27.1 C
Bhubaneswar
Saturday, October 19, 2024
Homeଓଡିଶାବାଲ୍ୟବିବାହ, ମହିଳା ଓ ଶିଶୁ ଚାଲାଣ; ଆଇନର କଡ଼ାକଡ଼ି ଅନୁପାଳନ ସହ ମାନସିକତାରେ ପରିବର୍ତ୍ତନ ଆଣିବାକୁ...

ବାଲ୍ୟବିବାହ, ମହିଳା ଓ ଶିଶୁ ଚାଲାଣ; ଆଇନର କଡ଼ାକଡ଼ି ଅନୁପାଳନ ସହ ମାନସିକତାରେ ପରିବର୍ତ୍ତନ ଆଣିବାକୁ ପଡ଼ିବ: ମନ୍ତ୍ରୀ

ଭୁବନେଶ୍ୱର: ବାଲ୍ୟବିବାହ, ମହିଳା ଓ ଶିଶୁ ଚାଲାଣ ନିରୋଧ ପାଇଁ କେବଳ ଆଇନ ପ୍ରଣୟନ କଲେ ହେବନି, ଏହାର କଡ଼ାକଡ଼ି ଅନୁପାଳନ ସହ ଲୋକମାନଙ୍କ ମାନସିକତାରେ ପରିବର୍ତ୍ତନ ଆଣିବାକୁ ପଡ଼ିବ ବୋଲି ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ୍ ମତବ୍ୟକ୍ତ କରିଛନ୍ତି । ରାଜ୍ୟ ସମାଜ ମଙ୍ଗଳ ବୋର୍ଡ ଆନୂକୁଲ୍ୟରେ ଆୟୋଜିତ ଆଲୋଚନାଚକ୍ରରେ ମୁଖ୍ୟଅତିଥି ଭାବେ ଯୋଗଦେଇ ମନ୍ତ୍ରୀ ହେମ୍ବ୍ରମ୍ କହିଲେ ଯେ ରାଜ୍ୟର ମହିଳାମାନଙ୍କ ବିକାଶ କ୍ଷେତ୍ରରେ ବାଲ୍ୟବିବାହ ଏକ ମୁଖ୍ୟ ପ୍ରତିବନ୍ଧକ । ଯଦିଓ ବାଲ୍ୟବିବାହ ବହୁ ପରିମାଣରେ ହ୍ରାସ ପାଇଛି, କିନ୍ତୁ ଏହାକୁ ସଂପୂର୍ଣ୍ଣ ଭାବରେ ବନ୍ଦ କରାଯିବା ଜରୁରୀ ।

ଆମ ପାଇଁ ଖୁସିର କଥା ପରିସଂଖ୍ୟାନ ଅନୁଯାୟୀ ଆମ ରାଜ୍ୟ ଓଡ଼ିଶାରେ ବାଲ୍ୟବିବାହ ଜାତୀୟ ହାରଠାରୁ କମ୍ ରହିଛି । ଅର୍ଥାତ୍ ଜାତୀୟ ହାର ୨୬.୮ ପ୍ରତିଶତ ଥିବାବେଳେ ଓଡ଼ିଶାରେ ଏହି ହାର ୨୧.୩ ପ୍ରତିଶତ ରହିଛି । ତଥାପି ଏହି ହାରକୁ ଯଥେଷ୍ଟ ହ୍ରାସ କରିବାର ଆବଶ୍ୟକତା ରହିଛି । ଏଥିପାଇଁ ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗ ତରଫରୁ କିଛି ଯୋଜନାବଦ୍ଧ କାର୍ଯ୍ୟକ୍ରମ ହାତକୁ ନିଆଯାଉଛି । ନାରୀଟିଏ ସମାଜରେ ନିଜକୁ ପ୍ରତିଷ୍ଠିତ କରିବାରେ ସଫଳ ହୁଏ ଯେତେବେଳେ ତା’ପାଖରେ ଉପଯୁକ୍ତ ଶିକ୍ଷା, ସ୍ୱାସ୍ଥ୍ୟସେବା ଏବଂ ସମାନତାର ଅଧିକାର ଉପଲବ୍ଧ । ସେତେବେଳେ ତା’ର ସମ୍ପୂର୍ଣ୍ଣ ଶାରୀରିକ, ମାନସିକ ଏବଂ ଆତ୍ମିକ ବିକାଶ ସମ୍ଭବପର ହୋଇଥାଏ।

କିନ୍ତୁ ପରିତାପର ବିଷୟ, ଆମ ସମାଜରେ ଏଭଳି ଅନେକ ମହିଳା ଅଛନ୍ତି ଯେଉଁମାନେ ଏକ ଆତ୍ମସମ୍ମାନପୂର୍ଣ୍ଣ ଜୀବନ ବଞ୍ଚିବାର ବହୁପୂର୍ବରୁ ଅର୍ଥାତ୍ ଛୋଟ ବେଳୁ ବାଲ୍ୟବିବାହର ଶିକାର ହୁଅନ୍ତି । ଆଜି ଏକବିଂଶ ଶତାବ୍ଦୀରେ ଗାଁଗହଳିରେ ବାଲ୍ୟବିବାହ ଭଳି ଘୃଣ୍ୟ ଅପରାଧ ଘଟିବା ଦୁର୍ଭାଗ୍ୟଜନକ । ୧୮ ବର୍ଷରୁ କମ୍ ବୟସର ଝିଅମାନେ ବାଲ୍ୟବିବାହର ଶିକାର ହେବା କେବଳ ଏକ ସାମାଜିକ କୁସଂସ୍କାର ନୁହେଁ, ଆଇନତଃ ଏହା ଏକ ଗୁରୁତର ଅପରାଧ । ଦାରିଦ୍ର‌୍ୟ, ଯୌତୁକ ଦାବି, ସାମାଜିକ ଓ ଧାର୍ମିକ ଚାପ, ଝିଅ ଅବିବାହିତ ହୋଇ ରହିଯିବାର ଭୟ, ନିରକ୍ଷରତା ଓ ଝିଅମାନଙ୍କ କ୍ଷେତ୍ରରେ ରୋଜଗାର କରିବାର ଅକ୍ଷମତା ଅନେକ ସମୟରେ ବାଲ୍ୟ ବିବାହର କାରଣ ପାଲଟିଛିି । ଝିଅମାନଙ୍କୁ ସଶକ୍ତ କରିବା ନିମନ୍ତେ ଆମ ରାଜ୍ୟ ସରକାର ସଂକଳ୍ପବଦ୍ଧ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆମ ରାଜ୍ୟର ଝିଅମାନଙ୍କ ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ଦକ୍ଷତା ବିକାଶକୁ ସଦାସର୍ବଦା ପ୍ରାଥମିକତା ଦେଇଆସିଛନ୍ତି । ପ୍ରତ୍ୟେକ ଝିଅକୁ ଏଭଳି ଭାବରେ ଆମେ ଗଢ଼ିବାକୁ ଚାହୁଁଛୁ ଯେମିତି ସେ ଆତ୍ମନିର୍ଭରଶୀଳ ହେବ ଏବଂ ନିଜ ଜୀବନକୁ ସଠିକ୍ ଢଙ୍ଗରେ ପରିଚାଳିତ କରିପାରିବ ।

ମହିଳା ଏବଂ ଶିଶୁ ଚାଲାଣ ବିରୋଧୀ ପଦକ୍ଷେପକୁ ଜୋରଦାର କରିବା ଆବଶ୍ୟକ । ସମନ୍ୱିତ ମହିଳା ଏବଂ ଶିଶୁ ଚାଲାଣ ବିରୋଧୀ ୟୁନିଟ୍‌ମାନ ଗଠନ କରାଯାଇ ମାନବ ଚାଲାଣ ଅପରାଧଗୁଡିକୁ ମୁକାବିଲା କରିବାରେ ଧ୍ୟାନ ଦେବା, ପୋଲିସ୍‌, ଓକିଲ, ସ୍ୱେଚ୍ଛାସେବୀ ଅନୁଷ୍ଠାନ, ନାଗରିକ ସମାଜ ଓ ଗଣମାଧ୍ୟମର ମିଳିତ ଉଦ୍ୟମ, ପ୍ରତିକ୍ରିୟା ଓ ଆଭିମୁଖ୍ୟ, ବିଭିନ୍ନ ବିଭାଗର ପ୍ରତ୍ୟକ୍ଷ ସଂପୃକ୍ତି ଏବଂ ସହଯୋଗ, ସରକାରୀ ବିଭାଗ ଓ ନାଗରିକ ସମାଜ ମଧ୍ୟରେ ସହଯୋଗ, ପୀଡିତ ବା ପୀଡିତା କେନ୍ଦ୍ରିକ ଆଭିମୁଖ୍ୟକୁ ସୁନିଶ୍ଚିତ କରିବା ଜରୁରୀ । ଏ ଦିଗରେ ରାଜ୍ୟ ସମାଜ ମଙ୍ଗଳ ବୋର୍ଡ ନିଷ୍ଠାପର ଉଦ୍ୟମ ଜାରି ରଖିବ ବୋଲି ମନ୍ତ୍ରୀ ଶ୍ରୀମତୀ ହେମ୍ବ୍ରମ୍ ପ୍ରକାଶ କରିଥିଲେ । ଯୋଜନା ଓ ସଂଯୋଜନ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ । ରାଜ୍ୟ ମହିଳା କମିଶନ୍ ଅଧ୍ୟକ୍ଷା ମିନତୀ ବେହେରା ରାଜ୍ୟର ୨୬ଟି ଜିଲ୍ଲାରେ ଏ ସମ୍ବନ୍ଧରେ ଆଲୋଚନା ଚକ୍ର ଆୟୋଗ ପକ୍ଷରୁ ଅନୁଷ୍ଠିତ ହୋଇସାରିଛି ବୋଲି କହିଥିଲେ । ରାଜ୍ୟ ସମାଜ ମଙ୍ଗଳ ବୋର୍ଡର ଅଧ୍ୟକ୍ଷା କଲ୍ୟାଣୀ ନାୟକ ସ୍ୱାଗତ ଭାଷଣ ଦେଇ କହିଲେ ଯେ ୧୯୫୪ରେ ରାଜ୍ୟ ସମାଜ ମଙ୍ଗଳ ବୋର୍ଡ ପ୍ରତିଷ୍ଠା ହେବା ପରଠାରୁ ବିଭିନ୍ନ ମହିଳା ଓ ଶିଶୁ କଲ୍ୟାଣ କାର୍ଯ୍ୟକ୍ରମରେ ନିଜକୁ ସାମିଲ କରିଆସିଛି । ବୋର୍ଡର ସଚିବ ଶୋଭନ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking