ବାଲେଶ୍ୱର: ସୋର ପୌରପାଳିକା ଅନ୍ତର୍ଗତ ମୋବାରକପୁର ଗ୍ରାମରେ ଜଣେ ଭଉଣୀ ଘରେ ଭାଇର ସନ୍ଦେହ ଜନକ ମୃତ୍ୟୁ ହୋଇଯାଇଛି । ଜମିଜମା ବିବାଦକୁ ନେଇ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ଅଭିଯୋଗ ଅନୁସାରେ ପୌରପାଳିକା ଅନ୍ତର୍ଗତ ନଛିପୁରଗଞ୍ଜ ଗ୍ରାମର ପ୍ରଭାକର ପ୍ରଧାନ (୫୯)ଙ୍କ ସହ ତାଙ୍କ ଭଉଣୀ ମୋବାରକପୁର ଗ୍ରାମର କ୍ଷେତ୍ରମଣି ନାୟକଙ୍କ ସହିତ ଜମିବାଡ଼ି ବିବାଦ ରହିଥିଲା । ଗତ ଏକ ମାସ ପୂର୍ବରୁ କ୍ଷେତ୍ରମଣି ପ୍ରଭାକରଙ୍କ ପରିବାର ଲୋକଙ୍କ ଅଗୋଚରରେ ତାଙ୍କୁ ଆଣି ଘରେ ରଖିଥିଲେ ।
ଏ ବାବଦରେ ଜାଣିବା ପରେ ପ୍ରଭାକରଙ୍କ ସ୍ତ୍ରୀ ସ୍ୱର୍ଣ୍ଣଲତା ଏବଂ ତାଙ୍କ ପୁଅ କ୍ଷେତ୍ରମଣିଙ୍କ ଘରେ ପହଞ୍ଚି ତାଙ୍କୁ ନେବା ପାଇଁ ଚାହିଁଥିଲେ । କିନ୍ତୁ ଦୀର୍ଘଦିନ ପରେ ଭାଇ ଆସିଥିବାରୁ ଆଉ କିଛିଦିନ ରହି ଯିବ ବୋଲି କହି ମା’ ପୁଅଙ୍କୁ ଫେରାଇ ଦେଇଥିଲେ । ବୁଧବାର ରାତିରେ କ୍ଷେତ୍ରମଣିଙ୍କ ଘରେ ପ୍ରଭାକରର ସନ୍ଦେହ ଜନକ ମୃତ୍ୟୁ ହୋଇଛି । କ୍ଷେତ୍ରମଣି ଗୁରୁବାର ମଧ୍ୟାହ୍ନରେ ସ୍ୱର୍ଣ୍ଣଲତାଙ୍କୁ ଫୋନ୍ କରି ପ୍ରଭାକରର ମୃତ୍ୟୁ ହୋଇଯାଇଥିବା କହିଥିଲେ ।
କିନ୍ତୁ ମୋବାରକପୁରରୁ ନଛିପୁରଗଞ୍ଜ ଗ୍ରାମ ମଧ୍ୟରେ ଦୂରତା ବହୁତ କମ୍ ହୋଇଥିବା ବେଳେ ଗତକାଲି ରାତିରେ ପ୍ରଭାକରର ମୃତ୍ୟୁ ହୋଇଯାଇଥିବା ବେଳେ ଆଜି ମଧ୍ୟାହ୍ନରେ କ୍ଷେତ୍ରମଣି ପରିବାର ଲୋକଙ୍କୁ ସୂଚନା ଦେବା ଘଟଣା ସାଧାରଣରେ ସହଜରେ ଗ୍ରହଣୀୟ ହୋଇପାରିନାହିଁ । ଫଳରେ ପ୍ରଭାକରଙ୍କ ସ୍ତ୍ରୀ ସ୍ୱର୍ଣ୍ଣଲତା ସ୍ୱାମୀଙ୍କୁ ହତ୍ୟା କରାଯାଇଥିବା ନେଇ ଅଭିଯୋଗ କରିଛନ୍ତି । ଅଭିଯୋଗ ପାଇ ସୋର ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୋଗ ମୂଳେ ଏକ ମାମଲା ରୁଜୁ କରି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ସୋର ମେଡିକାଲକୁ ପଠାଇବା ସହିତ ଘଟଣାର ତଦନ୍ତ ଆରମ୍ଭ କରିଛି ।