ମୋହାଲି : ଚଳିତ ଆଇପିଏଲ୍ରେ ଗୁରୁବାର ଏଠାକାର ପିସିଏ ଆଇଏସ୍ ବିନ୍ଦ୍ରା ଷ୍ଟାଡିୟମ୍ଠାରେ ଘରୋଇ ପଞ୍ଜାବ କିଙ୍ଗ୍ସ ସହ ଗୁଜରାଟ ଟାଇଟାନ୍ସର ମୁକାବିଲା ହୋଇଥିଲା । ତେବେ ଏହି ମ୍ୟାଚ୍କୁ ୬ ୱିକେଟ୍ରେ ଜିତିନେଇଥିବା ଗୁଜରାଟ ଦଳର ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ମନ୍ଥର ଓଭର୍ ରେଟ୍ ପାଇଁ ଦଣ୍ଡିତ ହେବାକୁ ପଡ଼ିଛି । ଏହି ତାରକା ଅଲ୍ରାଉଣ୍ଡର୍ଙ୍କ ଉପରେ ୧୨ ଲକ୍ଷ ଟଙ୍କାର ଜୋରିମାନା ହୋଇଛି । ଆଇପିଏଲ୍ର ମ୍ୟାଚ୍ଗୁଡ଼ିକ ୩ ଘଣ୍ଟା ୨୦ ମିନିଟ୍ ମଧ୍ୟରେ ଶେଷ କରିବା ସକାଶେ ବିସିସିଆଇ ସମୟ ଧାର୍ଯ୍ୟ କରିଥିଲେ ହେଁ ଅଧିକାଂଶ ମ୍ୟାଚ୍ ଶେଷ ହେବାକୁ ୪ ଘଣ୍ଟାରୁ ଅଧିକ ସମୟ ଲାଗିଯାଉଛି । ଦଳଗୁଡ଼ିକ ଆବଶ୍ୟକତାଠାରୁ କମ୍ ହାରରେ ବୋଲିଂ କରୁଥିବା ମୁଖ୍ୟତଃ ଏଥିପାଇଁ ଦାୟୀ । ତେବେ ଗୁଜରାଟର ଏହା ପ୍ରଥମ ତ୍ରୁଟି ହୋଇଥିବାରୁ ଅଧିନାୟକଙ୍କୁ ସର୍ବନିମ୍ନ ଜୋରିମାନା କରାଯାଇଛି ବୋଲି ଶୁକ୍ରବାର ଜାରି ଏକ ଆଇପିଏଲ୍ ମିଡିଆ ଆଡଭାଇଜରୀରେ କୁହାଯାଇଛି ।