ଆହ୍ଲାବାଦ: ଜ୍ଞାନବାପି ମସ୍ଜିଦ୍ ଓ କାଶୀ ବିଶ୍ୱନାଥ ମନ୍ଦିର ବିବାଦ ମାମଲାରେ ଆହ୍ଲାବାଦ ହାଇକୋର୍ଟ ଶୁକ୍ରବାର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଶୁଣାଇଛନ୍ତି । ଜ୍ଞାନବାପି ମସ୍ଜିଦ୍ରେ ସର୍ଭେ ବେଳେ ମିଳିଥିବା କଥିତ ଶିବଲିଙ୍ଗର କାର୍ବନ୍ ଡେଟିଂ କରାଇବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏହା ସହିତ ହାଇକୋର୍ଟ ବାରାଣସୀ ଜିଲ୍ଲା ଜଜ୍ କୋର୍ଟଙ୍କ ଆଦେଶକୁ ଖାରଜ କରିଦେଇଛନ୍ତି ।
ଏହି ଆଦେଶରେ ଜିଲ୍ଲା ଜଜ୍ କାର୍ବନ୍ ଡେଟିଂ ଦାବିରେ ହୋଇଥିବା ଆବେଦନକୁ ଖାରଜ କରିଦେଇଥିଲେ । କୋର୍ଟ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ବିଭାଗ (ଏଆଇଏସ୍)କୁ ଶିବଲିଙ୍ଗକୁ ଖଣ୍ଡିତ କରିବା ବିନା ଏହାର ବୈଜ୍ଞାନିକ ଯାଞ୍ଚ୍ କରିବାକୁ କହିଛନ୍ତି । ହାଇକୋର୍ଟଙ୍କ ଜଷ୍ଟିସ୍ ଅରବିନ୍ଦ କୁମାର ମିଶ୍ରଙ୍କ ଖଣ୍ଡପୀଠ ଏଏସ୍ଆଇ ରିପୋର୍ଟ ଆଧାରରେ କଥିତ ଶିବଲିଙ୍ଗର ବୈଜ୍ଞାନିକ ଯାଞ୍ଚ୍ ପାଇଁ ଆଦେଶ ଦେଇଛନ୍ତି । ଅସଲରେ ସୁପ୍ରିମ୍କୋର୍ଟଙ୍କ ଯଥାସ୍ଥିତି ବଜାୟ ରଖିବା ଆଦେଶ କାରଣରୁ କାର୍ବନ ଡେଟିଂ ଯାଞ୍ଚ୍ ପାଇଁ ବାରାଣସୀ ଜିଲ୍ଲା ଜଜ୍କୋର୍ଟ ମନାକରିଦେଇଥିଲେ । ଏହାକୁ ହାଇକୋର୍ଟରେ ଚ୍ୟାଲେଞ୍ଜ୍ କରାଯାଇଥିଲା ।
ଏହି ଶିବଲିଙ୍ଗ ୨୦୨୨ ମେ’ ୧୬ ତାରିଖରେ ଜ୍ଞାନବାପି ପରିସରରେ ଥିବା ବୁଜୁଖାନାରୁ ମିଳିଥିଲା । ବାରାଣସୀ ଜିଲ୍ଲା ଜଜ୍ କାର୍ବନ୍ ଡେଟିଂ ଦାବିରେ ହୋଇଥିବା ଆବେଦନକୁ ଖାରଜ କରିଦେଇଥିଲେ । ୨୦୨୨ ଅକ୍ଟୋବାର ୧୪ରେ ଜିଲ୍ଲା ଜଜ୍ଙ୍କ ଆଦେଶକୁ ହାଇକୋର୍ଟରେ ଚ୍ୟାଲେଞ୍ଜ୍ କରାଯାଇଥିଲା । ଆବେଦନକାରୀ ଲକ୍ଷ୍ମୀ ଦେବୀ, ସୀତା ସାହୁ, ମଞ୍ଜୁ ବ୍ୟାସ ଏବଂ ରେଖା ପାଠକଙ୍କ ପକ୍ଷରୁ ଏହି ସିଭିଲ୍ ରିଭିଜନ୍ ଦାଖଲ କରାଯାଇଥିଲା । ଦୁଇ ପକ୍ଷଙ୍କ ଯୁକ୍ତି ଶୁଣିବା ପରେ କୋର୍ଟ ଏହାକୁ ସ୍ୱୀକାର କରିବା ସହିତ ନିଷ୍ପତ୍ତି ଦେଇଛନ୍ତି । ସାଇଣ୍ଟିଫିକ୍ ସର୍ଭେ ଜରିଆରେ କଥିତ ଶିବଲିଙ୍ଗ କେତେ ପୁରୁଣା ଏବଂ ଏହା ବାସ୍ତବରେ ଶିବଲିଙ୍ଗ କି ନୁହେଁ ତାହା ଜଣାପଡ଼ିବ । ଏହି ମାମଲାରେ ଏଏସ୍ଆଇ ଗୁରୁବାର ସିଲ୍ ବନ୍ଦ ଲଫାପାରେ ନିଜର ରିପୋର୍ଟ କୋର୍ଟରେ ଦାଖଲ କରିଥିଲା ।
ଏହା ପୂର୍ବରୁ ମାର୍ଚ୍ଚ ୨୦ରେ ହୋଇଥିବା ଶୁଣାଣି ବେଳେ ଶିବଲିଙ୍ଗର କ୍ଷତି ବିନା କାର୍ବନ୍ ଡେଟିଂ ଯାଞ୍ଚ୍ କରାଯାଇ ପାରିବ କି ନାହିଁ ବୋଲି କୋର୍ଟ ଏଏସ୍ଆଇକୁ ପଚାରିଥିଲେ । ଅବେଦନକାରୀ ପକ୍ଷର ଓକିଲ ବିଷ୍ଣୁ ଶଙ୍କର ଜୈନ କହିଛନ୍ତି, ଏହି ଯାଞ୍ଚ୍ ମାଧ୍ୟମରେ ଶିବଲିଙ୍ଗର ବୟସ ସମ୍ପର୍କରେ ଜଣାପଡ଼ିବ । ମାତ୍ର ଏବେ ସୁଦ୍ଧା ଏଏସ୍ଆଇ ହାଇକୋର୍ଟରେ କୌଣସି ଜବାବ ଦାଖଲ କରିନାହିଁ । ଏଥିରେ କୋର୍ଟ ଅସନ୍ତୋଷ ବ୍ୟକ୍ତ କରିବା ସହିତ ଜବାବ ଦାଖଲ ପାଇଁ ଏଏସ୍ଆଇକୁ ଅନ୍ତିମ ସୁଯୋଗ ଦେଇଥିଲେ ।