18.1 C
Bhubaneswar
Tuesday, November 26, 2024
Homeଦେଶ ବିଦେଶକର୍ଣ୍ଣାଟକ ନିର୍ବାଚନରୁ ବିଜେପିକୁ ଶିକ୍ଷା; ଅନ୍ୟ ୪ ରାଜ୍ୟ ପାଇଁ ବଦଳିବ ରଣନୀତି

କର୍ଣ୍ଣାଟକ ନିର୍ବାଚନରୁ ବିଜେପିକୁ ଶିକ୍ଷା; ଅନ୍ୟ ୪ ରାଜ୍ୟ ପାଇଁ ବଦଳିବ ରଣନୀତି

ନୂଆଦିଲ୍ଲୀ: କ୍ଷମତାରେ ଥାଇ ସୁଦ୍ଧା କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ ବିଜେପିକୁ ପରାଜୟର ସ୍ୱାଦ ଚାଖିବାକୁ ପଡିଛି । ୨୨୪ ଆସନ ବିଶିଷ୍ଟ କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ କଂଗ୍ରେସ ୧୩୫ଟି ଆସନ ସହ ଏକକ ସଂଖ୍ୟାଗରିଷ୍ଠତା ହାସଲ କରିଥିବାବେଳେ ବିଜେପିକୁ ୬୬ ଏବଂ ଜେଡିଏସ୍‌କୁ ୧୯ଟି ଆସନରେ ସନ୍ତୁଷ୍ଟ ହେବାକୁ ପଡିଛି । ଚଳିତବର୍ଷ ରାଜସ୍ଥାନ, ମଧ୍ୟପ୍ରଦେଶ, ଛତିଶଗଡ ଏବଂ ତେଲେଙ୍ଗାନାରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି ।

କର୍ଣ୍ଣାଟକ ପରାଜୟରୁ ବିଜେପିକୁ ଶିକ୍ଷା ମିଳିଛି । ତେଣୁ ଉପରୋକ୍ତ ଚାରି ରାଜ୍ୟର ନିର୍ବାଚନରେ ବିଜେପି ଭିନ୍ନ ରଣନୀତି ଅବଲମ୍ବନ କରିବ ବୋଲି ଦଳର ଜଣେ ବରିଷ୍ଠ ନେତା ସଙ୍କେତ ଦେଇଛନ୍ତି । କର୍ଣ୍ଣାଟକରେ ଜାତିପ୍ରଥାକୁ ବିଜେପି ଅଣଦେଖା କରିବା ଏବଂ ତୁଙ୍ଗ ନେତାଙ୍କୁ ଅସନ୍ତୁଷ୍ଟ କରିଥିବାରୁ ତାହାର ପରିଣାମ ଭୋଗିଛି । ବି.ଏସ.ୟେଦୁରପ୍ପାଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ହଟାଇବା ଏବଂ ଜଗଦୀଶ ଶେଟ୍ଟାର ଓ ଲକ୍ଷ୍ମଣ ସଦାଭିଙ୍କୁ ଦଳୀୟ ଟିକଟରୁ ବଞ୍ଚି କରାଯାଇଥିବାରୁ କର୍ଣ୍ଣାଟକରେ ଲିଙ୍ଗାୟତ ସଂପ୍ରଦାୟ କଂଗ୍ରେସ ଆଡକୁ ଢଳିଥିଲେ ।

ତେଣୁ ଏହି ଚାରିଟି ରାଜ୍ୟରେ ପ୍ରାର୍ଥୀ ତାଲିକା ପ୍ରସ୍ତୁତି ସମୟରେ ଦଳ ଜାତି ଭିତ୍ତିରେ ଟିକଟ ବଣ୍ଟନ କରିବ ବୋଲି ସଂପୃକ୍ତ ନେତା କହିଛନ୍ତି । ଆବଶ୍ୟତ ପଡିଲେ ସଂପୃକ୍ତ ରାଜ୍ୟର ଛୋଟ ଛୋଟ ଦଳ ସହ ପ୍ରାକ୍ ନିର୍ବାଚନୀ ମେଣ୍ଟ କରିବାକୁ ମଧ୍ୟ ବିଜେପି ଚିନ୍ତା କରୁଥିବା ସେ କହିଛନ୍ତି । ଉପରୋକ୍ତ ଚାରିଟି ରାଜ୍ୟ ମଧ୍ୟରୁ କେବଳ ମଧ୍ୟପ୍ରଦେଶରେ ବିଜେପି କ୍ଷମତାରେ ରହିଥିବାବେଳେ ରାଜସ୍ଥାନ, ଛତିଶଗଡରେ କଂଗ୍ରେସ ଏବଂ ତେଲେଙ୍ଗାନାରେ ବିଆର୍‌ଏସ୍ (ଭାରତ ରାଷ୍ଟ୍ର ସମିତି) ସରକାର ଚଳାଉଛନ୍ତି । ତେଣୁ ରାଜସ୍ଥାନ, ଛତିଶଗଡ ଓ ତେଲେଙ୍ଗାନାରେ ସରକାର ଗଠନ କରିବାକୁ ହେଲେ ସ୍ୱତନ୍ତ୍ର ରଣନୀତି ଅବଲମ୍ବନ କରାଯିବା ଜରୁରୀ ବୋଲି ସେ କହିଛନ୍ତି ।

ଟିକଟ ବଣ୍ଟନ ସମୟରେ କେନ୍ଦ୍ର୍ରୀୟ କମିଟି କିମ୍ବା ସଂପୃକ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ କିମ୍ବା ମୁଖ୍ୟମନ୍ତ୍ରୀ ପ୍ରାର୍ଥୀଙ୍କ ମତାମତ ଅପେକ୍ଷା ସ୍ଥାନୀୟ ନେତାଙ୍କ ମତାମତକୁ ଅଧିକ ଗୁରୁତ୍ୱ ଦେବାକୁ ବିଜେପି ଚିନ୍ତା କରୁଛି । କର୍ଣ୍ଣାଟକରେ ଏହି ରଣନୀତି କଂଗ୍ରେସକୁ ଫାଇଦା ପହଞ୍ଚାଇଛି । ବିଶେଷକରି ରାଜସ୍ଥାନ ଓ ମଧ୍ୟପ୍ରଦେଶରେ ଦଳୀୟ ନେତାଙ୍କ ମଧ୍ୟରେ ସହଯୋଗର ଅଭାବ ବିଜେପି ହାଇକମାଣ୍ଡଙ୍କୁ ବର୍ତ୍ତମାନ ଅଡୁଆ ସ୍ଥିତିରେ ପକାଉଛି । ମଧ୍ୟପ୍ରଦେଶରେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ୱାନଙ୍କୁ ସାମନାରେ ରଖି ଦଳ ନିର୍ବାଚନ ଲଢିବ । ତେବେ ଜ୍ୟୋତିରାଦିତ୍ୟ ସିନ୍ଧିଆ, ନରେନ୍ଦ୍ର ସିଂହ ତୋମାର ଏବଂ ବି.ଡି.ଶର୍ମାଙ୍କ ଭଳି ଅନ୍ୟ ନେତାଙ୍କ ମତାମତକୁ ମଧ୍ୟ ସମାନ ଗୁରୁତ୍ୱ ଦିଆଯିବ ବୋଲି ସେ କହିଛନ୍ତି ।

୨୦୨୦ରେ ସିନ୍ଧିଆଙ୍କ ନେତୃତ୍ୱରେ ୨୦ ଜଣ କଂଗ୍ରେସ ବିଧାୟକ ବିଜେପିକୁ ଲମ୍ଫପ୍ରଦାନ କରିବାରୁ କମଲନାଥ ସରକାରର ପତନ ଘଟିଥିଲା । ସେହିପରି ରାଜସ୍ଥାନରେ ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ସିନ୍ଧିଆଙ୍କ ନେତୃତ୍ୱକୁ ଅଧିକାଂଶ ଦଳୀୟ ନେତା ଓ କର୍ମୀ ପସନ୍ଦ କରୁନାହାନ୍ତି । ଏହି ପରିପ୍ରେକ୍ଷୀରେ କିରୋଡିଲାଲ ମୀନା, ଗଜେନ୍ଦ୍ର ସିଂହ ଶେଖାୱତ୍‌, ସତୀଶ ପୁନିଆଙ୍କ ମତାମତକୁ ଗୁରୁତ୍ୱ ଦିଆଯିବ । ଛତିଶଗଡରେ ପୂର୍ବତନ ମୁଖ୍ୟମନ୍ତ୍ରୀ ରମଣ ସିଂହଙ୍କ ସମେତ ବ୍ରିଜମୋହନ ଅଗ୍ରୱାଲ, ଅରୁଣ ସାଓଙ୍କ ଭଳି ନେତା ମଧ୍ୟ ପ୍ରାଧାନ୍ୟ ପାଇବେ । ତେଲେଙ୍ଗାନାରେ ଜି.କିଶନ ରେଡ୍ଡି, ବାନ୍ଦି ସଞ୍ଜୟ ଏବଂ ଇ.ରାଜେନ୍ଦ୍ରନଙ୍କ ନେତୃତ୍ୱକୁ ବିଜେପି ଭରସା କରିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking