ବେଙ୍ଗାଲୁରୁ: କର୍ଣ୍ଣାଟକ ନିର୍ବାଚନ ପାଇଁ ଆଉ କିଛି ଦିନ ବାକି ରହିଥିବାବେଳେ ରାଜ୍ୟର ବିଭିନ୍ନ ସ୍ଥାନରୁ ୩୦୫ କୋଟିର ନଗଦ ଟଙ୍କା ଓ ସାମଗ୍ରୀ ଜବତ ହୋଇଛି ବୋଲି ନିର୍ବାଚନ କମିଶନଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ମାର୍ଚ୍ଚ ୨୯ରୁ ରାଜ୍ୟରେ ନିର୍ବାଚନ ଆଚରଣ ବିଧି ଲାଗୁ କରାଯାଇଛି ।
ତା’ପରଠାରୁ ଚଢଉ କରାଯାଇ ନଗଦ ଟଙ୍କା ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରାଯାଇଥିବା କୁହାଯାଇଛି । ଏଥିମଧ୍ୟରେ ନଗଦ ୧୧୦ କୋଟି ଟଙ୍କା, ୭୪ କୋଟି ଟଙ୍କାର ବିଦେଶୀ ମଦ, ୮୧ କୋଟି ଟଙ୍କାର ସ୍ୱର୍ଣ୍ଣାଳଙ୍କାର, ୧୮ କୋଟି ଟଙ୍କାର ଡ୍ରଗ୍ସ ଏବଂ ୨୨ କୋଟି ଟଙ୍କାର ମାଗଣା ବଣ୍ଟାଯିବାକୁ ଥିବା ସାମଗ୍ରୀ ସାମିଲ ଥିବା ଜଣାପଡିଛି । ଏ ପ୍ରସଙ୍ଗରେ ୨୩୪୬ଟି ଏତଲା ଦାଏର କରାଯାଇଛି ବୋଲି ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ସୂଚନା ଦେଇଛନ୍ତି ।