27.1 C
Bhubaneswar
Saturday, October 19, 2024
Homeଖେଳଡବ୍‌ଲ୍ୟୁଟିସି ଫାଇନାଲ୍‌; ରଙ୍ଗବେରଙ୍ଗ ବଲ୍‌ରେ ଟିମ୍ ଇଣ୍ଡିଆର କ୍ୟାଚିଂ ପ୍ରାକ୍ଟିସ୍‌

ଡବ୍‌ଲ୍ୟୁଟିସି ଫାଇନାଲ୍‌; ରଙ୍ଗବେରଙ୍ଗ ବଲ୍‌ରେ ଟିମ୍ ଇଣ୍ଡିଆର କ୍ୟାଚିଂ ପ୍ରାକ୍ଟିସ୍‌

ପୋର୍ଟ୍ସମାଉଥ୍ : ଆସନ୍ତା ୭ରୁ ଦି ଓଭାଲ୍‌ଠାରେ ଆରମ୍ଭ ହେବାକୁ ଥିବା ଅଷ୍ଟ୍ରେଲିଆ ବିପକ୍ଷ ଦ୍ୱିତୀୟ ୱାର୍ଲ୍ଡ ଟେଷ୍ଟ୍ ଚାମ୍ପିଅନ୍‌ଶିପ୍ (ଡବ୍‌ଲ୍ୟୁଟିସି) ଫାଇନାଲ୍ ପାଇଁ ଏଠାରେ ଟିମ୍ ଇଣ୍ଡିଆ କଡ଼ା ଅଭ୍ୟାସ ଜାରି ରଖିଛି । ଶନିବାର ଦଳର ଖେଳାଳିମାନେ କ୍ୟାଚ୍ ପ୍ରାକ୍ଟିସ୍ କରୁଥିବା ଦେଖାଯାଇଥିଲା । ବିଗତ ଦିନରେ ଭାରତୀୟ ଦଳର ଖେଳାଳିମାନେ ନୂଆ ନୂଆ ରଣନୀତି ଆପଣାଇଆସିଥିବା ବେଳେ ଡବ୍‌ଲ୍ୟୁଟିସି ଫାଇନାଲ୍ ପାଇଁ ମଧ୍ୟ ଖେଳାଳିମାନେ ଭିନ୍ନ ତରିକା ଆପଣାଇଛନ୍ତି ।

ଇଂଲିଶ୍ କଣ୍ଡିସନ୍‌ରେ ବଲ୍ ବେଶ୍ ଦ୍ରୁତ ଗତିରେ ଆସୁଥିବାରୁ ଏହି ସମସ୍ୟା ସହ ଲଢ଼େଇ କରିବା ସକାଶେ ଭାରତୀୟ ଖେଳାଳିମାନେ ଶନିବାର ରଙ୍ଗବେରଙ୍ଗ ରବର୍ ବଲ୍‌ରେ କ୍ୟାଚିଂ ପ୍ରାକ୍ଟିସ୍ କରିଛନ୍ତି । ଏହାଦ୍ୱାରା ଅନ୍ତିମ ସମୟରେ ବଲ୍ ବଦଳାଉଥିବା ଦିଗଜନିତ ସମସ୍ୟାକୁ ଏଡ଼ାଇ ଦିଆଯାଇପାରିବ । ଏଠାକାର ଅରୁଣ୍ଡେଲ୍ ଗ୍ରାଉଣ୍ଡ୍‌ରେ ଯୁବ ଖେଳାଳି ଶୁବମାନ ଗିଲ୍ ଏକ ସବୁଜ ରଙ୍ଗର ବଲ୍‌କୁ କ୍ୟାଚ୍ କରୁଥିବା ବିସିସିଆଇ ଅଫିସିଆଲ୍ ଟ୍ୱିଟର୍ ହ୍ୟାଣ୍ଡଲ୍‌ରେ ଅପଲୋଡ୍ ଏକ ଭିଡିଓରେ ଦେଖିବାକୁ ମିଳିଛି । ଏହାଛଡ଼ା କେତେକ ଫିଲ୍‌ଡର୍ ହଳଦିଆ ବଲ୍‌ରେ ମଧ୍ୟ ପ୍ରାକ୍ଟିସ୍ କରୁଥିବା ଦେଖାଯାଇଛି ।

କିନ୍ତୁ ସାଧାରଣତଃ ୱିକେଟ୍‌କିପର୍ ଓ କ୍ଲୋଜ୍‌-ଇନ୍ ଫିଲ୍‌ଡର୍ ଦ୍ରୁତ ଗତିରେ ଆସୁଥିବା କ୍ୟାଚ୍‌କୁ ଧରିବା ସକାଶେ ଲନ୍ ଟେନିସ୍ ବଲ୍‌ରେ ଅଭ୍ୟାସ କରୁଥିଲେ ହେଁ ଏଠାରେ ତାହା ଦେଖିବାକୁ ମିଳି ନଥିଲା । ଟିମ୍ ଇଣ୍ଡିଆର ରଙ୍ଗବେରଙ୍ଗ ବଲ୍‌ରେ କ୍ୟାଚିଂ ପ୍ରାକ୍ଟିସ୍ କରିବା ରଣନୀତି ସମ୍ପର୍କରେ ଏନ୍‌ସିଏରେ କାର୍ଯ୍ୟ କରିବାର ଅଭିଜ୍ଞତା ରଖୁଥିବା ଜନୈକ ଜଣାଶୁଣା ଫିଲ୍‌ଡିଂ କୋଚ୍ କହିଛନ୍ତି ଯେ ଗଲି କ୍ରିକେଟ୍‌ରେ ସାଧାରଣତଃ ଯେଉଁ ରବର ବଲ୍ ବ୍ୟବହାର ହୋଇଥାଏ, ସେପରି ବଲ୍‌ଠାରୁ ଟିମ୍ ଇଣ୍ଡିଆ ଅଭ୍ୟାସ କରୁଥିବା ବଲ୍ ସମ୍ପୂର୍ଣ୍ଣ ଭାବେ ଭିନ୍ନ । ଏହି ପ୍ରକାର ରବର୍ ବଲ୍ କେବଳ ଫିଲ୍‌ଡିଂ ଡ୍ରିଲ୍ ସକାଶେ ବ୍ୟବହାର କରାଯାଇଥାଏ ।

ବଲ୍‌ଗୁଡ଼ିକୁ ସାଧାରଣତଃ ‘ରିଆକ୍ସନ୍ ବଲ୍‌’ କୁହାଯାଇଥାଏ ଓ ଏଗୁଡ଼ିକର ବ୍ୟବହାର ନିର୍ଦ୍ଦିଷ୍ଟ ଦେଶରେ ଫିଲ୍‌ଡିଂ ଅଭ୍ୟାସରେ ବ୍ୟବହାର କରାଯାଇଆସିଛି । ବିଶେଷକରି ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ୍ ପରି ଦେଶରେ ବଲ୍‌ର ଗତି ଉପରେ ସେଠାକାର ଥଣ୍ଡା ପରିବେଶ ଓ କୋହଲା ପବନର ପ୍ରଭାବ ରହୁଥିବାରୁ ୱିକେଟ୍‌କିପର୍ ଓ ସ୍ଲିପ୍ ଫିଲ୍‌ଡର୍‌ମାନେ ସବୁଜ ରଙ୍ଗର ବଲ୍‌ରେ ଅଭ୍ୟାସ ପାଇଁ ପସନ୍ଦ କରିଥାନ୍ତି ବୋଲି ଉକ୍ତ ଫିଲ୍‌ଡିଂ କୋଚ୍ ଜଣକ କହିଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ ଇଂଲଣ୍ଡରେ ସମ୍ପୂର୍ଣ୍ଣ ଭାବେ ଓ ନ୍ୟୁଜିଲାଣ୍ଡ୍‌ରେ ଆଂଶିକ ଭାବେ ବ୍ୟାଟ୍‌ରେ ବାଜିବା ପରେ ବଲ୍ ବେଶ୍ ଦ୍ରୁତ ଗତିରେ ୱିକେଟ୍‌କିପର୍ ଓ ସ୍ଲିପ୍ ଫିଲ୍‌ଡର୍‌ଙ୍କ ନିକଟରେ ପହଞ୍ଚିଥାଏ । ଏପରିକି ବ୍ୟାଟ୍‌ରୁ ବଲ୍ ବାହାରିବା ପରେ ଫିଲ୍‌ଡର୍ ନିକଟରେ ପହଞ୍ଚିବା ବେଳକୁ ଏକାଧିକ ବାର ଦିଗ ବଦଳାଇଥାଏ । ଏହା ଫିଲ୍‌ଡର୍‌ଙ୍କ ପାଇଁ ସମସ୍ୟା ସୃଷ୍ଟି କରିଥାଏ । ଅଧିକନ୍ତୁ ଇଂଲିଶ୍ ପରିବେଶରେ ଡ୍ୟୁକ୍ସ ବଲ୍ ଫିଲ୍‌ଡର୍‌ଙ୍କ ପାଇଁ କ୍ୟାଚ୍ ନେବା ସମସ୍ୟାକୁ ବହୁଗୁଣିତ କରିଦେଇଥାଏ ବୋଲି ଉକ୍ତ କୋଚ୍ ଜଣକ କହିଛନ୍ତି ।

ରଙ୍ଗିନ ବଲ୍‌ରେ ଅଭ୍ୟାସ କରିବାର ଯଥାର୍ଥତା ପ୍ରତିପାଦନ କରିବାକୁ ଯାଇ ସେ କହିଛନ୍ତି ଯେ ଏହିପରି ବଲ୍‌ଗୁଡ଼ିକ ବେଶ୍ ହାଲୁକା ହୋଇଥିବାରୁ ଏହା ଅନ୍ୟ ବଲ୍ ତୁଳନାରେ ଅଧିକ ମାତ୍ରାରେ ଦିଗ ବଦଳାଇଥାଏ । ରଙ୍ଗିନ ବଲ୍‌ରେ ଅଭ୍ୟାସ କରିବା ଦ୍ୱାରା ଫିଲ୍‌ଡର୍‌ଙ୍କୁ ଦିଗ ପରିବର୍ତ୍ତନଜନିତ ସମସ୍ୟାକୁ ଏଡ଼ାଇବାରେ ଯଥେଷ୍ଟ ସହାୟତା ମିଳିଥାଏ । ଅନ୍ତିମ ମୁହୂର୍ତ୍ତରେ ବଲ୍ ଉପରକୁ ନଜର ହଟିବା ଏକ ସ୍ୱାଭାବିକ ପ୍ରକୃତି ହୋଇଥିବାରୁ ବଲ୍‌ର ଗତିକୁ ସଠିକ୍ ଭାବେ ଠଉରାଇବା ଦିଗରେ ରଙ୍ଗିନ ବଲ୍ ବିଶେଷ ସହାୟକ ହେଉଥିବା କୋଚ୍ ଜଣକ ମତ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking