27.1 C
Bhubaneswar
Saturday, October 19, 2024
Homeଓଡିଶାଚୁକ୍ତିଭିତ୍ତିକ ଡାକ୍ତରମାନଙ୍କୁ ସ୍ଥାୟୀ ନିଯୁକ୍ତି ଦାବି

ଚୁକ୍ତିଭିତ୍ତିକ ଡାକ୍ତରମାନଙ୍କୁ ସ୍ଥାୟୀ ନିଯୁକ୍ତି ଦାବି

ଭୁବନେଶ୍ୱର: ରାଜ୍ୟରେ କାର୍ଯ୍ୟରତ ଚୁକ୍ତିଭିତ୍ତିକ ଡାକ୍ତରମାନଙ୍କ ସମସ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ସେମାନେ ନିଷ୍ଠା ଓ ଦକ୍ଷତାର ସହ ସେମାନଙ୍କ ଦାୟିତ୍ୱ ସୁଚାରୁରୂପେ ସମ୍ପାଦନ କରୁଥିଲେ ମଧ୍ୟ ସେମାନଙ୍କୁ ସ୍ଥାୟୀ କରାଯିବା ସହ ସାମାଜିକ ସୁରକ୍ଷା ଯୋଗାଇ ଦିଆଯିବା ନିମନ୍ତେ କୌଣସି ପଦକ୍ଷେପ ଗ୍ରହଣ କରାଯାଉ ନାହିଁ । ରାଜ୍ୟର ପିଏଚ୍‌ସି, ସିଏଚ୍‌ସି, ସଦର ମହକୁମା ଓ ଜିଲ୍ଲାସ୍ତରୀୟ ହସ୍ପିଟାଲରେ ୪୦୦ରୁ ଊର୍ଦ୍ଧ୍ୱ ଚୁକ୍ତିଭିତ୍ତିକ ଡାକ୍ତର ନିଯୁକ୍ତ କରୁଥିଲେ ମଧ୍ୟ ସେମାନଙ୍କ ଭବିଷ୍ୟତ ଅନ୍ଧାର ଭିତରକୁ ଠେଲି ହୋଇ ଯିବାର ଆଶଙ୍କା ପ୍ରକାଶ ପାଇଛି ବୋଲି ଗୁରୁବାର ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଡକ୍ଟର ପୂର୍ଣ୍ଣେନ୍ଦୁ ନନ୍ଦ କହିଛନ୍ତି ।

ସେ ଆହୁରି କହିଛନ୍ତି ଯେ,ରାଜ୍ୟର ବହୁ ସଂଖ୍ୟକ ଡାକ୍ତରୀ ପଦବୀ ଖାଲି ପଡ଼ିଥିବାରୁ ଗ୍ରାମାଞ୍ଚଳରେ ରୋଗୀମାନେ ନାହିଁ ନଥିବା ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି । ସରକାରଙ୍କ ନିୟମ ଅନୁଯାୟୀ ସିଏଚ୍‌ସି ଗୁଡ଼ିକରେ ଅତିକମରେ ୧୦ ଜଣ ଡାକ୍ତର ନିଯୁକ୍ତ କରାଯିବା କଥା । ମାତ୍ର ସ୍ୱଳ୍ପ ଡାକ୍ତର, ନର୍ସ ଓ ପାରାମେଡ଼ିକାଲଙ୍କୁ ନେଇ ହସ୍ପିଟାଲ ଗୁଡ଼ିକ ଚାଲୁଥିବା ବେଳେ ଚୁକ୍ତିଭିତ୍ତିକ ଡାକ୍ତରମାନେ ବିନା ଦ୍ୱିଧାରେ ରୋଗୀଙ୍କ ସେବାରେ ନିଜକୁ ନିୟୋଜିତ କରିଛନ୍ତି ।

ବହୁ ଡାକ୍ତରଖାନାରେ ଭିତ୍ତିଭୂମି ଅଭାବ ସହ କର୍ମଚାରୀ ସଂକଟ ଲାଗି ରହିଥିବା ବେଳେ ଚୁକ୍ତିଭତ୍ତିକ ଡାକ୍ତରମାନେ ମାସିକ ମାତ୍ର ୫୫ ହଜାର ଟଙ୍କା ବେତନରେ କାର୍ଯ୍ୟକରିବା ଅସମ୍ଭବ ହୋଇ ପଡ଼ିଛି । ରାଜ୍ୟର ବହୁ ହସ୍ପିଟାଲରେ ବହୁ ସଂଖ୍ୟକ ଡାକ୍ତରୀ ପଦବୀ ଖାଲି ପଡ଼ିଥିବା ବେଳେ ସରକାର ଚୁକ୍ତିଭିତ୍ତିକ ଡାକ୍ତରମାନଙ୍କୁ ସ୍ଥାୟୀ ନିଯୁକ୍ତି ସହ ଆନୁସଙ୍ଗିକ ସୁବିଧା ସୁଯୋଗ ଯୋଗାଇ ଦେବାକୁ ଚୁକ୍ତିଭତ୍ତିକ ଡାକ୍ତରମାନେ ଦାବି କରିଛନ୍ତି । ରାଜ୍ୟ ସରକାରଙ୍କ ୨୦୨୩ ବର୍ଷ ପାଇଁ ବାହାରି ଥିବା ଆସିଷ୍ଟାଣ୍ଟଣ୍ଟ ସର୍ଜନ ବିଜ୍ଞାପନ ଅନୁସାରେ ୩୪୮୧ଟି ପଦବୀ ଦର୍ଶାଯାଇଥିବା ବେଳେ ମାତ୍ର ୧୪୮୯ ଜଣଙ୍କୁ କ୍ୱାଲିଫାଏଡ଼ କରାଯାଇଥିଲା ।

ତନ୍ମଧ୍ୟରୁ ୧୨୦୫ ଜଣ ପ୍ରାର୍ଥୀଙ୍କୁ ଅନ୍ତିମ ପର୍ଯ୍ୟାୟରେ ଚୟନ କରାଗଲା । ଏହାପରେ ବଳକା ୨୨୭୫ଟି ପଦବୀ ଖାଲି ରହିଛି । ରାଜ୍ୟରେ ବହୁ ସଂଖ୍ୟାରେ ଉଭୟ ଚୁକ୍ତିଭିତ୍ତିକ ଓ ବେକାରୀ ଡାକ୍ତର ଥିବା ସତ୍ତ୍ୱେ ସେମାନଙ୍କୁ ଅଣଦେଖା କରି ରାଜ୍ୟ ବାହାର ଡାକ୍ତରମାନଙ୍କୁ ଓଡ଼ିଶାର ସ୍ଥାୟୀ ଡାକ୍ତର ପଦବୀ ଗୁଡ଼ିକରେ ନିଯୁକ୍ତି ଦିଆଯାଉଛି ବୋଲି ଶ୍ରୀ ନନ୍ଦ କହିଛନ୍ତି । ଯଦି ଆସନ୍ତା ଦୁଇସପ୍ତାହ ମଧ୍ୟରେ ଉଚିତ୍ ପଦକ୍ଷେପ ଗ୍ରହଣ ନ କରନ୍ତି, ତେବେ ଚୁକ୍ତିଭତ୍ତିକ ଡାକ୍ତରମାନେ କଳାବ୍ୟାଜ୍ ପରିଧାନ କରି ନିଜ ନିଜର କର୍ମସ୍ଥଳରେ ଅନଶନ କରିବେ ବୋଲି ଚେତାବନୀ ଦିଆଯାଇଛି ।

ଆଜି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଡକ୍ଟର ରାଜୀକ ମିର୍ଜା, ଡକ୍ଟର ନିର୍ମାଲ୍ୟ ବିଶ୍ୱାଳ, ଡକ୍ଟର ରାକେଶ ବିଶ୍ୱାଳ, ଡକ୍ଟର ଅଶ୍ୱିନୀ ମୁନି, ଡକ୍ଟର ଅଜୁର୍ନ ସବ୍ୟସାଚୀ ଦାସ, ଡକ୍ଟର ଅମିତ ମହାନ୍ତି, ଡକ୍ଟର ଅଭିଷେକ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking