26.1 C
Bhubaneswar
Tuesday, October 22, 2024
Homeଆଇପିଏଲ୍‌-୨୦୨୩ଆଇପିଏଲ୍‌: ଚେନ୍ନାଇକୁ ୩୨ ରନ୍‌ରେ ହରାଇଲା ରାଜସ୍ଥାନ

ଆଇପିଏଲ୍‌: ଚେନ୍ନାଇକୁ ୩୨ ରନ୍‌ରେ ହରାଇଲା ରାଜସ୍ଥାନ

ଜୟପୁର: ଚଳିତ ଆଇପିଏଲ୍‌ରେ ଗୁରୁବାର ଏଠାକାର ସୱାଇ ମାନସିଂହ ଷ୍ଟାଡିୟମ୍‌ଠାରେ ଘରୋଇ ରାଜସ୍ଥାନ ରୟାଲ୍ସ ୩୨ ରନ୍‌ରେ ବିଜୟୀ ହୋଇଛି। ସଂସ୍କରଣର ଏହି ୩୭ତମ ମ୍ୟାଚ୍‌ରେ ଦଳର ମୁକାବିଲା ଚେନ୍ନାଇ ସୁପର୍ କିଙ୍ଗ୍‌ସ ସହ ହୋଇଥିଲା । ପ୍ରଥମେ ବ୍ୟାଟିଂ ପାଇ ଓପନର ଯଶସ୍ୱୀ ଜୈସ୍ୱାଲ୍‌ଙ୍କ ୭୭ ରନ୍‌ର ବଳିଷ୍ଠ ଇନିଂସ ମାଧ୍ୟମରେ ରାଜସ୍ଥାନ ୫ ୱିକେଟ୍ ବିନିମୟରେ ୨୦୨ ରନ୍ କରିଥିଲା । ଏହାର ଜବାବରେ ଚେନ୍ନାଇ ଶିବମ୍ ଦୁବେଙ୍କ ଅର୍ଦ୍ଧଶତକ ସତ୍ତ୍ୱେ ୨୦ ଓଭର୍‌ରେ ୬ ୱିକେଟ୍ ହରାଇ ୧୭୦ ରନ୍ ହିଁ କରିପାରିଥିଲା । ଏଥିସହ ଚଳିତ ସଂସ୍କରଣରେ ରାଜସ୍ଥାନ ଦ୍ୱିତୀୟ ଥର ପାଇଁ ଚେନ୍ନାଇକୁ ପରାସ୍ତ କରିଛି । ଦଳ ସଂସ୍କରଣରେ ପ୍ରଥମେ ଗତ ୧୨ରେ ଚେନ୍ନାଇକୁ ଏମ୍‌ଏ ଚିଦାମ୍ବରମ୍ ଷ୍ଟାଡିୟମ୍‌ରେ ଭେଟିଥିବା ବେଳେ ସେଥିରେ ୩ ରନ୍‌ରେ ବିଜୟୀ ହୋଇଥିଲା । ଗୁରୁବାରର ବିଜୟ ସହ ରାଜସ୍ଥାନ ମୋଟ ୧୦ ପଏଣ୍ଟ୍ ପାଇ ଉନ୍ନତ ରନ୍ ରେଟ୍ ଆଧାରରେ ଚେନ୍ନାଇକୁ ପଛରେ ପକାଇ ଶୀର୍ଷକୁ ଉନ୍ନୀତ ହୋଇଛି ।

ରାଜସ୍ଥାନ ପାଇଁ ଦୁଇ ଓପନର ଯଶସ୍ୱୀ ଓ ଜୋସ୍ ବଟଲର୍ ୮୬ ରନ୍ ଯୋଡ଼ି ବଡ଼ ସ୍କୋର୍‌ର ମୂଳଦୁଆ ପକାଇଥିଲେ । ବଟଲର୍ ୨୧ ବଲ୍ ଖେଳି ୪ଟି ଚୌକା ସହ ୨୭ ରନ୍‌ରେ ଆଉଟ୍ ହେବା ପରେ ଅଧିନାୟକ ସଞ୍ଜୁ ସାମ୍‌ସନ୍‌ଙ୍କ ସହ ଯଶସ୍ୱୀ ୩୯ ରନ୍‌ର ଭାଗୀଦାରୀ କରିଥିଲେ । ଏହି ଭାଗୀଦାରୀରେ ଗୋଟିଏ ଚୌକା ସହ ୧୭ ରନ୍‌ର ଯୋଗଦାନ ଦେବା ପରେ ସାମ୍‌ସନ୍ ଆଉଟ୍ ହୋଇଥିଲେ । ତାଙ୍କ ପରେ ପରେ ଯଶସ୍ୱୀ ୪୩ ବଲ୍‌ରେ ୮ଟି ଚୌକା ଓ ୪ଟି ଛକା ସହ ୭୭ ରନ୍‌ରେ ବିଦାୟ ନେଇଥିଲେ । ଶେଷ ଭାଗରେ ଧ୍ରୁବ ଜୁରେଲ୍ ମାତ୍ର ୧୫ ବଲ୍‌ରେ ୩ଟି ଚୌକା ଓ ୨ଟି ଛକା ସହ ୩୪ ଏବଂ ଦେବଦତ୍ତ ପାଡିକଲ୍ ମାତ୍ର ୧୩ ବଲ୍‌ରେ ୫ଟି ଚୌକା ସହ ଅପରାଜିତ ୨୭ ରନ୍ କରିବା ଫଳରେ ରାଜସ୍ଥାନ ଆଇପିଏଲ୍‌ରେ ତା’ର ୨୦୦ତମ ମ୍ୟାଚ୍‌ରେ ପ୍ରଥମ ଥର ପାଇଁ ଘରୋଇ ଗ୍ରାଉଣ୍ଡ୍‌ରେ ୨୦୦ ରନ୍ କରିପାରିଥିଲା । ଚେନ୍ନାଇ ପକ୍ଷରୁ ତୁଷାର ଦେଶପାଣ୍ଡେ ୨ଟି ଏବଂ ମହୀଶ ତିକ୍‌ଶାନା ଓ ରବୀନ୍ଦ୍ର ଜାଡେଜା ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ ।

ବ୍ୟାଟିଂରେ ଦଳର ଓପନର ଡେଭନ୍ କୋନ୍‌ୱେ ସଂଘର୍ଷ କରି ୧୬ ବଲ୍‌ରେ ମାତ୍ର ୮ ରନ୍ କରିଥିଲେ । ସେ ଆଉଟ୍ ହେବା ପରେ ଦ୍ୱିତୀୟ ୱିକେଟ୍‌ରେ ଅନ୍ୟତମ ଓପନର ଋତୁରାଜ ଗାଏକ୍ୱାଡ୍ ଓ ଆଜିଙ୍କ୍ୟ ରାହାଣେଙ୍କ ମଧ୍ୟରେ ୨୭ ରନ୍‌ର ଭାଗୀଦାରୀ ହୋଇଥିଲା । ଗାଏକ୍ୱାଡ୍ ୨୯ ବଲ୍ ଖେଳି ୫ଟି ଚୌକା ସହ ୪୭ ରନ୍ କରିଥିବା ବେଳେ ରାହାଣେ ୧୩ ବଲ୍‌ରେ ୧୫ ରନ୍ କରିଥିଲେ । ଅମ୍ବାତି ରାୟୁଡୁ ଖାତା ଖୋଲିପାରି ନ ଥିଲେ । ତେବେ ଶିବମ୍ ଦୁବେ ମୋଇନ୍ ଅଲୀଙ୍କ ମଧ୍ୟରେ ପଞ୍ଚମ ୱିକେଟ୍‌ରେ ୫୧ ଓ ଷଷ୍ଠ ୱିକେଟ୍‌ରେ ଜାଡେଜାଙ୍କ ସହ ୪୬ ରନ୍ ଯୋଡ଼ିଥିଲେ ହେଁ ତାଙ୍କ ଉଦ୍ୟମ କେବଳ ଦଳର ପରାଜୟ ବ୍ୟବଧାନକୁ ହ୍ରାସ କରିପାରିଥିଲା । ସେ ମାତ୍ର ୩୩ ବଲ୍ ଖେଳି ୨ଟି ଚୌକା ଓ ୪ଟି ଛକା ମାଧ୍ୟମରେ ୫୨ ରନ୍ କରିଥିଲେ । ଏହାଛଡ଼ା ମୋଇନ୍ ୧୨ ବଲ୍‌ରେ ୨ଟି ଲେଖାଏଁ ଚୌକା ଓ ଛକା ସହ ୨୩ ରନ୍ କରି ଆଉଟ୍ ହୋଇଥିଲେ । ଅନ୍ତିମ ବଲ୍‌ରେ ଦୁବେ ଆଉଟ୍ ହେବା ବେଳକୁ ଅନ୍ୟ ପଟରେ ଜାଡେଜା ମାତ୍ର ୧୫ ବଲ୍ ଖେଳି ୩ଟି ଚୌକା ସହ ୨୩ ରନ୍‌ରେ ଅପରାଜିତ ଥିଲେ । ରାଜସ୍ଥାନ ପକ୍ଷରୁ ଆଡାମ୍ ଜାମ୍ପା ୩ଟି, ରବିଚନ୍ଦ୍ରନ୍ ଅଶ୍ୱିନ୍ ୨ଟି ଓ କୁଲଦୀପ ଯାଦବ ଗୋଟିଏ ୱିକେଟ୍ ନେଇଥିଲେ । ଯଶସ୍ୱୀଙ୍କୁ ପ୍ଲେୟର୍ ଅଫ୍ ଦି ମ୍ୟାଚ୍ ବିବେଚିତ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking