32.1 C
Bhubaneswar
Saturday, October 19, 2024
Homeଓଡିଶାଭୁବେନଶ୍ୱରରେ ଜମି କବଜା କରୁଥିବା ଗ୍ୟାଙ୍ଗ ସକ୍ରିୟ; ୭ ବାଉନ୍‌ସର ଗିରଫ, ମାଷ୍ଟରମାଇଣ୍ଡ ଫେରାର

ଭୁବେନଶ୍ୱରରେ ଜମି କବଜା କରୁଥିବା ଗ୍ୟାଙ୍ଗ ସକ୍ରିୟ; ୭ ବାଉନ୍‌ସର ଗିରଫ, ମାଷ୍ଟରମାଇଣ୍ଡ ଫେରାର

ଭୁବନେଶ୍ୱର: ରାଜଧାନରେ ଜମି ହଡ଼ପ ଏବଂ ବେଆଇନ୍ କବଜା କରୁଥିବା ଗ୍ୟାଙ୍ଗ ସକ୍ରିୟ ହୋଇ ଉଠିଛନ୍ତି । ଜମି ହଡ଼ପ କରୁଥିବା ଏକ ଗ୍ୟାଙ୍ଗର ୭ ଜଣ ସଦସ୍ୟଙ୍କୁ କମିସନେରଟ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ମୁଖ୍ୟ ଅଭିଯୁକ୍ତ ଫେରାର ହୋଇଯାଇଛି । ଗିରଫ ଅଭିଯୁକ୍ତମାନେ ହେଲେ ଚନ୍ଦକା ମଳିପଡ଼ାର ନକୁଳ ମହାକୁଡ, ନିଳାଦ୍ରୀ ବିହାରର ଆଶୀଷ ଜେନା, ବରମୁଣ୍ଡାର ଦୀପକ କୁମାର ଦାସ, ସାଇନ୍ସ ପାର୍କ ବସ୍ତିର ଲକ୍ଷ୍ମୀକାନ୍ତ ଦାସ, ପିପିଲିର ରାଜେଶ କୁମାର ପାତ୍ର, ଡେଲାଙ୍ଗର ପ୍ରଦୀପ କୁମାର ବଳିଆରସିଂହ ଓ ଅନ୍ଧାରୁଆର ଆଶୀଷ କୁମାର ରାୟ ।

ଅଭିୁକ୍ତମାନେ ବାଉନ୍ସର ବୋଲି ଭୁବନେଶ୍ୱର ଡିସିପି ପ୍ରତୀକ ସିଂ ଗୁରୁବାର ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ସେମାନେ ଲୋକଙ୍କୁ ଡରେଇ ଧମକାଇ ମାଡ଼ମାରି ଜୋରଜବରଦସ୍ତ ଜାଗା ଦଖଲ କରୁଥିଲେ । ଗତ ୨୪ ତାରିଖରେ ନୟାପଲ୍ଲୀର ୨ ବ୍ୟବସାୟୀ ସୁବାସ ଅଗ୍ରୱାଲ ଏବଂ ପ୍ରଦୀପ ସାମଲଙ୍କ ୨ଟି ଦୋକାନ ଭାଙ୍ଗିବା ସହ ଲୁଟପାଟ୍ କରିବା ନେଇ ଥାନାରେ ଅଭିଯୋଗ ହୋଇଥିଲା । ପୁଲିସ ସୂଚନାମୁତାବକ, ଗ୍ୟାଙ୍ଗ ସଦସ୍ୟମାନେ ୨୪ ତାରିଖ ରାତିରେ ୪ଟି ଦୋକାନ ଘର କବ୍‌ଜ୍ଜା କରିବାକୁ ଷଡ଼ଯନ୍ତ୍ର ରଚିଥିଲେ । ଏଥିପାଇଁ ଗ୍ୟାଙ୍ଗର ମାଷ୍ଟରମାଇଣ୍ଡ ସ୍ଥାନୀୟ ଗୁଣ୍ଡା ଏବଂ ବସ୍ତି ମହିଳାମାନଙ୍କ ସହଯୋଗ ନିଆଯାଇଥିଲା ।

ଯେଉଁ ସବୁ ଦୋକାନ ଭାଙ୍ଗାଯିବାକୁ ଥିଲା ସେଠାରେ ପ୍ରଥମେ ମହିଳାମାନେ ଏକତ୍ରିତ ହୋଇଥିଲେ । ଏକଜୁଟ ହୋଇ ସେମାନେ ପାଟିତୁଣ୍ଡ ଏବଂ ହୋ ହାଲ୍ଲା କରିଥିଲେ । ଘଟଣାସ୍ଥଳରେ ଏକ ଭୟର ବାତାବରଣ ସୃଷ୍ଟି କରାଗଲା । ମହିଳାଙ୍କ ପଛରେ ଥିବା ଗ୍ୟାଙ୍ଗର ଅନ୍ୟ ସଦସ୍ୟମାନେ କିଛି ସମୟ ପରେ ସକ୍ରୀୟ ହୋଇ ଉଠିଥିଲେ । ଶେଷରେ ସାମ୍ନାକୁ ଆସି ଜେସିବି ସାହାଯ୍ୟରେ ଦୋକାନ ଘର ଗୁଡିକୁ ଭାଙ୍ଗି ଦେଲେ । ପ୍ରଥମ ଘଟଣାରେ ନୟାପଲ୍ଲୀ ଥାନା ନିକଟସ୍ଥ ଏନ୍‌ଏଚ୍ କଡ଼ରେ ଏକ ଜମିଥିଲା । ଯାହାର ମାଲିକ ଦୁଇ ଭାଇ ଥିଲେ । ଏହା ଏକ ବିବାଦିୟ ଜମି । କାରଣ ସେହି ଜମି ଉପରେ ପୂର୍ବରୁ ଦୁଇଟି ଦୋକାନ ଘର ଥିଲା ।

ସେମାନେ ଜମିର କିଛି ଭାଗ ଅନ୍ୟ ଜଣେ ବ୍ୟକ୍ତିକୁ ବିକ୍ରି କରିଥିଲେ । ତେବେ ଜମି କିଣିଥିବା ଲୋକ ଜମିକୁ ନିଜ ଅକ୍ତିଆରକୁ ନେଇ ପାରୁନଥିଲେ । ବିବାଦୀୟ ଜମିକୁ କିଣିଥିବା ବ୍ୟକ୍ତି ଉକ୍ତ ଜମିକୁ ନିଜ ଅକ୍ତିଆରକୁ ନେବା ଲାଗି ଏହି ଗ୍ୟାଙ୍ଗକୁ ସୁପାରି ଦେଇଥିଲେ । ଗ୍ୟାଙ୍ଗ ସଦସ୍ୟମାନେ ପ୍ରଥମେ ଉକ୍ତ ଦୋକାନ ମାଲିକଙ୍କୁ ଡରାଇବା ଆରମ୍ଭ କଲେ । ହେଲେ ଶୁଣି ନ ଥିଲେ । ଯାହାଫଳରେ ଏହି ଗ୍ୟାଙ୍ଗ ଜେସିବି ଲଗାଇ ଦୋକାନ ଘର ଭାଙ୍ଗି ଥିଲେ । ଏ ନେଇ ୨୫ ତାରିଖ ଦିନ ସୁବାସ ଚନ୍ଦ୍ର ଅଗରୱାଲଙ୍କ ଅଭିଯୋଗ କ୍ରମେ ଥାନାରେ ମାମଲା ରୁଜୁ କରାଯାଇଥିଲା ।

ତାଙ୍କ ଅଭିଯୋଗ ଅନୁଯାୟୀ, ନୟାପଲ୍ଲୀ, ପ୍ଲଟ ନଂ ୧୪୭୦ରେ ଥିବା ତାଙ୍କ ଦୋକାନକୁ ୨୪ ତାରିଖ ରାତିରେ କିଛି ଦୁବୃର୍ତ୍ତ ଜେସିବି ଲଗାଇ ଭାଙ୍ଗିବା ସହ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଲୁଟ୍ କରିଥିଲେ । ସେହିପରି ପ୍ରଦୀପ କୁମାର ସାମଲ ନାମକ ବ୍ୟକ୍ତି ମଧ୍ୟ ଅନୁରୂପ ଅଭିଯୋଗ କରିଥିଲେ । ରାଜଧାନୀରେ ୨୪ ତାରିଖ ଦିନ ସମାନ ଆଉ ୨ଟି ଅଭିଯୋଗ ଆସିଥିଲା । ଏହିଭଳି ଗୋଟିଏ ଦିନରେ ୪ଟି ଅଭିଯୋଗ ଆସିବା ପରେ ପୁଲିସ ପକ୍ଷରୁ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରି ତଦନ୍ତ କରାଯାଇଥିଲା । ତଦନ୍ତ ସମୟରେ ଉକ୍ତ ଗ୍ୟାଙ୍ଗ ସମ୍ପର୍କରେ ପୁଲିସ ସୂଚନା ପାଇଥିଲା । ବିଭିନ୍ନ ସ୍ଥାନରେ ପୁଲିସ ଛାପା ମାରି ଗ୍ୟାଙ୍ଗର ୭ ଜଣକୁ ଗିରଫ କରିବା ପରେ ସେମାନଙ୍କୁ କୋର୍ଟ ଚାଲାଣ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking