ମୁମ୍ବାଇ: ଚଳିତ ମହିଳା ପ୍ରିମିୟର୍ ଲିଗ୍ (ଡବ୍ଲ୍ୟୁପିଏଲ୍)ରେ ଗୁରୁବାର ଏଠାକାର ବ୍ରାବୋର୍ଣ୍ଣ ଷ୍ଟାଡିୟମ୍ଠାରେ ସଂସ୍କରଣର ଷୋଡ଼ଶ ମ୍ୟାଚ୍ ଖେଳାଯାଇଥିବା ବେଳେ ଏଥିରେ ଗୁଜରାଟ ଜାଏଣ୍ଟ୍ସ ୧୧ ରନ୍ରେ ବିଜୟୀ ହୋଇଛି । ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷ ଏହି ମ୍ୟାଚ୍ରେ ପ୍ରଥମେ ବ୍ୟାଟିଂ ପାଇ ଗୁଜରାଟ ୪ ୱିକେଟ୍ ବିନିମୟରେ ୧୪୭ ରନ୍ କରିଥିଲା । ଏହାର ଜବାବରେ ଦିଲ୍ଲୀ ୧୮.୪ ଓଭର୍ରେ ୧୩୬ ରନ୍ରେ ଅଲ୍ଆଉଟ୍ ହେବା ଫଳରେ ଗୁଜରାଟ ପ୍ରଥମ ରାଉଣ୍ଡ୍ରେ ୧୦ ୱିକେଟ୍ରେ ବରଣ କରିଥିବା ପରାଜୟର ପ୍ରତିଶୋଧ ନେଇପାରିଥିଲା ।
ଗୁଜରାଟ ଓପନର ସୋଫିଆ ଡଙ୍କ୍ଲୀ ମାତ୍ର ୪ ରନ୍ କରି ଆଉଟ୍ ହେବା ପରେ ଅନ୍ୟତମ ଓପନର ଲୌରା ଉଲ୍ଭାର୍ଟ ଓ ହର୍ଲିନ୍ ଦେଓଲ୍ଙ୍କ ମଧ୍ୟରେ ୪୯ ରନ୍ର ଭାଗୀଦାରୀ ହୋଇଥିଲା । ଦେଓଲ୍ ୩୩ ବଲ୍ ଖେଳି ୪ଟି ଚୌକା ସହ ୩୧ ରନ୍ କରି ଆଉଟ୍ ହେବା ପରେ ଉଲ୍ଭାର୍ଟ ଓ ଆଶ୍ଲୀ ଗାର୍ଡନର୍ଙ୍କ ମଧ୍ୟରେ ୯୧ ରନ୍ର ଗୁରୁତ୍ୱପୂର୍ଣ୍ଣ ଭାଗୀଦାରୀ ହୋଇଥିଲା । ଇତିମଧ୍ୟରେ ଉଲ୍ଭାର୍ଟ ତାଙ୍କର ଅର୍ଦ୍ଧଶତକ ପୂରଣ କରିଥିଲେ । ତେବେ ୪୫ ବଲ୍ରେ ୬ଟି ଚୌକା ଓ ଗୋଟିଏ ଛକା ମାଧ୍ୟମରେ ୫୭ ରନ୍ କରିଥିବା ସମୟରେ ଉଲ୍ଭାର୍ଟ ଆଉଟ୍ ହେବା ଫଳରେ ତାଙ୍କ ଉପାଦେୟ ଇନିଂସର ପରିସମାପ୍ତି ଘଟିଥିଲା ।
କିନ୍ତୁ ଗାର୍ଡନର୍ ତାଙ୍କ ବ୍ୟାଟିଂ ଜାରି ରଖି ମାତ୍ର ୩୩ଟି ବଲ୍ରେ ୯ଟି ଚୌକା ମାଧ୍ୟମରେ ୫୧ ରନ୍ କରି ଶେଷ ପର୍ଯ୍ୟନ୍ତ ଅପରାଜିତ ରହିଥିଲେ । ଦିଲ୍ଲୀ ପକ୍ଷରୁ ଜେସ୍ ଜୋନାସନ୍ ୨ଟି ଏବଂ ମାରିଜେନ୍ କାପ୍ ଓ ଅରୁନ୍ଧତୀ ରେଡ୍ଡୀ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ । ବ୍ୟାଟିଂରେ ଦିଲ୍ଲୀ କୌଣସି ବ୍ୟାଟ୍ସଓମ୍ୟାନ୍ଙ୍କଠାରୁ ସ୍ଥିର ପ୍ରଦର୍ଶନ ପାଇବାରେ ବିଫଳ ହୋଇଥିଲା । ଦଳ କ୍ରମାଗତ ବ୍ୟବଧାନରେ ୱିକେଟ୍ ହରାଇବା ଫଳରେ କେବଳ ୪ ଜଣ ବ୍ୟାଟ୍ସଓମ୍ୟାନ୍ ଦୁଇ ଅଙ୍କରେ ପହଞ୍ଚିଥିଲେ ।
କାପ୍ ୨୯ ବଲ୍ ଖେଳି ୪ଟି ଚୌକା ଓ ଗୋଟିଏ ଛକା ସହ ୩୬, ଅରୁନ୍ଧତୀ ୧୭ ବଲ୍ରେ ୪ଟି ଚୌକା ସହ ୨୫, ଆଲାଇସ୍ କ୍ୟାପ୍ସୀ ୧୧ ବଲ୍ରେ ୨ଟି ଚୌକା ଓ ସମାନ ସଂଖ୍ୟକ ଛକା ସହ ୨୨ ଏବଂ ଅଧିନାୟିକା ମେଗ୍ ଲାନିଙ୍ଗ୍ ୧୬ ବଲ୍ ଖେଳି ୩ଟି ଚୌକା ମାଧ୍ୟମରେ ୧୮ ରନ୍ କରିଥିଲେ । ଗୁଜରାଟ ପକ୍ଷରୁ କିମ୍ ଗାର୍ଥ, ତନୁଜା କନ୍ୱର୍ ଓ ଗାର୍ଡନର୍ ୨ଟି ଲେଖାଏଁ ଏବଂ ଅଧିନାୟିକା ସ୍ନେହ ରାଣା ଓ ଦେଓଲ୍ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ । ଅଲ୍ରାଉଣ୍ଡ୍ ପ୍ରଦର୍ଶନ ପାଇଁ ଗାର୍ଡନର୍ ପ୍ଲେୟର୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଥିଲେ । ଟୁର୍ଣ୍ଣାମେଣ୍ଟ୍ରେ ଶୁକ୍ରବାର ବିଶ୍ରାମ ଦିବସ ରହିଛି ।