ବାରିପଦା : ରାଇରଙ୍ଗପୁର ପୌରାଞ୍ଚଳର ୭ ନମ୍ବର ୱାର୍ଡର ଡମ୍ବରୁଧର ମହାନ୍ତି ଓରଫ୍ ଭିକି(୩୫) ଗତ ମାର୍ଚ୍ଚ ମାସ ୨୦ ତାରିଖରେ ନିଖୋଜ ଥିଲେ । ଏନେଇ ଭିକିର ପତ୍ନୀ ଇନୁଶ୍ରୀ ମହାନ୍ତି ଏପ୍ରିଲ୍ ୧୩ ତାରିଖରେ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଏହାକୁ ନେଇ ଜିଲ୍ଲା ଆରକ୍ଷୀଙ୍କ ନିର୍ଦ୍ଦେଶକ୍ରମେ ରାଇରଙ୍ଗପୁର ଏସ୍ଡିପିଓ ଗୋକୁଳାନନ୍ଦ ସାହୁ ଏବଂ ଟାଉନଥାନା ଆଇଆଇସି ସ୍ୱର୍ଣ୍ଣଲତା ମିଂଜ ଏବଂ ୮ ଜଣିଆ ପୁଲିସ ବାହିନୀ ଘଟଣାକୁ ଅତି ଗୁରୁତର ସହ ନେଇ ତଦନ୍ତ ଆରମ୍ଭ କରିଥିଲେ ।
ଭିକିର ଫୋନ୍କୁ ଟ୍ରାକିଂ କରି ରାଇରଙ୍ଗପୁର ପୁଲିସ ଏବଂ ଜାମସେଦପୁର ସୋନାରି ପୁଲିସ ସୋନାରି ଅଞ୍ଚଳର ଜନୈକ ମହିଳା ଖୁସୁବୁ ସାଗର ଘରେ ପହଞ୍ଚି ଥିଲା । ସେଠାରେ ଖୁସୁବୁ ଏବଂ ତାଙ୍କର ସ୍ୱାମୀ କମଳାକାନ୍ତ ସାଗରକୁ ଅଟକ ରଖି ପଚରାଉଚରା କରିବାରୁ ସତ ଓଗାଳି ଥିଲେ । ସେମାନେ ମାର୍ଚ୍ଚ ୨୧ ତାରିଖ ଦିନ ଭିକିକୁ ତାଙ୍କ ବାସ ଭବନରେ ମଦରେ ନିଶା ଔଷଧ ଦେଇ ଚେତାଶୂନ୍ୟ କରାଇ ଛୁରୀରେ ହତ୍ୟା କରିଥିଲେ । ପରେ ମୁଣ୍ଡ, ଗଣ୍ଡି, ହାତଗୋଡ଼କୁ ଧାରୁଆ ଅସ୍ତ୍ରରେ ଖଣ୍ଡ ବିଖଣ୍ଡିତ କରିଥିଲେ । ପରେ ପଲିଥିନରେ ପୁରାଇ ନାଲିଆ ଟ୍ରଲି ବ୍ୟାଗ୍ ସମେତ ୪ଟି ଟ୍ରଲି ବ୍ୟାଗ୍ରେ ଖଣ୍ଡ ବିଖଣ୍ଡିତ ଶରୀରକୁ ଭର୍ତ୍ତି କରିଥିଲେ ।
ପରେ ମାର୍ଚ୍ଚ ୨୨/୨୩ ତାରିଖରେ ବାଇକ୍ ସାହାଯ୍ୟରେ ଜାମସେଦପୁରର ପୂର୍ବ ସିଂହଭୂମ ଜିଲ୍ଲାର ବଡାମ ଥାନା ଅନ୍ତର୍ଗତ ଥନ ଥନ ଘାଟି, ଜାମବଣି, କମଲପୁର ଅଞ୍ଚଳର ରାଞ୍ଚି ରୋଡ୍ରେ ନିଛାଟିଆ ସ୍ଥାନରେ ଫୋପାଡି ଥିବା ସ୍ୱିକାର କରିଥିଲେ । ରାଇରଙ୍ଗପୁର ପୁଲିସ, ସାଇଣ୍ଟିଫିକ ଟିମ୍, ସୋନାରି ପୁଲିସ ଉଭୟ ଦମ୍ପତିକୁ ସାଙ୍ଗରେ ନେଇ ଉକ୍ତ ଟ୍ରଲି ବ୍ୟାଗ୍କୁ ଉଦ୍ଧାର କରି ଭିକିର ଖଣ୍ଡବିଖଣ୍ଡିତ ଶରୀରକୁ ଚିହ୍ନଟ ସହ ଉଦ୍ଧାର କରିଥିଲେ । ମୃତ ଶରୀରକୁ ବାରିପଦାର ପିଆର୍ଏମ୍ ହସ୍ପିଟାଲରେ ଶବ ବ୍ୟବଚ୍ଛେଦ କରାଇ ପରିବାରବର୍ଗଙ୍କୁ ହସ୍ତାନ୍ତର କରିଛି ।