28.1 C
Bhubaneswar
Sunday, September 29, 2024
Homeଓଡିଶା୩ ବର୍ଷ ପରେ ନୂଆଦିଲ୍ଲୀରେ ଅନୁଷ୍ଠିତ ହେବ "ଓଡ଼ିଶା ପର୍ବ-୨୦୨୩'

୩ ବର୍ଷ ପରେ ନୂଆଦିଲ୍ଲୀରେ ଅନୁଷ୍ଠିତ ହେବ “ଓଡ଼ିଶା ପର୍ବ-୨୦୨୩’

ଭୁବନେଶ୍ୱର: ତିନି ବର୍ଷର ବ୍ୟବଧାନ ପରେ ଦୀଲ୍ଲୀରେ ଆୟୋଜିତ ହେବାକୁ ଯାଉଛି “ଓଡ଼ିଶା ପର୍ବ-୨୦୨୩’ । ୨୦୧୭ ମସିହାରେ ନୂଆଦିଲ୍ଲୀସ୍ଥିତ ଇଣ୍ଡିଆ ଗେଟ୍ ଉଦ୍ୟାନରେ ଆରମ୍ଭ ହୋଇଥିବା “ଓଡ଼ିଶା ପର୍ବ’ କରୋନା ଯୋଗୁଁ ଗତ ୨୦୨୦ ମସିହାରେ ବନ୍ଦ ରହିଥିଲା ଓ ୨ ବର୍ଷ ଧରି ଏହା ଆଭାସୀ ମାଧ୍ୟମରେ ପ୍ରସାରିତ ହୋଇଥିଲା ।

“ଓଡ଼ିଆ ସମାଜ, ନୂଆଦିଲ୍ଲୀ’ ପକ୍ଷରୁ ଆସନ୍ତା ୨୪ରୁ ୨୬ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଥିବା ଏହି ତ୍ରିଦିବସୀୟ ଉତ୍ସବ ନୂଆଦିଲ୍ଲୀସ୍ଥିତ ଜବାହରଲାଲ ନେହରୁ ଷ୍ଟାଡିୟମରେ ଅନୁଷ୍ଠିତ ହେବାକୁ ଯାଉଛି । ଆୟୋଜିତ ହେବାକୁ ଥିବା ଏହି ତ୍ରିଦିବସୀୟ ସାଂସ୍କୃତିକ ମହାକୁମ୍ଭ ଓଡ଼ିଶାର ଅତୁଳନୀୟ କଳା, ସଂସ୍କୃତି, ଐତିହ୍ୟ, ପରମ୍ପରା, ସଙ୍ଗୀତ, ଲୋକନୃତ୍ୟ, ପାରମ୍ପରିକ ଖାଦ୍ୟ, ହସ୍ତତନ୍ତ ଓ ହସ୍ତଶିଳ୍ପର ଏକ ଅଦ୍ଭୁତପୂର୍ବ ସଙ୍ଗମର ପୁନଃ ପ୍ରଦର୍ଶନ କରିବ ଦିଲ୍ଲୀବାସୀଙ୍କ ସମ୍ମୁଖରେ । ୨୪ ତାରିଖ ସନ୍ଧ୍ୟାରେ ଦେଶ ବିଦେଶରୁ ବିଭିନ୍ନ କ୍ଷେତ୍ରରେ ସୁଖ୍ୟାତି ଅର୍ଜ୍ଜନ କରିଥିବା ଓଡ଼ିଆ ବୁଦ୍ଧିଜୀବୀ ତଥା ଖ୍ୟାତନାମା ବ୍ୟକ୍ତିତ୍ୱମାନେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିବେ ।

ଉଦ୍‌ଘାଟନୀ ଉତ୍ସବର ପ୍ରଥମ ସନ୍ଧ୍ୟାରେ ପରିବେଷିତ ହେବାକୁ ଯାଉଛି ନାଟକ “ଆହେ ନୀଳଶୈଳ’ । ଏହି ଅଦ୍ଭୁତ ନାଟକରେ ନାଏକ ନାଜିମ୍‌ର ଲୋଲୁପଦୃଷ୍ଟିରୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଶ୍ରୀଅଙ୍ଗକୁ ସୁରକ୍ଷା ଦେବା ପାଇଁ ତତ୍କାଳୀନ ଗଜପତି ରାମଚନ୍ଦ୍ରଦେବଙ୍କ ନିରନ୍ତର ପ୍ରୟାସ ଓ ଏହି ସମୟରେ ସେ ଭୋଗ କରିଥିବା ନାନା ବାଧାବିଘ୍ନକୁ ଅତି ନିଖୁଣ ଭାବେ ଦର୍ଶାଯାଇଛି । ଦ୍ୱିତୀୟଦିନ ମଞ୍ଚରେ ଓଡ଼ିଶୀ ନୃତ୍ୟଗୁରୁ ରତିକାନ୍ତ ମହାପାତ୍ର ଏବଂ ତାଙ୍କ ଶିଷ୍ୟମାନଙ୍କ ଦ୍ୱାରା “ଚିତ୍ରଭିତାନମ’ ପରିବେଷଣ କରାଯିବ । ତତ୍‌ପଶ୍ଚାତ “ଆଦି ବାଦ୍ୟ’ଙ୍କ ଲୋକବାଦ୍ୟ ଏବଂ ଗୌରବମୟ ଆଦିବାସୀ ନୃତ୍ୟ “ସ୍ୱରମୂର୍ଚ୍ଛନା’ ମଞ୍ଚକୁ କରିବ ମହିମାମଣ୍ଡିତ । ଆନ୍ତର୍ଜାତିକ ସ୍ତରରେ ଖ୍ୟାତି ଅର୍ଜନ କରିଥିବା ଓଡ଼ିଶୀ ନୃତ୍ୟଶିଳ୍ପୀ ତଥା ଗୁରୁ ଶାଶ୍ୱତ ଯୋଶୀଙ୍କ ସହ ତାଙ୍କ ଶିଷ୍ୟମାନେ ପ୍ରକୃତ ଲୋକଧ୍ୱନି ଓ ପ୍ରକୃତ ଓଡ଼ିଶା ଆଧାରିତ “ତିକ୍‌ତା କିତା’ ପ୍ରଦର୍ଶନ କରିବେ ଏବଂ ସର୍ବଶେଷରେ ଲୋକପ୍ରିୟ ଯୁବ ସମ୍ବଲପୁରୀ ଗାୟକ ମଣ୍ଟୁ ଛୁରିଆଙ୍କ ସଙ୍ଗୀତର ତାଳରେ ଝୁମିବେ ଦିଲ୍ଲୀବାସୀ ।

ଉଦ୍‌ଯାପନୀ ଉତ୍ସବରେ ସର୍ବପ୍ରଥମେ ଗୁରୁ ଶାଶ୍ୱତ ଯୋଶୀ ଏବଂ ଗ୍ରୁପ୍‌ଙ୍କ ଦ୍ୱାରା ଓଡ଼ିଶୀ ନୃତ୍ୟ “ଚିରନମସ୍ୟ ପରଂବ୍ରହ୍ମ’ ମଞ୍ଚସ୍ଥ ହେବ । ପରେ ପଶ୍ଚିମଓଡ଼ିଶାର ସଙ୍ଗୀତ ଅନୁଷ୍ଠାନ “ଆଦିଧୂନ୍‌’ର ସଞ୍ଚାଳକ ରବି ରତନ ସାହୁ ଓ ଗ୍ରୁପ୍‌ଙ୍କ ଦ୍ୱାରା “ମହାନଦୀ- ଓଡ଼ିଶା ଓ ସଂସ୍କୃତି’ ଏବଂ ଗୁରୁ ଅନିରୁଦ୍ଧଙ୍କ ଦ୍ୱାରା ପ୍ରସ୍ତୁତ ଛଉ ଓ ପାଇକ ନୃତ୍ୟର ଏକ ଅପୂର୍ବ ସଂଯୋଜନା “ଅନନ୍ୟ ଓଡ଼ିଶା’ ପରିବେଷିତ ହେବ । ଅନନ୍ୟା ଶ୍ରୀତମ ନନ୍ଦଙ୍କ ସୁଫିଆନା ସଙ୍ଗୀତ ଏବଂ ସନ୍ଦୀପ ମହାନ୍ତିଙ୍କ ତାଳବାଦ୍ୟ ଅନ୍ତିମ ସନ୍ଧ୍ୟାରେ ପରିବେଷଣ କରାଯିବ । ଏତଦ୍‌ବ୍ୟତୀତ ଓଡ଼ିଶାର ପ୍ରତି ଜିଲ୍ଲାରୁ ଆସିଥିବା ଲୋକନୃତ୍ୟର ଝଲକ ମଧ୍ୟ ପରିବେଷଣ କରାଯିବ ।

ଏଥିରେ ଗଞ୍ଜାମ ଜିଲ୍ଲାର ଯୋଡ଼ିଶଙ୍ଖ, ଦଣ୍ଡ, ପଶୁମୁଖା ନୃତ୍ୟ ଓ ରଣପା, ଆଦିବାସୀ ବହୁଳ ମାଲକାନଗିରିର ପ୍ରାଚୀନ ବଣ୍ଡା ଓ ସୁନ୍ଦରଗଡ଼ର ଓରାମ୍ ନୃତ୍ୟ, ପୁରୀର ସାହିଯାତ ଓ ଘୋଡ଼ାନାଚ, ପଶ୍ଚିମଓଡ଼ିଶାର ଲୋକନୃତ୍ୟ, ଖୋର୍ଦ୍ଧା ଜିଲ୍ଲାର ସାମରିକ କଳା ଓ ପାଇକ ନାଚ ଆଦି ପ୍ରଦର୍ଶନ କରାଯିବ । ଏହାବ୍ୟତୀତ ଓଡ଼ିଶାର ବିଭିନ୍ନ ଅଞ୍ଚଳର ସ୍ୱାଦିଷ୍ଟ ବ୍ୟଞ୍ଜନ, ମିଷ୍ଠାନ୍ନ, ପଥପ୍ରାନ୍ତ ଖାଦ୍ୟ ଏକତ୍ର ଏକସ୍ଥାନରେ ପରଷାଯିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking