19.1 C
Bhubaneswar
Friday, November 22, 2024
Homeଓଡିଶାନିଶ୍ଚିତ ଦୁର୍ଘଟଣା ମୁଖରୁ ରକ୍ଷାପାଇଲା ଭୁବନେଶ୍ୱର-ବାଙ୍ଗାଲୋର ଏୟାର ଏସିଆ ବିମାନ

ନିଶ୍ଚିତ ଦୁର୍ଘଟଣା ମୁଖରୁ ରକ୍ଷାପାଇଲା ଭୁବନେଶ୍ୱର-ବାଙ୍ଗାଲୋର ଏୟାର ଏସିଆ ବିମାନ

ଭୁବନେଶ୍ୱର: ଭୁବନେଶ୍ୱରରୁ ବାଙ୍ଗାଲୋର ଯାଉଥିବା ଏୟାର ଏସିଆ ବିମାନ ଆଜି ଏକ ନିଶ୍ଚିତ ଦୁର୍ଘଟଣା ମୁଖରୁ ରକ୍ଷା ପାଇଯାଇଛି । ସେହି ବିମାନରେ ଯାତ୍ରୀ ଥିବା ଜଣେ ପାଇଲଟ୍‌ଙ୍କ ସଚେତନ ପଦକ୍ଷେପ ଯୋଗୁଁ ବିମାନରେ ଥିବା ୧୭୦ରୁ ଊର୍ଦ୍ଧ୍ୱ ଯାତ୍ରୀ, ୨ ଜଣ ପାଇଲଟ ଓ ୪ ଜଣ ବିମାନ ପରିଚାରିକାଙ୍କ ଜୀବନ ରକ୍ଷା ହୋଇପାରିଛି । ବିମାନରେ ଯାତ୍ରୀ ଥିବା ସଂପୃକ୍ତ ପାଇଲଟ୍ ହେଲେ ସିରାଜୁଦ୍ଦିନ କମ୍ପାନୀର ଏମ୍‌ଡି କ୍ୟାପ୍‌ଟେନ୍ ମିରାଜ ଉଷା ।

ଏୟାର ଏସିଆ ବିମାନ ଏୟାର ବସ୍‌-୩୨୦ ଭୁବନେଶ୍ୱର ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦରରୁ ଆଜି ୫ଟା ୪୫ରେ ଉଡ଼ାଣ ଭରିଥିଲା । କ୍ୟାପ୍‌ଟେନ୍ ଉଷା ସିଟ୍ ନମ୍ବର ୧/ଏସ୍‌ରେ ଝରକା ପାଶ୍ୱର୍ରେ ବସିଥିଲେ । ବିମାନଟି ଟେକ୍‌ଅପ୍ ନେବାର ମାତ୍ର ୧/୨ ମିନିଟ୍ ମଧ୍ୟରେ ଇଂଜିନ ବାହାର ପାଶ୍ୱର୍ରେ ଏକ ଶବ୍ଦ ହୋଇଥିଲା; ଯାହାକୁ କ୍ୟାପ୍‌ଟେନ୍ ଉଷା ଶୁଣିପାରିଥିଲେ । ତାଙ୍କୁ ଝରକା ଗ୍ଳାସ୍‌ରେ ଇଂଜିନର ବାହାର ପାଶ୍ୱର୍ ପୁରା ଦେଖାଯାଉଥିଲା । ବୋଧହୁଏ ଇଂଜିନରେ କିଛି ମାଡ଼ ହେବାରୁ ଶବ୍ଦ ହୋଇଥିଲା । ତାପରେ କ୍ୟାପ୍‌ଟେନ୍ ଉଷା ଦେଖିଲେ ଇଂଜିନର ଇନର କାଓଲ କ୍ଷତିଗ୍ରସ୍ତ ହୋଇଛି ଏବଂ ଫ୍ୟାନ୍ ବ୍ଳେଡ୍‌ରେ ସ୍ପାର୍କିଂ ହେଉଛି ।

ଏଭଳି ସ୍ଥିତିରେ ବିମାନ ଅଧିକ ସମୟ ଉଡ଼ାଣ କରିବା ନିଶ୍ଚିତ ବିପଦ ବୋଲି କ୍ୟାପ୍‌ଟେନ୍ ଉଷା ଜାଣି ସାରିଥିଲେ । ତେଣୁ ସେ କୌଣସି ସହଯାତ୍ରୀଙ୍କୁ ନଜଣାଇ କେବଳ ବିମାନ ପରିଚାରିକାଙ୍କୁ ଡାକି ଅବଗତ କରାଇବା ସହିତ ତୁରନ୍ତ କ୍ୟାପ୍‌ଟେନ୍‌ଙ୍କୁ ଜଣାଇବାକୁ କହିଥିଲେ । ପରିଚାରିକା ଜଣକ ତୁରନ୍ତ ଯାଇ ସେହି ବିମାନରେ ପାଇଲଟ୍ ଥିବା କ୍ୟାପ୍‌ଟେନ୍ ଏମ୍‌. ଦୀପକଙ୍କୁ ଜଣାଇଥିଲେ । କ୍ୟାପ୍‌ଟେନ୍ ଦୀପକ୍ ତାଙ୍କୁ କହିଲେ ଯେ ବୋଧହୁଏ ସେଥିପାଇଁ ଦକ୍ଷିଣ ପାଶ୍ୱର୍ ଇଂଜିନରେ ଆଲାରାମ ବାଜୁଛି । ତମେ ଯାଇ କ୍ୟାପ୍‌ଟେନ୍ ଉଷାଙ୍କୁ ମୋର ଧନ୍ୟବାଦ ଜଣାଇବା ସହିତ ଇଂଜିନ ଉପରେ ନଜର ରଖିବାକୁ ତାଙ୍କୁ ଅନୁରୋଧ କର ବୋଲି ସେ ପରିଚାରିକାଙ୍କୁ କହିଥିଲେ ।

ପରିଚାରିକା ଆସି କ୍ୟାକ୍‌ଟେନ୍ ଉଷାଙ୍କୁ କ୍ୟାପ୍‌ଟେନ୍ ଦୀପକଙ୍କ ଅନୁରୋଧ ଜଣାଇବା ସହିତ ଇଂଜିନ ଉପରେ ନଜର ରଖିବାକୁ କହିଥିଲେ । ସେତିକି ବେଳେ ବିମାନଟି ତୀବ୍ର ବେଗରେ ଟେକ୍‌ଅପ୍ କରୁଥିଲା । ତାପରେ କ୍ୟାପ୍‌ଟେନ୍ ଦୀପକ ଇଂଜିନକୁ ସ୍ଳୋ କରିବା ସହିତ ବେଗ କମାଇ ଧୀରେ ଧୀରେ ଭୁବନେଶ୍ୱର ଆଡ଼କୁ ମୁହାଁଇଥିଲେ । ସେତିକିବେଳକୁ ଯାତ୍ରୀମାନେ କ’ଣ ହେଉଛି କିଛି ବୁଝିପାରୁ ନଥିଲେ । ବିମାନ ପରିଚାରିକା କାହିଁକି ସିଟ୍ ନମ୍ବର ୧-ଏସ୍‌ରୁ କକ୍‌ପିଟ୍‌କୁ ବାରମ୍ବାର ଯିବା ଆସିବା କରୁଛନ୍ତି ତାହା ଜାଣିବାକୁ ଯାତ୍ରୀମାନେ ଉଦ୍‌ବିଘ୍ନ ହୋଇ ପଡ଼ିଥିଲେ । କେହି କେହି କିଛି ଘଟିଛି ବୋଲି ଅନୁମାନ କରି ଭୟଭୀତ ହୋଇ ପଡ଼ିଥିଲେ । ସେତିକି ବେଳକୁ କ୍ୟାପ୍‌ଟେନ୍ ଦୀପକ ବିମାନଟିକୁ ପୁରା ଭୁବନେଶ୍ୱର ଆଡ଼କୁ ବୁଲାଇ ସାରିଥିଲେ । ବିମାନରେ ୨ ଘଣ୍ଟାର ଉଡ଼ାଣ ପାଇଁ ତେଲ ଭର୍ତ୍ତି ହୋଇ ରହିଥିଲା ।

ତେଣୁ ବିମାନର ଓଜନ କମାଇବା ପାଇଁ କ୍ୟାପ୍‌ଟେନ୍ ଦୀପକ ଭୁବନେଶ୍ୱର ବିମାନ ବନ୍ଦର ଉପରେ ପ୍ରାୟ ୨୦ ମିନିଟ୍ ଧରି ବିମାନଟିକୁ ବୁଲାଇ ଥିଲେ । ତାପରେ କ୍ୟାପ୍‌ଟେନ୍ ଦୀପକ୍ ନିରାପଦର ସହ ସେପ୍ଟି ବେ-୧୦ରେ ବିମାନଟିକୁ ଅବତରଣ କରାଇଥିଲେ । ପୂର୍ବରୁ ସେଠାରେ ଦମ୍‌କଳ ସହ ଫାୟାର ଷ୍ଟାଫ ପ୍ରସ୍ତୁତ ହୋଇ ରହିଥିଲେ । ସେତିକି ବେଳକୁ ବି ଯାତ୍ରୀମାନେ ପୁରା ଘଟଣା କିଛି ଜାଣିନଥିଲେ ମଧ୍ୟ କିଛି ଅସୁବିଧା କାରଣରୁ ବିମାନ ଫେରିଲା ବୋଲି ଧରି ନେଇଥିଲେ । କ୍ୟାପ୍‌ଟେନ୍ ଉଷାଙ୍କ ସଚେତନ ପଦକ୍ଷେପ ଓ କ୍ୟାପ୍‌ଟେନ୍ ଦୀପକଙ୍କ ନିରାପଦ ଅବତରଣ କାରଣରୁ ୧୭୦ରୁ ଊର୍ଦ୍ଧ୍ୱ ଯାତ୍ରୀ, ୨ ପାଇଲଟ୍ ଓ ୪ ପରିଚାରିକାଙ୍କ ଜୀବନ ରକ୍ଷା ହୋଇପାରିଥିଲା । ଘଟଣା ଜାଣିବା ପରେ ଯାତ୍ରୀମାନେ କ୍ୟାପ୍‌ଟେନ୍ ଉଷାଙ୍କୁ ତାଙ୍କର ଏହି କାର୍ଯ୍ୟପାଇଁ ପ୍ରଶଂସା କରିଥିଲେ । କ୍ୟାପ୍‌ଟେନ୍ ଦୀପକ୍ ମଧ୍ୟ କକ୍‌ପିଟ୍ ଭିତରକୁ କ୍ୟାପ୍‌ଟେନ୍ ଉଷାଙ୍କୁ ଡାକି ନେବା ସହିତ କୃତଜ୍ଞତା ଜଣାଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking