ଚଣ୍ଡିଗଡ଼: ଜଣେ ବ୍ୟକ୍ତିଙ୍କ ବିରୋଧରେ ଦୁର୍ବ୍ୟବହାର ମାମଲାରେ ଜଣେ ମହିଳା ଏଫଆଇଆର ରୁଜୁ କରିଥିଲେ । ହେଲେ ଏହା ଉପରେ ହରିଆଣା ଓ ପଞ୍ଜାବ ହାଇକୋର୍ଟ ଶୁଣାଣି କରିବା ପରେ ମହିଳା ଜଣଙ୍କ ମଥ୍ୟା ଅଭିଯୋଗ ଆଣିଥିବା ପ୍ରମାଣ ହୋଇଥିଲା । ହାଇକୋର୍ଟ ଉକ୍ତ ମହିଳା ଜଣଙ୍କ କରିଥିବା ଅଭିଯୋଗକୁ ମିଥ୍ୟା କହିବା ସହ ବର୍ତ୍ତମାନ ମିଥ୍ୟା ଅଭିଯୋଗର ଟ୍ରେଣ୍ଟ ଚାଲିଛି ବୋଲି କହିଛନ୍ତି । ଏହି ମାମଲାରେ ବିଚାରପତି ମିଥ୍ୟା ଅଭିଯୋଗ ଆଣିଥିବା ମହିଳାଙ୍କ ଉପରେ ଏକ ଲକ୍ଷ ଟଙ୍କାର ଫାଇନ ଲଗାଇଛନ୍ତି ।
ବରୁଣ ବଗ୍ଗା ବନାମ ପଞ୍ଜାବ ସରକାରଙ୍କ ମାମଲାରେ ବିଚାରପତି ଆଲୋକ ଜୈନ କହିଛନ୍ତି, ପ୍ରଥମେ ମହିଳା ଜଣଙ୍କ ସର୍ବସାଧାରଣ ସ୍ଥାନରେ ସେହି ବ୍ୟକ୍ତିଙ୍କୁ ମାଡ଼ ମାରିଥିଲେ । ହେଲେ ସେ ଉକ୍ତ ବ୍ୟକ୍ତିଙ୍କ ବିରୋଧରେ ଦୁର୍ବ୍ୟବହାର କରିଥିବା ଏଫଆଇର ଦେଇଥିଲେ । ଏହାପରେ ସେ ବୁଝାମଣା କରିବା ପାଇଁ ରାଜି ହୋଇଥିଲେ । ବିଚାରପତି କହିଛନ୍ତି ଯେ ଏମିତି ଲାଗୁଛି ଯେମିତି ମହିଳା ଜଣଙ୍କ ଆଇନ ସହ ଖେଳୁଛନ୍ତି । ବିଚାରପତି ଆଲୋକ ଜୈନ କହିଛନ୍ତି ଯେ ସବୁ ବ୍ୟବସ୍ଥା ଜନତାଙ୍କ ପଇସାରେ ଚାଲିଛି । ଏପରି ଲୋକଙ୍କ ମଥ୍ୟା ଅଭିଯୋଗରେ ପୁଲିସ ଓ ଆନ୍ଦୋଳନକାରୀ ବିନା କାରଣରେ ହଇରାଣ ହେଉଛନ୍ତି । ଏପରି ଲୋକମାନେ ନିଜ ଇଗୋ ପାଇଁ ମାମଲା ରୁଜୁ କରିଥାନ୍ତି ଏବଂ ନିଜ ସୁବିଧାରେ ବୁଝାମଣା କରିଥାନ୍ତି ।