ଥିରୁଅନନ୍ତପୁରମ: ଜାଣି ପାରିଲେନି ପାଣି ଓ ଭିନେଗାର ମଧ୍ୟରେ ଫରକ । ଭିନେଗାରକୁ ପାଣି ଭାବି ମଦ ସହ ମିଶାଇ ପିଇଦେଲେ । ଫଳରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି । ଏପରି ଏକ ଅଭାବନୀୟ ଘଟଣା କେରଳର କୋଝିକୋଡେରେ ଘଟିଛି । ବ୍ୟକ୍ତିଜଣଙ୍କ ରଙ୍ଗଗତ କାରଣରୁ ଭିନେଗାରକୁ ପାଣି ଭାବି ମଦ ସହ ମିଶାଇ ପିଇବା ପରେ ଅସୁସ୍ଥ ହୋଇପଡିଥିଲେ । ହସ୍ପିଟାଲରେ ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି । ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ନାମ କରିମ ଓ ସେ କୋଝିକୋଡ ଜିଲ୍ଲାର କୁରୁଭଙ୍ଗାଦର ଭାରାକୁନୁମଲ କଲୋନୀର ବାସିନ୍ଦା ହୋଇଥିବା ପ୍ରାଥମିକ ଭାବେ ପୋଲିସ କହିଛି । ସୂଚନା ଅନୁଯାୟୀ, ୪୦ ବର୍ଷୀୟ କରିମ ନିକଟସ୍ଥ ଦୋକାନରୁ ମଦ କିଣିଥିଲେ ।
ସେ ପାଣି ମଧ୍ୟ କିଣିଥିଲେ । ହେଲେ ଦୋକାନୀ ନଥିବା ବେଳେ ତାଙ୍କ ସ୍ଥାନରେ ଥିବା ଜଣେ ବ୍ୟକ୍ତି ତାଙ୍କୁ ପାଣି ବଦଳରେ ଭିନେଗାର ଦେଇଥିଲେ । ତାହା ମଧ୍ୟ ପାଣି ପରି ବର୍ଣ୍ଣହୀନ ଥିବାରୁ ସେ ତାହା ବାରି ପାରିନଥିଲେ । କରିମ ମଦ ସହ ଭିନେଗାର ମିଶାଇ ପିଇବାର କିଛି ସମୟ ପରେ ଅସୁସ୍ଥତା ଅନୁଭବ କରିଥିଲେ । ବାନ୍ତି କରିବା ସହ ସେ ହଠାତ ଅଚେତ ହୋଇପଡିଥିଲେ । ସ୍ଥାନୀୟ ଲୋକଙ୍କ ସହାୟତାରେ ତାଙ୍କୁ ୧୦୮ ଆମ୍ବୁଲାନ୍ସରେ କୋଝିକୋଡେ ମେଡିକାଲ କଲେଜକୁ ଅଣାଯାଇଥିଲା । ସେତେବେଳେ ସେ ଗୁରୁତର ହୋଇପଡିଥିଲେ । ହସ୍ପିଟାଲ କର୍ତ୍ତୃପକ୍ଷ ତାଙ୍କୁ ତୁରନ୍ତ ଆଇସିୟୁରେ ଭର୍ତ୍ତି କରିଥିଲେ, କିନ୍ତୁ ଗତ ସୋମବାର ରାତିରେ କରିମଙ୍କର ମୃତ୍ୟୁ ହୋଇଥିଲା ।