27.1 C
Bhubaneswar
Saturday, October 19, 2024
Homeଦେଶ ବିଦେଶୱାର୍ଲ୍ଡ କପ୍ ଷ୍ଟେଜ୍‌-୧ ଆର୍ଚେରୀ; ୯ ବର୍ଷ ପରେ ଫାଇନାଲ୍‌ରେ ଭାରତ

ୱାର୍ଲ୍ଡ କପ୍ ଷ୍ଟେଜ୍‌-୧ ଆର୍ଚେରୀ; ୯ ବର୍ଷ ପରେ ଫାଇନାଲ୍‌ରେ ଭାରତ

ଅନ୍ତଲ୍ୟା : ଏଠାରେ ଚାଲିଥିବା ୱାର୍ଲ୍ଡ କପ୍ ଷ୍ଟେଜ୍‌-୧ ଆର୍ଚେରୀରେ ଭାରତୀୟ ପୁରୁଷ ରିକର୍ଭ ଦଳ ଗୁରୁବାର ଐତିହାସିକ ସଫଳତା ହାସଲ କରିଛି । ଏହି ଦଳ ଗତ ୯ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ଫାଇନାଲ୍‌ରେ ପହଞ୍ଚିପାରିଛି । ଚଳିତ ଟୁର୍ଣ୍ଣାମେଣ୍ଟ୍‌ରେ ଭାରତୀୟ ଟିମ୍ ୩ଟି ବିଜୟ ହାସଲ ପୂର୍ବକ ଟାଇଟଲ୍ ଲଢ଼େଇରେ ଉପନୀତ ହୋଇପାରିଛି । ରବିବାର ଅନୁଷ୍ଠିତ ହେବାକୁ ଥିବା ଫାଇନାଲ୍‌ରେ ଦଳର ମୁକାବିଲା ଚୀନ୍ ସହ ହେବ ।

ଫାଇନାଲ୍‌ରେ ବିଜୟୀ ହେଲେ ଅତନୁ ଦାସ, ବି. ଧୀରଜ୍ ଓ ତରୁନ୍‌ଦୀପ ରାଏଙ୍କୁ ନେଇ ଗଠିତ ଭାରତୀୟ ପୁରୁଷ ରିକର୍ଭ ଦଳ ୧୩ ବର୍ଷ ପରେ ପ୍ରଥମ ଥର ପାଇଁ କୌଣସି ୱାର୍ଲ୍ଡ କପ୍‌ରେ ସ୍ୱର୍ଣ୍ଣ ପଦକ ହାସଲ କରିପାରିବ । ଟୁର୍ଣ୍ଣାମେଣ୍ଟ୍‌ର ମୁଖ୍ୟ ଡ୍ର’ରେ ଚତୁର୍ଥ ସିଡ୍ ମାନ୍ୟତା ପାଇଥିବା ଭାରତୀୟ ଦଳ ପ୍ରଥମ ରାଉଣ୍ଡ୍‌ରେ ବାଇ ପାଇଥିଲା । ପରବର୍ତ୍ତୀ ରାଉଣ୍ଡ୍‌ରେ ଦଳ ତ୍ରୟୋଦଶ ସିଡ୍ ଟିମ୍ ଜାପାନକୁ ୫-୪ରେ ପରାସ୍ତ କରିଥିଲା । ଏହି ମ୍ୟାଚ୍‌ର ଅନ୍ତିମ ଚରଣରେ ଦଳ ସଂଘର୍ଷପୂର୍ଣ୍ଣ ପ୍ରଦର୍ଶନ ସହ ୨୯-୨୮ରେ ବିଜୟୀ ହୋଇଥିଲା ।

ମ୍ୟାଚ୍‌ଟି ୪-୪ରେ ବରାବର ହେବା ପରେ ଟାଇବ୍ରେକର୍‌ରେ ଭାରତୀୟ ପ୍ରତିଯୋଗୀମାନେ ୩ଟି ଉଦ୍ୟମରେ ୨ ଥର ୧୦ ପଏଣ୍ଟ୍ ଲେଖାଏଁ ଅର୍ଜନ କରିଥିଲେ । ପରବର୍ତ୍ତୀ ଦୁଇଟି ମ୍ୟାଚ୍‌ରେ ଭାରତ ଦ୍ୱାଦଶ ସିଡ୍ ଟିମ୍ ଚାଇନିଜ୍ ତାଇପେଇ ଓ ନବମ ସିଡ୍ ଟିମ୍ ନେଦରଲାଣ୍ଡ୍‌ସ ବିପକ୍ଷରେ ୬-୨ରେ ବିଜୟୀ ହୋଇ ଫାଇନାଲ୍‌କୁ ଉନ୍ନୀତ ହୋଇଛି । ଭାରତ ଓ ଚୀନ୍ ମଧ୍ୟରେ ଫାଇନାଲ୍ ଖେଳାଯିବାକୁ ଥିବା ବେଳେ ନେଦରଲାଣ୍ଡ୍‌ସ ଓ ସ୍ଲୋଭେନିଆ ମଧ୍ୟରେ ବ୍ରୋଞ୍ଜ୍ ପଦକ ପାଇଁ ଲଢ଼େଇ ହେବ ।

୨୦୦୮ରେ ଭାରତ ଶେଷ ଥର ପାଇଁ ଏହି ଟୁର୍ଣ୍ଣାମେଣ୍ଟ୍‌ରେ ସ୍ୱର୍ଣ୍ଣପଦକ ହାସଲ କରିଥିଲା । ୨୦୦୮ରେ ପ୍ରତିଯୋଗିତାଟି ଏଠାରେ ଖେଳାଯାଇଥିବା ବେଳେ ଏଥିରେ ଭାରତର ଜୟନ୍ତ ତାଲୁକଦାର, ରାହୁଲ୍ ବାନାର୍ଜୀ ଓ ମଙ୍ଗଲ ସିଂହ ଚାମ୍ପିଆ ମାଲେସୀୟ ପ୍ରତିଦ୍ୱନ୍ଦ୍ୱୀଙ୍କୁ ୨୧୮-୨୧୫ରେ ପରାସ୍ତ କରି ରିକର୍ଭ ପୁରୁଷ ଦଳ ପାଇଁ ପ୍ରଥମ ସ୍ୱର୍ଣ୍ଣପଦକ ଜିତିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking