27.1 C
Bhubaneswar
Saturday, October 19, 2024
Homeଓଡିଶାଖସୁନି ପାରଦ, ସିଝୁଛି ଜନଜୀବନ: ଦୁର୍ଦ୍ଦଶା ବଢ଼ାଉଛି ଅଘୋଷିତ ବିଦ୍ୟୁତକାଟ

ଖସୁନି ପାରଦ, ସିଝୁଛି ଜନଜୀବନ: ଦୁର୍ଦ୍ଦଶା ବଢ଼ାଉଛି ଅଘୋଷିତ ବିଦ୍ୟୁତକାଟ

କଟକ: ସମ୍ପ୍ରତି ରାଜ୍ୟ ଏବେ ସୌରତାପରେ ଆଉଟୁ ପାଉଟୁ । ପ୍ରାୟ ସ୍ଥାନରେ ୪୦ଡିଗ୍ରୀରୁ ଖସୁନି ପାରଦ । ମଧ୍ୟାହ୍ନରୁ ସଂଧ୍ୟା ପର୍ଯ୍ୟନ୍ତ ଜନଜୀବନ ଗ୍ରୀଷ୍ମପ୍ରବାହରେ ସିଝୁଥିବାବେଳେ ଅଘୋଷିତ ବିଦ୍ୟୁତକାଟ ଜନସାଧାରଣଙ୍କ ଦୁର୍ଦ୍ଦଶାକୁ ବଢ଼ାଉ ଦେଉଛି । ଗୋଟିଏ ପଟେ ରାଜ୍ୟସରକାର ୨୪ଘଣ୍ଟିଆ ବିଦ୍ୟୁତ ସେବା ଯୋଗାଇ ଦେବା ପାଇଁ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ବିଦ୍ୟୁତ ବିଭାଗ ଏହାକୁ ବେଖାତିର କରୁଥିବା ଦେଖିବାକୁ ମିଳିଛି । କଟକ ଜିଲ୍ଲାର ବିଭିନ୍ନ ସ୍ଥାନରେ ପ୍ରବଳ ଗ୍ରୀଷ୍ମପ୍ରବାହ ଅନୁଭୂତ ହେଉଥିବାବେଳେ ଅଘୋଷିତ ବିଦ୍ୟୁତ କାଟ ନେଇ ଅଞ୍ଚଳବାସୀ ଅତିଷ୍ଠ ହୋଇ ପଡ଼ିଲେଣି । କଟକ ମହାନଗର ବିଭିନ୍ନ ଅଞ୍ଚଳ ସହିତ ୪୮ନମ୍ବର ୱାର୍ଡ଼ ଜଗତପୁର ଅଞ୍ଚଳରେ ଅଘୋଷିତ ବିଦ୍ୟୁତକାଟକୁ ନେଇ ଅସନ୍ତୋଷ ବଢ଼ିବାରେ ଲାଗିଛି ।

ଏହି ଗ୍ରାମରେ ଦୀର୍ଘ ୫ ଦିନ ଧରି ଘନଘନ ବିଦ୍ୟୁତ କାଟ ଓ ଲୋଭୋଲଟେଜ ସମସ୍ୟାରେ ଉପଭୋକ୍ତାମାନେ ନାହିଁ ନଥିବା ହଇରାଣ ହେଉଛନ୍ତି । ଗୋଟିଏ ପଟେ ଅଂଶୁଘାତର ମୁକାବିଲା ନିମନ୍ତେ ସରକାର ଆବଶ୍ୟକ ନଥିଲେ ମଧ୍ୟାହ୍ନରୁ ଅପରାହ୍ନ ପର୍ଯ୍ୟନ୍ତ ବାହାରକୁ ନଯିବା ପାଇଁ ପରାମର୍ଶ ଦେଉଛନ୍ତି; ହେଲେ ଘରେ ମଧ୍ୟ ବିଦ୍ୟୁତକାଟ ଯୋଗୁଁ ଲୋକେ ସିଝିଯାଉଥିବା ଅଭିଯୋଗ ହୋଇଛି । ଜଗତପୁରସ୍ଥିତ ଭୂବନପୁର ଗ୍ରାମରେ ଗୋଟିଏ ଟ୍ରାନ୍ସଫରମରେ ୧୭୦ ଉପଭୋକ୍ତାଙ୍କୁ ଲାଇନ ଦେବା ବଦଳରେ ଅଧିକ ୨୪୦ ଉପଭୋକ୍ତାଙ୍କୁ ଲାଇନ ଦେବାରୁ ବାରମ୍ବାର ଟ୍ରାନ୍ସଫରମର ଲୋଡ ସହି ନପାରି ପୋଡି ଯାଉଥିବା ଜଣେ ବିଭାଗୀୟ କର୍ମଚାରୀ କଥାଛଳରେ କହିଛନ୍ତି । ଜଗତପୁର ବିଦ୍ୟୁତ କାର୍ଯ୍ୟାଳୟ ଜେ.ଇ ବିକାଶ ଭୋଇ ଏହି ସବୁ ବିଷୟରେ ଜାଣି ମଧ୍ୟ ନିରବଦ୍ରଷ୍ଟା ସାଜିବା ଯୋଗୁଁ ଉପଭୋକ୍ତାମାନଙ୍କ ଅସନ୍ତୋଷ ବୃଦ୍ଧି ପାଉଛି ।

ସୂଚନା ଯୋଗ୍ୟ, ପ୍ରଥମେ ରାଜ୍ୟ ସରକାର ସେସୁ ହାତରୁ ବିଦ୍ୟୁତ ବିଭାଗକୁ ହଟାଇ ଟିପିସିଓଡିଏଲକୁ ବିଦ୍ୟୁତ ଭାର ହାତକୁ ଟେକି ଦେବା ଦିନ ଠାରୁ ବିଦ୍ୟୁତ ଉପଭୋକ୍ତାମାନେ ଉପଯୁକ୍ତ ବିଦ୍ୟୁତ ସେବା ପାଇବା ବଦଳରେ ସଂସ୍ଥାଠାରୁ ଶୋଷଣର ଶିକାର ହେଉଥିବା ଅଭିଯୋଗ ହୋଇଛି । ଏହି ସମସ୍ୟାର ତୁରନ୍ତ ସମାଧାନ ନହେଲେ ଆଗାମୀ ଦିନରେ ଉପଭୋକ୍ତାମାନଙ୍କ ପକ୍ଷରୁ ଜନଆନ୍ଦୋଳନ ହେବ ବୋଲି ଚେତାବନୀ ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking