ଭୁବନେଶ୍ୱର: ଖ୍ୟାତିସମ୍ପନ ଚଳଚ୍ଚିତ୍ର ନିର୍ମାତା ଓ ପ୍ରୋତ୍ସାହକ ଓଡ଼ିଶାର ଜିତେନ୍ଦ୍ର ମିଶ୍ରଙ୍କୁ ଫୁଣିଥରେ ସମ୍ବଲପୁରୀ ଡିଜାଇନର୍ ପୋଷାକ ପରିଧାନ କରି କାନ୍ସ ଚଳଚ୍ଚିତ୍ର ମହୋତ୍ସବରେ ଭାରତର ପ୍ରତିନିଧିତ୍ୱ କରିଥିବା ଓ ବିଶ୍ୱ ଦରବାରରେ ସମ୍ବଲପୁରୀ ଡିଜାଇନର୍ ପୋଷାକକୁ ଭିନ୍ନ ପରିଚୟ ଦେଇଥିବା ଶ୍ରୀ ମିଶ୍ର ଏଥର ବି କାନ୍ସରେ ସମ୍ବଲପୁରୀ ପୋଷାକରେ ନଜର ଆସିଛନ୍ତି । ଏଥି ପାଇଁ ତାଙ୍କୁ ସାମାଜିକ ଗଣମାଧ୍ୟମରେ ବିଭିନ୍ନ ମହଲରୁ ଶୁଭେଚ୍ଛା ଜ୍ଞାପନ କରାଯାଇଛି ।
ଗତ ୧୬ ତାରିଖରୁ ଆରମ୍ଭ ହୋଇ ୨୭ ଯାଏ ଚାଲିବାକୁ ଥିବା ୭୬ ତମ ଅନ୍ତଜାର୍ତୀୟ କାନ୍ସ ଚଳଚ୍ଚିତ୍ର ମହୋତ୍ସବର ନାଲି କାର୍ପେଟ୍ ବିଶ୍ୱ ଫେସନ ଜଗତର ଅନ୍ୟତମ ସମ୍ମାନଜନକ ଓ ଉଚ୍ଚସ୍ତରୀୟ ମଞ୍ଚଭାବେ ବିବେଚିତ ହୁଏ । ଏହି ମହୋତ୍ସବରେ ଶ୍ରୀ ମିଶ୍ର ନିଜ ଦ୍ୱାରା ଡିଜାଇନ୍ କରାଯାଇଥିବା ହାତ ସିଲେଇ ସମ୍ବଲପୁରୀ ପରିଧାନ ଅନ୍ତର୍ଜାତୀୟସ୍ତରର ବହୁ ଖ୍ୟାତାନାମା ମଡେଲ୍ ଓ ସେଲିବ୍ରିଟିଙ୍କ ଦୃଷ୍ଟି ଆକର୍ଷଣ କରିଥିଲା ସମସ୍ତେ ମଧ୍ୟ ଏହି ପରିଧାନର ପ୍ରଶଂଶା କରିଥିଲେ ।
ନିଜ ଅଞ୍ଚଳର ସମ୍ବଲପୁରୀ ହସ୍ତତନ୍ତକୁ ପୁଣିଥରେ କାନ୍ସରେ ପ୍ରଦର୍ଶିତ ଓ ପରିଚିତ କରି ପାରୁଥିବାରୁ ସେ ଗର୍ବିତ ବୋଲି ଶ୍ରୀ ମିଶ୍ର ନିଜ ପ୍ରତିକ୍ରିୟାରେ କହିଛନ୍ତି । ବଲାଙ୍ଗୀରି ଜିଲ୍ଲା ଟିଟିଲାଗଡରେ ଜନ୍ମିତ ଶ୍ରୀ ମିଶ୍ର ଓଡ଼ିଶାର କଳା , ସଂସ୍କୃତି , ସିନେମା ଆଦିକୁ ଅନ୍ତର୍ଯାତୀୟ ସ୍ତରରେ ଓ ମଞ୍ଚରେ ପ୍ରୋତ୍ସାହିତ କରିବା ଦିଗରେ ବେଶ କିଛି ବର୍ଷ ହେଲା କାମ କରି ଆସୁଛନ୍ତି ।
ସେ ଭାରତର ହାତଗଣତି ସିନେମା ନିର୍ମାତା ଓ ପ୍ରୋତ୍ସାହକଙ୍କ ମଧ୍ୟରୁ ଅନ୍ୟତମ ଯିଏ ଅନ୍ତର୍ଜାତୀୟସ୍ତରରେ ଫିଲ୍ମୀ ନିର୍ମାଣ, ବିତରଣ ଓ ପ୍ରୋତ୍ସାହନର ବିକଳ୍ପ ପନ୍ଥା ଅବଲମ୍ବନ କରି ଏକ ମାଇଲ୍ ଖୁଣ୍ଟ ସ୍ଥାପନା କରି ପାରିଛନ୍ତି । ଏହି ଦିଗରେ ତାଙ୍କର ଅବଦାନ ପାଇଁ ଶ୍ରୀ ମିଶ୍ରଙ୍କୁ ବିଦଶର ବହୁ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବକୁ ଲଗାତାର ଭାବେ ନିମନ୍ତ୍ରଣ ମିଳୁଛି ।