ଭୁବନେଶ୍ୱର : ଯୁବତୀଙ୍କୁ ଏକତରଫା ପ୍ରେମ କରୁଥିଲା । ବାହା ହେବାକୁ ଏକପ୍ରକାର ପାଗଳ ହୋଇଉଠିଥିଲା । ମାତ୍ର ଯୁବତୀ ରାଜି ହେଲେନାହିଁ । ଶେଷରେ ରାଗିଗଲା ପାଗଳ ପ୍ରେମିକ । ବାଟରେ ଏକୁଟିଆ ଦେଖି ଯୁବତୀଙ୍କ ତଣ୍ଟି ଚିପିଦେଲା । ସୌଭାଗ୍ୟକୁ ସ୍ଥାନୀୟ ଲୋକମାନେ ଘେରିଯିବାରୁ ଯୁବତୀଜଣଙ୍କ ବର୍ତ୍ତିଗଲେ । ଏମିତି ଏକ ମାମଲାରେ ଭରତପୁର ଥାନା ଗିରଫ କରିଥିବା ଅଭିଯୁକ୍ତ ହେଉଛି ଘାଟିକିଆ ଅଞ୍ଚଳର ସତ୍ୟବ୍ରତ ବେହେରା(୨୩) । ଗତକାଲି ଅପରାହ୍ଣରେ ଯୁବତୀଜଣଙ୍କ ତାଙ୍କ ଘର ସମ୍ମୁଖରେ ବୁଲାବୁଲି କରୁଥିଲେ ।
ଏତିକିବେଳେ ଅଭିଯୁକ୍ତ ସତ୍ୟବ୍ରତ ସେଠାରେ ପହଞ୍ଚି ଯୁବତୀଙ୍କୁ ବାହା ହେବାକୁ କହିଥିଲା । ପୂର୍ବରୁ ସେ ଏମିତି ବହୁଥର ଯୁବତୀଙ୍କୁ ପ୍ରେମ ନିବେଦନ କରି ବିଫଳ ହୋଇଥିଲା । ଗତକାଲି ବି ସତ୍ୟବ୍ରତ କଥାରେ ଯୁବତୀ ରାଜି ହୋଇନଥିଲେ । ତେଣୁ ସତ୍ୟବ୍ରତ ରାଗି ଯାଇ ତାଙ୍କ ତଣ୍ଟିକୁ ଚିପି ଧରିଥିଲା । ଯୁବତୀ ଚିତ୍କାର କରିପାରି ନଥିଲେ । କିନ୍ତୁ ପାଖପଡ଼ୋଶୀମାନଙ୍କ ନଜର ପଡ଼ିଯିବା ପରେ ସେମାନେ ଘଟଣାସ୍ଥଳକୁ ଧାଇଁ ଆସିଥିଲେ । ସେମାନଙ୍କୁ ଦେଖି ସତ୍ୟବ୍ରତ ସେଠାରୁ ଫେରାର୍ ହୋଇଯାଇଥିଲା । ଏନେଇ ଯୁବତୀଙ୍କ ବାପା ଭରତପୁର ଥାନାରେ ଅଭିଯୋଗ କରିବା ପରେ ପୁଲିସ ସତ୍ୟବ୍ରତକୁ ଖୋଜିଥିଲା ଏବଂ ଏକ କଲ୍ୟାଣମଣ୍ଡପ ନିକଟରୁ ତାକୁ ଗିରଫ କରିଥିଲା ।