20.1 C
Bhubaneswar
Thursday, December 5, 2024
Homeଦେଶ ବିଦେଶଆଜି କର୍ଣ୍ଣାଟକରେ ଭୋଟ୍ ଗଣତି; ୨୬୧୫ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା

ଆଜି କର୍ଣ୍ଣାଟକରେ ଭୋଟ୍ ଗଣତି; ୨୬୧୫ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା

ବେଙ୍ଗାଲୁରୁ : କର୍ଣ୍ଣାଟକ ବିଧାନସଭା ପାଇଁ ଗତ ୧୦ ତାରିଖରେ ହୋଇଥିବା ଭୋଟ୍‌ର ଗଣତି ଆସନ୍ତାକାଲି (ଶନିବାର) କରାଯିବ । ରାଜ୍ୟର ୩୬ଟି କେନ୍ଦ୍ରରେ ସକାଳ ୮ଟାରୁ ଏହି ଭୋଟ୍ ଗଣତି ଆରମ୍ଭ ହେବ । ଫଳାଫଳ ଅପରାହ୍ଣ ସୁଦ୍ଧା ଆସିବାକୁ ଲାଗିବ ବୋଲି ନିର୍ବାଚନ ଅଧିକାରୀମାନେ ଆଶାବ୍ୟକ୍ତ କରିଛନ୍ତି ।

ଗତ ୧୦ ତାରିଖରେ ରାଜ୍ୟ ବିଧାନସଭାର ୨୨୪ ଆସନ ପାଇଁ ହୋଇଥିବା ନିର୍ବାଚନରେ ୭୩.୧୯ ପ୍ରତିଶତ ମତଦାନ ହୋଇଥିଲା; ଯାହା ୨୦୧୮ ତୁଳନାରେ ଏକ ପ୍ରତିଶତ ଅଧିକ ବୋଲି ନିର୍ବାଚନ କମିଶନ ସୂତ୍ରରୁ ଜଣାପଡ଼ିଛି । ୧୦ ତାରିଖର ଭୋଟ୍‌ଦାନ ପରେ ସନ୍ଧ୍ୟାରେ କରାଯାଇଥିବା ୧୦ଟି ଏକ୍‌ଜିଟ୍ ପୋଲ୍ ମଧ୍ୟରୁ ୪ଟି କଂଗ୍ରେସ ରାଜ୍ୟରେ ସରକାର ଗଠନ କରିବ ବୋଲି ଦାବି କରାଯାଇଛି । ଗୋଟିଏ ଏକ୍‌ଜିଟ୍ ପୋଲ୍ ବିଜେପି ସପକ୍ଷରେ ମତ ଦେଇଥିବା ବେଳେ ୫ଟି ପୋଲ୍‌ରେ ଝୁଲା ବିଧାନସଭାର ଆଶଙ୍କା ବ୍ୟକ୍ତ କରାଯାଇଛି ।

ରାଜ୍ୟରେ ମୋଟ ଭୋଟର୍‌ଙ୍କ ସଂଖ୍ୟା ୫.୩୧ କୋଟି ଥିବାବେଳେ ଚଳିତ ନିର୍ବାଚନରେ ୨୬୧୫ ପ୍ରାର୍ଥୀ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି । ସେମାନଙ୍କ ଭାଗ୍ୟର ଫଳାଫଳ ଆସନ୍ତାକାଲି ପ୍ରକାଶ ପାଇବ । ଲଢ଼େଇ ମୁଖ୍ୟତଃ କ୍ଷମତାସୀନ ବିଜେପି, କଂଗ୍ରେସ ଓ ଜେଡିଏସ୍ ମଧ୍ୟରେ ହୋଇଛି । ଚଳିତ ନିର୍ବାଚନରେ ବିଜେପି ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମେତ ପାର୍ଟିର ବରିଷ୍ଠ ନେତାମାନେ ରାଜ୍ୟରେ ସାଢ଼େ ଚାରିଶହରୁ ଅଧିକ ରାଲି କରିଛନ୍ତି ।

୧୦୦ରୁ ଊର୍ଦ୍ଧ୍ୱ ରୋଡ୍ ଶୋ’ ମଧ୍ୟ ପାର୍ଟି କରିଛି । ସ୍ୱୟଂ ପ୍ରଧାନମନ୍ତ୍ରୀ କର୍ଣ୍ଣାଟକରେ ଦୁଇଦିନ ରହି ରୋଡ୍ ଶୋ’ ଓ ଜନସଭାରେ ଭାଗ ନେଇଥିଲେ । ଅନ୍ୟପକ୍ଷରେ ରାହୁଲ, ପ୍ରିୟଙ୍କା ଓ ସୋନିଆ ଗାନ୍ଧୀ ୩୧ରୁ ଊର୍ଦ୍ଧ୍ୱ ଜନସଭା କରିଥିଲେ । ଚଳିତ ଥର ଝୁଲା ବିଧାନସଭା ହେଲେ ସରକାର ଗଠନରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଏଚ୍‌ଡି କୁମାରସ୍ୱାମୀଙ୍କ ନେତୃତ୍ୱାଧୀନ ଜେଡିଏସ୍ କିଙ୍ଗ୍‌ମେକର୍ ହେବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking