ନୂଆଦିଲ୍ଲୀ: ଚଳିତ ସପ୍ତାହରେ ଜାପାନର ହିରୋଶିମାରେ କ୍ୱାଡ୍ ଗ୍ରୁପ୍ର ନେତାଙ୍କ ବୈଠକ ଅନୁଷ୍ଠିତ ହେବାର ସମ୍ଭାବନା ରହିଛି । ଏହି ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଆମେରିକାର ରାଷ୍ଟ୍ର ଜୋ ବାଇଡେନ୍, ଜାପାନ ପ୍ରଧାନମନ୍ତ୍ରୀ ଫୁମିୟୋ କିଶିଦା ଏବଂ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆନ୍ଥୋନୀ ଆଲ୍ବନିଜ୍ ଭାଗନେବେ । ବିଦେଶ ସଚିବ ବିନୟ କ୍ୱାତ୍ରା ଗୁରୁବାର ଏହି ସୂଚନା ଦେଇଛନ୍ତି । ବିଦେଶ ସଚିବ କ୍ୱାତ୍ରା ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦୀ ମେ’ ୧୯ରେ ଜାପାନ ଗସ୍ତ କରି ଜାପାନୀ ସହର ହିରୋଶିମାରେ ଜି-୭ ବାର୍ଷିକ ଶିଖର ସମ୍ମେଳନରେ ଭାଗନେବେ ।
ସେ କହିଛନ୍ତି ପ୍ରଧାନମନ୍ତ୍ରୀଙ୍କ ଜାପାନ ଗସ୍ତ ଅବସରରେ କ୍ୱାଡ୍ ସମୂହର ନେତାଙ୍କ ବୈଠକ ଆୟୋଜିତ ହେବାର ଯୋଜନା ରହିଛି । ସୂଚନାଯୋଗ୍ୟ, ଆମେରିକାରେ ଉତ୍ପନ୍ନ ଗମ୍ଭୀର ଆର୍ଥିକ ସଙ୍କଟ ଉପରେ ଧ୍ୟାନ କେନ୍ଦ୍ରିତ କରିବା ଉଦ୍ଦେଶ୍ୟରେ ରାଷ୍ଟ୍ରପତି ଜୋ ବାଇଡେନ୍ ଅଷ୍ଟ୍ରେଲିଆ ଗସ୍ତ ସ୍ଥଗିତ କରିବା କାରଣରୁ ସିଡ୍ନୀରେ ପ୍ରସ୍ତାବିତ କ୍ୱାଡ୍ ଦେଶଙ୍କ ବୈଠକ ରଦ୍ଦ ହୋଇଥିଲା । ଏକ ପ୍ରଶ୍ନର ଉତ୍ତର ଦେଇ କ୍ୱାତ୍ରା କହିଛନ୍ତି, ଯେତେବେଳେ କ୍ୱାଡ୍ ସମୂହର ନେତାମାନେ ଭେଟନ୍ତି, ସେତେବେ ତାହା ହିଁ କ୍ୱାଡ୍ ବୈଠକ ହୋଇଥାଏ ।