳତା ପରେ ସର୍ବିୟା ଖେଳାଳି ର‌୍ୟାଙ୍କିଙ୍ଗ୍‌ରେ ଦୁଇଟି ସ୍ଥାନର ସୁଧାର କରିଛନ୍ତି । ଅନ୍ୟପକ୍ଷରେ ବିଶ୍ୱ ଟେନିସ୍‌ର ଅନ୍ୟତମ ହସ୍ତୀ ରାଫେଲ୍ ନାଦାଲ୍ ଗତ ୨୦ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ଶୀର୍ଷ ୧୦୦ରୁ ବାଦ୍ ପଡ଼ିଛନ୍ତି । ଆଲ୍‌କାରାଜ୍ ଦ୍ୱିତୀୟ ସ୍ଥାନକୁ ଖସିଥିବା ବେଳେ ପ୍ରଥମ ରାଉଣ୍ଡ୍‌ରୁ ବିଦାୟ ନେଇଥିବା ଡାନିଲ୍ ମେଡ୍‌ଭେଡେଭ୍ ମଧ୍ୟ ଗୋଟିଏ ସ୍ଥାନ ତଳକୁ ଖସି ତୃତୀୟରେ ରହିଛନ୍ତି । ରୋଲାଣ୍ଡ୍ ଗାରୋସ୍ ରନର୍‌ଅପ୍ କାସ୍‌ପର୍ ରୁଡ୍ ଚତୁର୍ଥ ସ୍ଥାନରେ ପୂର୍ବକରି କାଏମ୍ ରହିଛନ୍ତି ।

ଅଷ୍ଟ୍ରେଲିଆ ଓପନ୍ ବେଳେ ଆହତ ହୋଇଥିବା ୧୪ ଥରର ଫ୍ରେଞ୍ଚ୍ ଓପନ୍ ଚାମ୍ପିଅନ୍ ନାଦାଲ୍ ଜାନୁଆରୀ ପରଠାରୁ ମ୍ୟାଚ୍ ଖେଳିନାହାନ୍ତି । ଲଗାତାର ଟୁର୍‌ରେ ଅନୁପସ୍ଥିତି ୩୭ ବର୍ଷୀୟ ସ୍ପେନ୍ ଖେଳାଳି ଚଳିତ ର‌୍ୟାଙ୍କିଙ୍ଗ୍‌ରେ ୧୫ଶରୁ ୧୩୬ତମ ସ୍ଥାନକୁ ଖସିଆସିଛନ୍ତି । ଚଳିତ ମାସ ପ୍ରାରମ୍ଭରେ ତାଙ୍କର ସର୍ଜରୀ ହୋଇଥିବା ବେଳେ ସୁସ୍ଥ ହେବାକୁ ତାଙ୍କୁ ପାଞ୍ଚମାସ ଲାଗିବାର ସମ୍ଭାବନା ରହିଛି ।
ମହିଳା ର‌୍ୟାଙ୍କିଙ୍ଗ୍‌ରେ ଫ୍ରେଞ୍ଚ୍ ଓପନ୍ ଟାଇଟଲ୍ ସଫଳତାର ସହ ଡିଫେଣ୍ଡ୍ କରିଥିବା ଇଗା ସ୍ୱିଆଟେକ୍ ଶୀର୍ଷସ୍ଥାନ ବଜାୟ ରଖିଛନ୍ତି । ଆଶ୍ ବାର୍ଟିଙ୍କ ସନ୍ନ୍ୟାସ ପରେ ୨୦୨୨ ଏପ୍ରିଲ୍‌ରୁ ସେ ଏହି ସ୍ଥାନରେ କାଏମ୍ ଅଛନ୍ତି । ସେମିଫାଇନାଲ୍‌ରେ କାରୋଲିନା ମୁଚୋଭାଙ୍କଠାରୁ ପରାଜିତ ହୋଇଥିବା ଆରିନା ସାବାଲେଙ୍କା ଦ୍ୱିତୀୟ ସ୍ଥାନରେ ବଜାୟ ରହିଥିବା ବେଳେ ଫ୍ରେଞ୍ଚ୍ ଓପନ୍ ଫାଇନାଲିଷ୍ଟ୍ ମୁଚୋଭା କ୍ୟାରିୟର୍ ଶ୍ୟେଷ୍ଠ ୧୬ତମ ସ୍ଥାନରେ ପହଞ୍ଚିଛନ୍ତି ।

ପୂର୍ବରୁ ତାଙ୍କ ର‌୍ୟାଙ୍କିଙ୍ଗ୍ ୪୩ ଥିଲା । ଅସୁସ୍ଥତା ଯୋଗୁଁ ପ୍ୟାରିସ୍‌ରେ ତୃତୀୟ ରାଉଣ୍ଡ୍‌ରୁ ଓହରି ଯାଇଥିବା ୱିମ୍ବଲଡନ୍ ଚାମ୍ପିଅନ୍ ଏଲେନା ରିବାକିନା ଗୋଟିଏ ସ୍ଥାନ ଉପରକୁ ଉଠି ତୃତୀୟରେ ପହଞ୍ଚିଛନ୍ତି । ଜେସିକା ପେଗୁଲା ଦୁଇଟି ସ୍ଥାନ ତଳକୁ ଖସି ପଞ୍ଚମରେ ଥିବାବେଳେ ବ୍ରାଜିଲ୍‌ର ପ୍ରଥମ ମହିଳା ଖେଳାଳି ଭାବେ ବିଟ୍ରିଜ୍ ହଡ୍ଡାଡ୍ ମାଇଆ ଟପ୍ ୧୦ରେ ପ୍ରବେଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking