ଭୁବନେଶ୍ୱର: ଏ ହସ୍ପିଟାଲରୁ ସେ ହସ୍ପିଟାଲ ଖୋଜୁଥିଲେ । ବୁଲି ବୁଲି ନୟାନ୍ତ ହୋଇପଡ଼ିଥିଲେ । ପୁଅ ବଞ୍ଚିଛି କି ମରିଛି ତାହା ବି ଜାଣିନଥିଲେ । ଖାଲି ଏତିକି ଜାଣିଥିଲେ ପୁଅ ସେହି ଦୁର୍ଘଟଣାଗ୍ରସ୍ତ ଟ୍ରେନ୍ରେ ହିଁ ଥିଲା। କିନ୍ତୁ ତାପରେ କୁଆଡ଼େ ଗଲା, କ’ଣ ହେଲା, କେମିତି ଅବସ୍ଥାରେ ଅଛି, କିଛି ଜାଣିନଥିଲେ ବାପା ମାଆ । କିନ୍ତୁ ପୁଅକୁ ଖୋଜିବାକୁ ସୁଦୁର ନେପାଳରୁ ଓଡ଼ିଶା ଚାଲି ଆସିଲେ ।
ଦୁଇ ଦିନ ଧରି ପୁଅକୁ ଅନେକ ଖୋଜା ଖୋଜି କଲେ । ହେଲେ ପାଇଲେନି । ଶେଷରେ ପୁଅ ମେଡିକାଲରେ, ଓଉଟରେ ଥିବା ଜାଣିବାକୁ ପାଇଥିଲେ । ଆଉ ତାପରେ ଆତ୍ମହରା । ପୁଅକୁ ପାଇବାକୁ ଦୁଇ ଦିନ ଧରି ହସ୍ପିଟାଲରୁ ହସ୍ପିଟାଲ ଖୋଜି ବୁଲୁଥିବା ବାପା ଓ ମାଆ ଶେଷରେ ପୁଅକୁ ପାଇ ଆତ୍ମହରା ହୋଇପଡ଼ିଛନ୍ତି । ବାହାନଗା ଟ୍ରେନ୍ ଦୁର୍ଘଟଣାରେ ନେପାଳର କିଛି ଲୋକ ମୃତାହତ ହୋଇଛନ୍ତି । ଆହତଙ୍କ ମଧ୍ୟରୁ ଜଣେ ୧୫ ବର୍ଷୀୟ ବାଳକ ରମାନନ୍ଦ ପାଶ୍ୱାନୀ କଟକ ବଡ଼ ମେଡିକାଲର ଆଇସିୟୁରେ ଚିକିତ୍ସାଧୀନ ଅଛନ୍ତି।