ନୂଆଦିଲ୍ଲୀ: ଆଗକୁ ବଢିପାରେ ଚିନି ମୂଲ୍ୟ । କାରଣ ଚିନି ଉତ୍ପାଦନରେ ହ୍ରାସ ଦେଖା ଦେବ ବୋଲି ଆଶଙ୍କା କରାଯାଇଛି । ୨୦୨୨-୨୩ ଆର୍ôଥକ ବର୍ଷ ଶେଷରେ ଚିନି ଉତ୍ପାଦନ ହ୍ରାସ ହେବ ବୋଲି ନ୍ୟାସ୍ନାଲ ଫେଡେରେସନ ଅଫ୍ କୋଅପରେଟିଭ୍ ଫେଡେରେସନ(ଏନ୍ଏଫ୍ସିଏସ୍ଏଫ୍) ଅନୁମାନ କରିଛି । ପୂର୍ବରୁ ଚଳିତ ବର୍ଷରେ ଚିନି ଉତ୍ପାଦନ ୩.୫୫କୋଟି ଟନ୍ ହେବାର ଆକଳନ କରାଯାଇଥିଲା ହେଲେ ଏବେ ଉତ୍ପାଦନରେ ହ୍ରାସ ହୋଇ ୩.୨୭ କୋଟି ଟନ୍ ହେବ ବୋଲି ଏନ୍ଏଫ୍ସିଏସ୍ଏଫ୍ କହିଛି । ୨୦୨୧-୨୨ ବର୍ଷ ଠାରୁ ଚଳିତ ବର୍ଷ ତିନି ଉତ୍ପାଦନରେ ୯ ପ୍ରତିଶତ ହ୍ରାସ ହେଇପାରେ । ୨୦୨୧-୨୨ରେ ଚିନ ଉତ୍ପାଦନ ୩.୫୯ କୋଟି ଟନ ଥିଲା । ଏଥର ମାତ୍ର ୩.୨୭ କୋଟି ଟନ୍ ହେବ ବୋଲି ଆକଳନ କରାଯାଉଛି। ଏନ୍ଏଫ୍ସିଏସ୍ଏଫ୍ର ସୂଚନା ଅନୁସାରେ, ଚଳିତ ବର୍ଷ ଏପ୍ରିଲ ୩୦ ସୁଦ୍ଧା ଦେଶରେ ୫୩୧ ଚିନି ମିଲ୍ରେ ୩ କୋଟି ୨୦.୩ ଲକ୍ଷ ଟନ ଚିନ ଉତ୍ପାଦନ ହୋଇସାରିଛି । ଦେଶରେ ୫୩୧ ମିଲ୍ ମଧ୍ୟରେ ୬୭ ମିଲ୍ ଏବେ ଚାଲୁଅଛି ।
ଏନ୍ଏଫ୍ସିଏସ୍ଏଫ୍ ଅଧ୍ୟକ୍ଷ ଜୟପ୍ରକାଶ ଦାଣ୍ଡେଗାଓଁକର କହିଛନ୍ତି ଯେ ବର୍ତ୍ତମାନର ଉତ୍ପାଦନକୁ ହାରକୁ ଦେଖିଲେ ଲାଗୁଛି ଯେ ମେ ମାସ ସୁଦ୍ଧା ଚିନି ଉତ୍ପାଦନ ୩.୨୭ କୋଟି ଟନ ହେବ ବୋଲି ଅନୁମାନ ରହିଛି । ଏହା ବାଦ ୪୫ ଲକ୍ଷ ଟନ ଚିନି ଶିରାଖୁ ଇଥାନଲ ଉତ୍ପାଦନ ପାଇଁ ବ୍ୟବହାର କରାଯିବ ବୋଲି ଅନୁମାନ କରାଯାଉଛି । ଦେଶରେ ଚଳିତ ବର୍ଷର ଆଖୁ ଓ ଚିନି ଉତ୍ପାଦନକୁ ହିସାବ କରି ଏନ୍ଏଫ୍ସିଏସ୍ଏଫ୍ ଏହି ଆକଳନ କରିଛି ବୋଲି ଜୟପ୍ରକାଶ କହିଛନ୍ତି । ଏପଟେ ଯଦି ଚିନିର ମୂଲ୍ୟକୁ ଦେଖିବା ତେବେ ଗତ ମାସକରେ ଚିନ ମୂଲ୍ୟରେ କେଜି ପ୍ରତି ୧.୫୦ ଟଙ୍କା ବୃଦ୍ଧି ପାଇଛି। ମାସକ ପୂର୍ବରୁ ଚିନ ୪୧ ଟଙ୍କାର ମିଳୁଥିବା ବେଳେ ବର୍ତ୍ତମାନ ଚିନ ମୂଲ୍ୟ ୪୨.୫୦ ଟଙ୍କାରେ ମିଳୁଛି । ଖୁଚୁରା ବଜାରରେ ବି ଚିନି ମୂଲ୍ୟରେ ବୃଦ୍ଧି ଦେଖିବାକୁ ମିଳିଛି । ଆଉ ଚିନିର ମୂଲ୍ୟ ବଢିବା ମାନେ ବିସ୍କୁଟ୍ ଠାରୁ ଆରମ୍ବ କରି ଚୋକୋଲେଟ, କୋଲ୍ଡ ଡ୍ରିଙ୍ଗ୍ସ ଓ ମିଠା ଭଳି ଖାଦ୍ୟ ସାମଗ୍ରୀର ମୂଲ୍ୟ ବି ବଢ଼ିବ ।