18.1 C
Bhubaneswar
Tuesday, November 26, 2024
Homeଦେଶ ବିଦେଶଦିଲ୍ଲୀ ଅବକାରୀ ଘୋଟାଲା; ଅରବିନ୍ଦ କେଜ୍ରିୱାଲ୍‌ଙ୍କୁ ସିବିଆଇ ନୋଟିସ୍‌

ଦିଲ୍ଲୀ ଅବକାରୀ ଘୋଟାଲା; ଅରବିନ୍ଦ କେଜ୍ରିୱାଲ୍‌ଙ୍କୁ ସିବିଆଇ ନୋଟିସ୍‌

ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ଘୋଟାଲା ମାମଲାରେ ଆମ୍ ଆଦ୍‌ମୀ ପାର୍ଟି (ଆପ୍‌)ର ଅଡ଼ୁଆ ବଢ଼ି ବଢ଼ି ଚାଲିଛି । ଏବେ ମାମଲାର ଯାଞ୍ଚ୍ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦ୍‌ମୀ ପାର୍ଟି (ଆପ୍‌) ସଂଯୋଜକ ଅରବିନ୍ଦ କେଜ୍ରିୱାଲ୍‌ଙ୍କ ନିକଟରେ ପହଞ୍ଚିଛି । କେନ୍ଦ୍ରୀୟ ଯାଞ୍ଚ୍ ଏଜେନ୍ସି ସିବିଆଇ ଶୁକ୍ରବାର ଏହି ମାମଲାରେ କେଜ୍ରିୱାଲ୍‌ଙ୍କୁ ନୋଟିସ୍ କରିଛି । ଏଜେନ୍ସି ପଚରା ଉଚରା ପାଇଁ ଏପ୍ରିଲ୍ ୧୬ ତାରିଖ ସକାଳ ୧୧ଟା ବେଳେ ତାଙ୍କୁ ସିବିଆଇ ଅଫିସ୍ ଡକାଇଛି । ନୋଟିସ୍ ମିଳିବା ପରେ ଆମ୍ ଆଦ୍‌ମୀ ପାର୍ଟି ସାଂସଦ ସଞ୍ଜୟ ସିଂହ ଶୁକ୍ରବାର ସନ୍ଧ୍ୟାରେ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, କେନ୍ଦ୍ର ସରକାର ଅରବିନ୍ଦ କେଜ୍ରିୱାଲ୍‌ଙ୍କୁ ଜେଲ୍ ପଠାଇବାକୁ ଷଡ଼ଯନ୍ତ୍ର କରୁଛି । ମାତ୍ର ଆମେ ଭୟଭୀତ ନୋହୁଁ । କେଜ୍ରିୱାଲ୍ ୧୩ ଦିନ ଅନଶନରେ ବସି ଭ୍ରଷ୍ଟାଚାର ବିରୋଧରେ ଲଢ଼େଇ କରିଥିଲେ ।

ଏହି ଅବସରରେ ପ୍ରଧାନମନ୍ତ୍ରୀ ନିଜ ବନ୍ଧୁମାନଙ୍କ ସହିତ ମିଶି କୋଟି କୋଟି ଟଙ୍କାର ଯେଉଁ ଘୋଟାଲା କରିଛନ୍ତି ତାହା ଦେଶବାସୀଙ୍କୁ ଜଣାଇବା ଉଚିତ ବୋଲି ସେ ଦାବି କରିଛନ୍ତି । ସେ ଆହୁରି କହିଛନ୍ତି, ଦିଲ୍ଲୀ ବିଧାନସଭାରେ କେଜ୍ରିୱାଲ୍‌ଙ୍କ ବୟାନ ପରେ ସିବିଆଇ ନୋଟିସ୍ ପଠାଇ ତାଙ୍କୁ ଧମକାଇବାକୁ ଉଦ୍ୟମ କରାଯାଇଛି । ଏଥିରେ କେଜ୍ରିୱାଲ୍ କିମ୍ବା ତାଙ୍କର ଜଣେ ବି ନେତା ନଇଁଯିବେ କିମ୍ବା ଡରିଯିବେ ନାହିଁ । ଉଲ୍ଲେଖଯୋଗ୍ୟ, ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଏହି ମାମଲରେ ଇଡି ହାଜତରେ ଅଛନ୍ତି । ଫେବୃଆରୀ ୨୬ରେ ସିବିଆଇ ତାଙ୍କୁ ୮ ଘଣ୍ଟା ପଚରା ଉଚରା ପରେ ଗିରଫ କରିଥିଲା । ୭ ଦିନର ସିବିଆଇ ରିମାଣ୍ଡ ପରେ ମାର୍ଚ୍ଚ ୬ରେ କୋର୍ଟ ତାଙ୍କୁ ମାର୍ଚ୍ଚ ୨୦ ପର୍ଯ୍ୟନ୍ତ ତିହାର ଜେଲ୍‌କୁ ପଠାଇ ଦେଇଥିଲେ ।

ପରେ ଏହି ମାମଲାରେ ଜଡ଼ିତ ମନି ଲଣ୍ଡରିଂ ମାମଲାରେ ଇଡି ତାଙ୍କୁ ଜେଲ୍‌ରୁ ହିଁ ଗିରଫ କରିଥିଲା । ଏବେ ସେ ଇଡି ହାଜତରେ ଅଛନ୍ତି । ଗତ ଶୁଣାଣି ବେଳେ କୋର୍ଟ ତାଙ୍କ ହାଜତ ମିଆଦ ଏପ୍ରିଲ୍ ୧୭ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଥିଲେ । ଏପ୍ରିଲ୍ ୧୮ରେ କୋର୍ଟ ସିସୋଦିଆଙ୍କ ଜାମିନ ଆବେଦନର ଶୁଣାଣି କରିବେ। ଅବକାରୀ ଘୋଟାଲା ମାମଲାରେ କେଜ୍ରିୱାଲ୍‌ଙ୍କ ନାମ ଅଭିଯୁକ୍ତ ଭାବେ କୌଣସି ଏଫ୍‌ଆଇଆର୍ କିମ୍ବା ଚାର୍ଜଶିଟ୍‌ରେ ନଥିବା ବେଳେ ସିବିଆଇ ଓ ଇଡିର ରିମାଣ୍ଡ୍ ନୋଟ୍‌ରେ ତାଙ୍କ ନାମ ଉଲ୍ଲେଖ ରହିଛି ।

ପୂର୍ବରୁ ମାଜିଷ୍ଟ୍ରେଟ୍‌ଙ୍କ ସାମ୍ନାରେ ବୟାନ ରେକର୍ଡ ବେଳେ ଅବକାରୀ ନୀତିକୁ ନେଇ ମନୀଷ ସିସୋଦିଆ ସିଧା ନିର୍ଦ୍ଦେଶ ଦେଉଥିଲେ ବୋଲି ପୂର୍ବତନ ଅବକାରୀ ବିଭାଗ ସଚିବ ସି. ଅରବିନ୍ଦ ଖୁଲାସା କରିଥିଲେ । ସେହିପରି ଇଡି ଏବଂ ସିବିଆଇ ଆଗରେ ସି. ଅରବିନ୍ଦ କହିଥିଲେ, ୨୦୨୧ ମାର୍ଚ୍ଚରେ ଅରବିନ୍ଦ କେଜ୍ରିୱାଲ୍‌ଙ୍କ ବାସଭବନରେ ମଦ ବ୍ୟବସାୟୀଙ୍କ ପାଇଁ ୧୨ ପ୍ରତିଶତ ଲାଭ ମାର୍ଜିନ୍ ସ୍ଥିର କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ଏହା ମୌଖିକ ଆଦେଶ ଥିଲା ଏବଂ ଏହାକୁ ଡ୍ରାଫ୍ଟ ପଲିସିରେ ସାମିଲ କରିବାକୁ କୁହାଯାଇଥିଲା ବୋଲି ସେ କହିଥିଲେ । ଏହି ଅବସରରେ ସତ୍ୟେନ୍ଦ୍ର ଜୈନ ଓ ମନୀଷ ସିସୋଦିଆ ଉପସ୍ଥିତ ଥିଲେ ବୋଲି ସି. ଅରବିନ୍ଦ କହିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking