ଲକ୍ଷ୍ନୌ: ଉତ୍ତରପ୍ରଦେଶରେ ବାଲିଆ ଜିଲ୍ଲାରେ ଅଭାବନୀୟ ଘଟଣା । ଗଙ୍ଗା ନଦୀରେ ବୁଡ଼ିଲା ଯାତ୍ରୀବାହୀ ଡଙ୍ଗା । ୪୦ ଜଣ ଯାତ୍ରୀଙ୍କୁ ନେଇ ନଦୀ ପାର ହେଉଥିବା ଡଙ୍ଗା ବୁଡି ୪ ଜଣଙ୍କର ମୃତ୍ୟୁ ହୋଇଛି । ମୁଣ୍ଡନସ୍କର ସଂସ୍କାର ସମାରୋହରେ ସାମିଲ ହେବା ପାଇଁ ଗଙ୍ଗାନଦୀର ଗୋଟିଏ ଘାଟରୁ ଅନ୍ୟ ଏକ ଘାଟକୁ ଯାଉଥିବା ବେଳେ ହଠାତ୍ ଡଙ୍ଗାଟି ହଲଚଲ ହେବାକୁ ଲାଗିଲା । କିଛି ସମୟ ପରେ ଗଭୀର ନଦୀରେ ବୁଡ଼ିଯିବାରୁ ଯାତ୍ରୀମାନେ ମଧ୍ୟ ବୁଡି ଯାଇଥିଲେ । ବର୍ତ୍ତମାନ ସୁଦ୍ଧା ୪ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୪ ଜଣ ନିଖୋଜ ଥିବା ସୂଚନା ମିଳିଛି । ମୃତ୍ୟ ସଂଖ୍ୟା ବଢିବା ନେଇ ଆଶଙ୍କା କରାଯାଉଛି । ମିଳିଥିବା ସୂଚନା ଅନୁଯାୟୀ, ଆଜି ସକାଳ ସମୟରେ ବାଲିଆ ଜିଲ୍ଲାର ମାଲଦେପୁର ଘାଟରୁ ଏକ ଡଙ୍ଗା ୪୦ ଯାତ୍ରୀଙ୍କୁ ନେଇ ନଦୀ ସେପଟେ ଥିବା ମୁଣ୍ଡନସ୍କର ସଂସ୍କାର ଅଭିମୁଖେ ବାହାରିଥିଲା ।
କିନ୍ତୁ ଡଙ୍ଗାରେ କ୍ଷମତାଠାରୁ ଅଧିକ ଯାତ୍ରୀ ଥିବାରୁ ଭାରସାମ୍ୟ ହରାଇ ଡଙ୍ଗାଟି ନଦୀରେ ବୁଡି ଯାଇଥିଲା । ଏହି ସମୟରେ ଯାତ୍ରୀମାନେ ଚିତ୍କାର କରିବାରୁ ସ୍ଥାନୀୟ ମତ୍ସଜୀବୀମାନେ ଉଦ୍ଧାର ନଦୀକୁ ଡେଇଁ ପଡି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ଫଳରେ ଅଳ୍ପକେ କିଛି ଯାତ୍ରୀଙ୍କ ଜୀବନ ବଞ୍ଚିଯାଇଥିଲା । ଡଙ୍ଗା ବୁଡ଼ିବା ଖବର ପାଇବା ପରେ ଘଟଣାସ୍ଥଳରେ ଉଦ୍ଧାରକାରୀ ଟିମ୍ ପହଞ୍ଚି ଖୋଜାଖୋଜି ଆରମ୍ଭ କରିଛି । କିଛି ଯାତ୍ରୀଙ୍କୁ ଉଦ୍ଧାର କରାଯାଇ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ସେଠାରେ ଡାକ୍ତର ୪ଜଣଙ୍କୁ ମୃତ ଘୋଷଣା କରିଥିଲେ । ସମସ୍ତ ମୃତକ ହେଉଛନ୍ତି ମହିଳା । ସେହିପରି ଜଣଙ୍କ ଅବସ୍ଥା ମଧ୍ୟ ଗୁରୁତର ରହିଥିବା ସୂଚନା ମିଳିଛି । ତେବେ ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ, ଆବଶ୍ୟକତାଠାରୁ ଡଙ୍ଗାଟିରେ ଅଧିକ ଯାତ୍ରୀ ନଦୀପାର ହେଉଥିଲେ । ଡଙ୍ଗାରେ ମହିଳାଙ୍କ ସମେତ ଶିଶୁ ମଧ୍ୟ ରହିଥିଲେ । ଡଙ୍ଗା ବୁଡିବା ପରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ୨୪ ଜଣ ନିଖୋଜ ଥିବା କୁହାଯାଉଛି । ଏହି ଘଟଣାରେ ମୃତ୍ୟୁ ସଂଖ୍ୟା ବଢିବା ନେଇ ଆଶଙ୍କା କରାଯାଉଛି ।