ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ଘୋଟାଲା ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଗୁରୁବାର ରାଉଜ୍ ଏଭେନ୍ୟୁ କୋର୍ଟରେ ଦ୍ୱିତୀୟ ଚାର୍ଜଶିଟ୍ ଦାଖଲ କରିଛି । ଏଥିରେ ପଞ୍ଜାବର ଶିରୋମଣି ଅକାଳୀ ଦଳର ପୂର୍ବତନ ବିଧାୟକ ଦୀପ ମାଲ୍ହୋତ୍ରାଙ୍କ ପୁତ୍ର ଗୌତମ ମାଲ୍ହୋତ୍ରା, ୱାଇଏସ୍ଆର୍ କଂଗ୍ରେସ ସାଂସଦ ମଙ୍ଗୁଟା ଶ୍ରୀନିବାସୁଲୁ ରେଡ୍ଡୀଙ୍କ ପୁତ୍ର ରାଘବ ମଙ୍ଗୁଟା ଏବଂ ରାଜେଶ ଯୋଶୀଙ୍କ ସମେତ ପାଞ୍ଚ ଫାର୍ମ ନାମ ସାମିଲ କରାଯାଇଛି । ରାଜେଶ ଜୋଶୀ ଚାରିୟଟ୍ ପ୍ରଡକ୍ସନ୍ ମିଡିଆ ପ୍ରାଇଭେଟ୍ ଲିମିଟେଡ୍ର ମାଲିକ । ସେ ୨୦୨୨ ଗୋଆ ବିଧାନସଭା ନିର୍ବାଚନରେ ଆମ୍ ଆଦ୍ମୀ ପାର୍ଟି (ଆପ୍)ର ପ୍ରଚାର କରିଥିଲେ ।
ଏହା ପୂର୍ବରୁ ଇଡି ପ୍ରଥମ ଚାର୍ଜଟିଟ୍ରେ ୧୨ ଜଣ ବ୍ୟକ୍ତିଙ୍କ ନାମ ରେକର୍ଡ କରିଥିଲା । ସେମାନଙ୍କ ମଧ୍ୟରେ ବିଜୟ ନାୟର, ଶରଥ ରେଡ୍ଡୀ, ବିନୟ ବାବୁ, ଅଭିଷେକ ବୋଇନପଲ୍ଲୀ, ଅମିତ ଆରୋରା ଏବଂ ୭ କମ୍ପାନୀ ନାମ ସାମିଲ ଥିଲା । ଏହି ମାମଲାରେ ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଜେଲ୍ରେ ଅଛନ୍ତି । ମାତ୍ର ବର୍ତ୍ତମାନ ପର୍ଯ୍ୟନ୍ତ ସିସୋଦିଆ ଏବଂ ବିଜିନେସ୍ମ୍ୟାନ୍ ଅମନଦୀପ ସିଂହ ଢ଼ାଲ୍ଙ୍କ ବିରୋଧରେ ଚାର୍ଜଶିଟ୍ ଫାଇଲ୍ କରାଯାଇ ନାହିଁ । ଇଡି ପକ୍ଷରୁ କୋର୍ଟକୁ କୁହାଯାଇଛି ଗୌତମ ମାଲ୍ହୋତ୍ରାଙ୍କୁ ଫେବୃଆରୀ ୭, ରାଜେଶ ଜୋଶୀଙ୍କ ଫେବୃଆରୀ ୮ ଏବଂ ରାଘବ ମଙ୍ଗୁଟାଙ୍କୁ ଫେବୃଆରୀ ୧୦ରେ ଗିରଫ କରାଯାଇଥିଲା । ଏହି ତିନିଜଣଙ୍କ ଜେଲ୍ ହାଜତ ମିଆଦ ଏପ୍ରିଲ୍ ୧୪ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ସେହିଦିନ ଏହାର ଶୁଣାଣି ହେବ । ଅନ୍ୟପକ୍ଷରେ ସିସୋଦିଆଙ୍କ ଜାମିନ ଆବେଦନ ଉପରେ ଶୁଣାଣି ଏପ୍ରିଲ୍ ୨୦ ତାରିଖରେ କରାଯିବ ।