ଲକ୍ଷ୍ନୌ : ଉତ୍ତର ପ୍ରଦେଶର ଏସ୍ଟିଏଫ୍ ଏକ ଅବୈଧ ଟେଲିଫୋନ୍ ଏକ୍ସଚେଞ୍ଜ୍ର ପର୍ଦ୍ଦାଫାସ୍ କରିଛି । ଏହି ଟେଲିଫୋନ୍ ଏକ୍ସଚେଞ୍ଜ୍ର ହୱାଲା, ମୁଣ୍ଡ ଜାମିନ ଏବଂ ଜବରଦସ୍ତ ଚାନ୍ଦା ଆଦାୟ ପରି କାର୍ଯ୍ୟରେ ବ୍ୟବହାର କରାଯାଉଥିଲା । ୟୁପି ଏସ୍ଟିଏଫ୍ ଏହି ମାମଲାରେ ଝାଡ଼ଖଣ୍ଡର ଜଣେ ପୂର୍ବତନ ରଣ୍ଜୀ ଖେଳାଳିଙ୍କ ସମେତ ତିନିଜଣଙ୍କୁ ଗିରଫ କରିଛି । ଅଭିଯୁକ୍ତମାନେ ଭିଓଆଇପି କଲ୍କୁ ଲୋକାଲ୍ରେ ପରିବର୍ତ୍ତନ କରି ସିଫି ଡାଟା ସେଣ୍ଟର ନାମରେ ନୋଏଡ଼ାର ସେକ୍ଟର ୧୩୨ରେ ଜାଲ୍ କଲ୍ ସେଣ୍ଟର୍ ଭାବେ ଏହି ଅବୈଧ ଟେଲିଫୋନ୍ ଏକ୍ସଚେଞ୍ଜ୍ ଚଳାଉଥିଲେ ।
ଗିରଫ ଅଭିଯୁକ୍ତମାନେ ହେଲେ ଅଭିଷେକ ଶ୍ରୀବାସ୍ତବ, ଆଶୁତୋଷ ବୋରା ଏବଂ ମହମ୍ମଦ ସୋଏବ୍ । ପୂର୍ବତନ ରଣ୍ଜୀ ଖେଳାଳି ଅଭିଷେକ ରଣଜୀ ଟିମ୍ରେ ସାମିଲ କରାଇଦେବା ନାମରେ ଠକେଇ ଅଭିଯୋଗ ପୂର୍ବରୁ ମୁମ୍ବାଇରେ ଗିରଫ ହୋଇଥିଲେ । ଜେଲ୍ରେ ତାଙ୍କର ସାକ୍ଷାତ୍ ସୋନୁ ନାମକ ଜଣେ ବ୍ୟକ୍ତିଙ୍କ ସହିତ ହୋଇଥିଲା । ସୋନୁ ହିଁ ତାଙ୍କୁ ଅବୈଧ ଟେଲିଫୋନ୍ ଏକ୍ସଚେଞ୍ଜ୍ ଚଳାଇବା ଶିଖାଇଥିଲା । ଦୁବାଇରେ ଏହି ପ୍ରକାରର ଏକ ସର୍ଭର୍ ଚଳାଉଥିବା ମହମ୍ମଦ ଅଲି ସହିତ ସେଠାରେ ଅନ୍ୟତମ ଅଭିଯୁକ୍ତ ଆଶୁତୋଷର ସାକ୍ଷାତ ହୋଇଥିଲା ।
ମହମ୍ମଦ ଅଲି ନୋଏଡ଼ାରେ କଲ୍ ସେଣ୍ଟର୍ ସ୍ଥାପନରେ ଆଶୁତୋଷକୁ ସହାୟତା କରିଥିଲା । ଜେରା ବେଳେ ଆଶୁତୋଷ କହିଛି, ପ୍ରତି ମିନିଟ୍ ୨୫ ପଇସା ହିସାବରେ ମହମ୍ମଦ ଅଲି ଦୁବାଇରୁ ହାୱାଲା ଜରିଆରେ ତାକୁ ଅର୍ଥ ପଠାଉଥିଲା । କମ୍ପ୍ୟୁଟର ହାର୍ଡୱେୟାର୍ କୋର୍ସ କରିଥିବା ଉତ୍ତର ପ୍ରଦେଶ ମିର୍ଜାପୁର ନିବାସୀ ଅଭିଷେକଙ୍କୁ ୮୦ ହଜାର ଟଙ୍କା ଦରମାରେ ଆଶୁତୋଷ ଚାକିରିରେ ରଖି ଅବୈଧ କଲ୍ ସେଣ୍ଟର୍ ଦାୟିତ୍ୱ ଦେଇଥିଲା । ସେହିପରି ମହମ୍ମଦ ସୋଏବ୍କୁ ୪୦ ହଜାର ଟଙ୍କା ଦରମାରେ କେୟାର୍ଟେକର୍ ଭାବେ ରଖିଥିଲା ।