27.1 C
Bhubaneswar
Saturday, October 19, 2024
Homeଓଡିଶାଏସ୍‌‌ସିବିରେ ସଫଳ ହେଲା କିଡନୀ ପ୍ରତିରୋପଣ

ଏସ୍‌‌ସିବିରେ ସଫଳ ହେଲା କିଡନୀ ପ୍ରତିରୋପଣ

କଟକ : ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ସଫଳତାର ନୂତନ ଫର୍ଦ୍ଦ ଯୋଡ଼ିଛି ଏସ୍‌‌ସିବି ମେଡିକାଲ କଲେଜ ଓ ହସ୍ପିଟାଲ। ଦୁଇ କିଡ୍‌‌ନୀ ରୋଗୀଙ୍କୁ ମିଳିଛି ନୂଆ ଜୀବନ। କାର୍ଡିଓ ଥୋରାସିସ୍‌‌ ଆଣ୍ଡ ଭସ୍କୁଲାର ସର୍ଜରୀ(ସିଟିଭିଏସ୍‌‌) ବିଭାଗରେ ବ୍ରେନ୍‌‌ ଡେଡ୍‌‌ ଘୋଷିତ ମହିଳାଙ୍କ ଠାରୁ କିଡ୍‌‌ନୀ କଢ଼ାଯାଇ ଦୁଇ ବ୍ୟକ୍ତିଙ୍କ ଶରୀରରେ ପ୍ରତିରୋପଣ କରାଯାଇଛି। ମଙ୍ଗଳବାର ବିଳମ୍ବିତ ରାତିରେ ୟୁରୋଲୋଜି ବିଭାଗ ମୁଖ୍ୟ ଡାକ୍ତର ସମୀର ସ୍ବାଇଁଙ୍କ ନେତୃତ୍ବରେ ଏସ୍‌‌ସିବି ଡାକ୍ତରୀ ଦଳକୁ ମିଳିଛି ଏହି ବିରଳ ସଫଳତା। ଏସ୍‌‌ସିବି ମେଡିକାଲରେ ଏହା ପାଲଟିଛି ୫ମ ଏବଂ ୬ଷ୍ଠ କାଡାଭରିକ କିଡ୍‌‌ନୀ ପ୍ରତିରୋପଣ। ଜଗତପୁର ଅଞ୍ଚଳର ୫୭ବର୍ଷୀୟ ତନୁଜା କର ସିଟିଭିଏସ୍‌‌ ବିଭାଗରେ ଚିକିତ୍ସିତ ହେଉଥିଲେ। ସେ ମସ୍ତିଷ୍କାଘାତରେ ପୀଡ଼ିତ ହୋଇଥିଲେ। ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ଥିଲା। ଡାକ୍ତରଙ୍କ ଶତପ୍ରତିଶତ ଚେଷ୍ଟା ସତ୍ତ୍ବେ ତାଙ୍କ ଜୀବନ ରକ୍ଷା ସମ୍ଭବ ନୁହେଁ ବୋଲି ଜଣାପଡ଼ିଥିଲା। ଡାକ୍ତରମାନେ ତାଙ୍କୁ ବ୍ରେନ ଡେଡ୍‌‌ ଘୋଷଣା କରିଥିଲେ। ତନୁଜାଙ୍କ ପରିବାର ଲୋକଙ୍କ ସହମତି କ୍ରମେ ଅଙ୍ଗଦାନ ନିମନ୍ତେ ପ୍ରକ୍ରିୟା ଆରମ୍ଭ କରାଯାଇଥିଲା।

ଷ୍ଟେଟ୍‌‌ ଅର୍ଗାନ ଆଣ୍ଡ ଟିସୁ ଟ୍ରାନ୍ସପ୍ଲାଣ୍ଟ ଅର୍ଗାନାଇଜେସନ(ସୋଟୋ) ସହ ମେଡିକାଲ କର୍ତ୍ତୃପକ୍ଷ ଏ ସଂକ୍ରାନ୍ତରେ ଆଲୋଚନା କରିବା ପରେ ଏସ୍‌‌ସିବି ମେଡ଼ିକାଲର ସ୍ୱତନ୍ତ୍ର ଡାକ୍ତରୀ ଦଳ ସିଟିଭିଏସ୍‌‌ ବିଭାଗରେ ପହଞ୍ଚିଥିଲେ।ସେଠାରୁ ତନୁଜାଙ୍କ ଶରୀରରୁ ଦୁଇ କିଡନୀ ମଙ୍ଗଳବାର ରାତିରେ ସଫଳତାର ସହ କଢ଼ାଯାଇଥିଲା। ଇତି ମଧ୍ୟରେ ୟୁରୋଲୋଜି ବିଭାଗରେ ପ୍ରତିରୋପଣ ଅପେକ୍ଷାରେ ଥିବା ରୋଗୀଙ୍କୁ ତୁରନ୍ତ ଡକାଯାଇଥିଲା। ପ୍ରଥମ ତାଲିକାଅନୁସାରେ ବଡ଼ ମେଡିକାଲରେ ପହଞ୍ଚିଥିଲେ ୨୨ବର୍ଷୀୟ ଆଲୋକ। ତାଙ୍କ ଘର କଟକରେ ବୋଲି ପ୍ରାଥମିକ ସୂଚନା ମିଳିଛି। ଆଲୋକଙ୍କ ଦେହରେ ତନୁଜାଙ୍କ କିଡ୍‌‌ନୀ ପ୍ରତିରୋପଣ ହୋଇଛି। ସେହିପରି ଅନ୍ୟ ଏକ କିଡ୍‌‌ନୀ ସୂର୍ଯ୍ୟ ରଞ୍ଜନ ସାହୁଙ୍କ ଶରୀରରେ ପ୍ରତିରୋପଣ କରାଯାଇଛି। ଆଲୋକଙ୍କର ଏହା ପ୍ରଥମ ଓ ସୂର୍ଯ୍ୟଙ୍କରର ଏହା ଦ୍ୱିତୀୟ କିଡ଼ନୀ ପ୍ରତିରୋପଣ ବୋଲି ଜଣାପଡ଼ିଛି। ଅପରେସନ ସଫଳତାର ସହିତ ଶେଷ ହୋଇଥିବା ଡାକ୍ତର ସୂଚନା ଦେଇଛନ୍ତି। ଏହି ବିରଳ ଅପରେସନରେ ଡାକ୍ତର ଅରୁଣାଙ୍କ ସହିତ ୧୭ଜଣ ମେଡିକାଲ ଟିମ ସହଯୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking