ଜେଦାହ: ଆଫ୍ରିକୀୟ ରାଷ୍ଟ୍ର ସୁଦାନରେ ଗୃହଯୁଦ୍ଧ ତୀବ୍ର ଆକାର ଧାରଣ କରୁଥିବାବେଳେ ସେଠାରେ ବସବାସ କରୁଥିବା ଭାରତୀୟଙ୍କୁ ସୁରକ୍ଷିତଭାବେ ଉଦ୍ଧାର କରିବାକୁ ଭାରତ ସରକାର ‘ଅପରେସନ କାବେରୀ’ କାର୍ଯ୍ୟକାରୀ କରିଛନ୍ତି । ଏପର୍ଯ୍ୟନ୍ତ ତିନିଟି ଦଫାରେ ମୋଟ ୫୬୧ ଭାରତୀୟ ସୁଦାନରୁ ପଳାଇ ଆସିଥିବା ଜଣାପଡିଛି ।
ମଙ୍ଗଳବାର ପ୍ରଥମ ଦଫାରେ ୨୭୮ ଭାରତୀୟଙ୍କୁ ନେଇ ନୌବାହିନୀର ଜାହାଜ ‘ଆଇଏନ୍ଏସ୍ ସୁମେଧା’ ପୋର୍ଟ ସୁଦାନ ଛାଡିଥିବାବେଳେ ବୁଧବାର ଏହା ସାଉଦି ଆରବର ଜେହାହ୍ ବନ୍ଦରରେ ପହଞ୍ଚିଛି । ବୁଧବାର ଦ୍ୱିତୀୟ ଦଫାରେ ୧୨୧ ଜଣ ଭାରତୀୟଙ୍କୁ ନେଇ ବାୟୁସେନାର ସି-୧୩୦ ପରିବହନ ବିମାନ ଜେଦାହ୍ରେ ଅବତରଣ କରିଛି । ଦ୍ୱିତୀୟ ଦଫାରେ ୧୨୧ ଭାରତୀୟଙ୍କୁ ଉଦ୍ଧାର କରାଯାଇଛି ବୋଲି ଭାରତୀୟ ବିଦେଶ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଥିବାବେଳେ ବିଦେଶ ରାଷ୍ଟ୍ରମନ୍ତ୍ରୀ ଭି.ମୁରଲୀଧରନ କିନ୍ତୁ ଏମାନଙ୍କ ସଂଖ୍ୟା ୧୪୮ ବୋଲି ଦାବି କରିଛନ୍ତି । ମୁରଲୀଧରନ ଜେଦାହ୍ ଏୟାରପୋର୍ଟରେ ୧୪୮ ଭାରତୀୟଙ୍କୁ ସ୍ୱାଗତ କରିଥିବା କହିଛନ୍ତି ।
ବାୟୁସେନାର ଦ୍ୱିତୀୟ ସି-୧୩୦ ବିମାନ ବୁଧବାର ଆଉ ୧୨୧ ଭାରତୀୟଙ୍କୁ ନେଇ ତୃତୀୟ ଦଫାରେ ଜେଦାହ୍ଠାରେ ପହଞ୍ଚିଥିବା କୁହାଯାଇଛି । ମୁରଲୀଧରନ ମଙ୍ଗଳବାର ଜେଦାହ୍ରେ ପହଞ୍ଚି ଭାରତୀୟଙ୍କ ଉଦ୍ଧାର ପ୍ରକ୍ରିୟା ତଦାରଖ କରିଥିଲେ । ସୁଦାନରୁ ଆସିଥିବା ଏହି ଭାରତୀୟଙ୍କୁ ଜେଦାହ୍ସ୍ଥିତ ଇଣ୍ଟରନ୍ୟାସନାଲ ଇଣ୍ଡିଆନ ସ୍କୁଲ ପରିସରରେ ଥଇଥାନ କରାଯାଇଛି । ପରବର୍ତ୍ତୀ ସମୟରେ ସେମାନଙ୍କୁ ଭାରତ ଅଣାଯିବାର ବ୍ୟବସ୍ଥା କରାଯିବ ବୋଲି ବିଦେଶ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି । ଜେଦାହ୍ସ୍ଥିତ ଏହି କେନ୍ଦ୍ରରେ ଭାରତୀୟଙ୍କ ପାଇଁ ଶେଯ, ତକିଆ, ଚାଦର, ଶୌଚାଳୟ, ଡାକ୍ତରୀ ସୁବିଧା ଯୋଗାଇ ଦିଆଯାଇଥିବାବେଳେ ସେଠାରେ ଖୋଲାଯାଇଥିବା ଅସ୍ଥାୟୀ କଣ୍ଟ୍ରୋଲ ରୁମ୍ରେ ଚବିଶ ଘଣ୍ଟିଆ ୱାଇ-ଫାଇ ବ୍ୟବସ୍ଥା ମଧ୍ୟ କରାଯାଇଛି ।
ସୂଚନାଯୋଗ୍ୟ ସୁଦାନ ସେନା ଓ ବିଦ୍ରୋହୀ ଗୋଷ୍ଠୀ ମଧ୍ୟରେ ଏପ୍ରିଲ ୧୫ରୁ ଘମାଘୋଟ ସଂଘର୍ଷ ଆରମ୍ଭ ହୋଇଛି । ଏପର୍ଯ୍ୟନ୍ତ ୪୫୦ରୁ ଅଧିକ ଲୋକ ପ୍ରାଣ ହରାଇସାରିଥିବାବେଳେ ୪ ହଜାର ଆହତ ହୋଇଛନ୍ତି । ଭାରତ ସମେତ ୧୨ଟି ବିଦେଶୀ ରାଷ୍ଟ୍ର ସୁଦାନରୁ ନିଜ ନାଗରିକଙ୍କୁ ଫେରାଇ ଆଣୁଛନ୍ତି । ବିଦେଶୀ ନାଗରିକଙ୍କ ସୁରକ୍ଷିତ ସ୍ଥାନାନ୍ତର ପାଇଁ ଦୁଇ ଗୋଷ୍ଠୀ ୭୨ ଘଣ୍ଟିଆ ଅସ୍ତ୍ରବିରତି ଘୋଷଣା କରିଥିବାବେଳେ ୨୬ ମଧ୍ୟରାତ୍ର ସୁଦ୍ଧା ଏହା ଶେଷ ହୋଇଯିବ । ବର୍ତ୍ତମାନ ସୁଦାନରେ ପ୍ରାୟ ୩୦୦୦ ଭାରତୀୟ ବସବାସ କରୁଛନ୍ତି । ତେଣୁ ସମସ୍ତଙ୍କୁ ଉଦ୍ଧାର କରିବାକୁ ନୌବାହିନୀର ଆଉ ଏକ ଜାହାଜ ଆଇଏନ୍ଏସ୍ ତେଗ୍ ମଧ୍ୟ ରିଲିଫ୍ ସାମଗ୍ରୀ ସହ ମଙ୍ଗଳବାର ପୋର୍ଟ ସୁଦାନରେ ପହଞ୍ଚିଛି ବୋଲି ବିଦେଶ ମନ୍ତ୍ରୀ ଏସ.ଜୟଶଙ୍କର ସୂଚନା ଦେଇଛନ୍ତି ।