21.1 C
Bhubaneswar
Monday, November 18, 2024
Homeଓଡିଶାଆଜି ଡ୍ରାଇଭର ସଂଘର ଷ୍ଟିଅରିଂ ଛାଡ ଆନ୍ଦୋଳନ; ଜଗିବେ ୧୫ ପ୍ଲାଟୁନ୍ ଫୋର୍ସ, ୫୦ ଅଫିସର

ଆଜି ଡ୍ରାଇଭର ସଂଘର ଷ୍ଟିଅରିଂ ଛାଡ ଆନ୍ଦୋଳନ; ଜଗିବେ ୧୫ ପ୍ଲାଟୁନ୍ ଫୋର୍ସ, ୫୦ ଅଫିସର

ଭୁବନେଶ୍ୱର: ୧୦ ଦଫା ଦାବିକୁ ନେଇ ଚାଳକ ଏକତା ମହାମଞ୍ଚ ପକ୍ଷରୁ ରାଜ୍ୟର ବିଭିନ୍ନ ସ୍ଥାନରେ ଡ୍ରାଇଭରମାନେ ବୁଧବାର ରାସ୍ତାକୁ ଉହ୍ଲାଇବେ । ହଳଦିଆ ନମ୍ବର ପ୍ଲେଟ ଥିବା ଗାଡ଼ିଗୁଡିକ ସେଦିନ ଆଉ ରାସ୍ତାରେ ଗଡ଼ିବନି । ମହାମଞ୍ଚର କୌଣସି ସଦସ୍ୟ ଗାଡ଼ି ଷ୍ଟିଅରିଂକୁ ହାତ ଲଗାଇବେ ନାହିଁ । କାରଣ ମହାମଞ୍ଚ ପକ୍ଷରୁ ଷ୍ଟିଅରିଂ ଛାଡ଼ ଆନ୍ଦୋଳନର ରଣନୀତି ପ୍ରସ୍ତୁତ କରାଯାଇଛି । ଯାହା ଫଳରେ ରାଜ୍ୟରେ ଅଖଚକ ସମ୍ପୂର୍ଣ୍ଣ ବନ୍ଦ କରି ଦିଆଯିବ । ଯାତାୟତ ବ୍ୟବସ୍ଥା ଏକ ପ୍ରକାର ଠପ୍ ହୋଇଯିବ । ସେହିପରି ରାଜ୍ୟର ବିଭିନ୍ନ ସ୍ଥାନରେ ଡ୍ରାଇଭରମାନେ ଧାରଣାରେ ବସିବେ । ସରକାର ସେମାନଙ୍କ ଦାବି ଯଥାଶୀଘ୍ର ପୂରଣ କରନ୍ତୁ ବୋଲି ଷ୍ଟିଅରିଂ ଛାଡ଼ ଆନ୍ଦୋଳନ ମାଧ୍ୟମରେ ଡ୍ରାଇଭରମାନେ ଚେତାଇ ଦେବେ ବୋଲି ମହାମଞ୍ଚ ପକ୍ଷରୁ ଗତ ୧୨ ତାରିଖରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ କୁହାଯାଇଥିଲା । ଏଥିରେ ଡ୍ରାଇଭରମାନେ ସେମାନଙ୍କ ୧୦ ଦଫା ଦାବି ଉପସ୍ଥାପନା କରିଥିଲେ । ଏହି ଦାବି ଗୁଡିକ ମଧ୍ୟରେ ରହିଛି ଡ୍ରାଇଭର ପାଣ୍ଠି ଗଠନ, ସାମାଜିକ ନିରାପତ୍ତା, ଡ୍ରାଇଭରମାନଙ୍କ ପାଇଁ ବୀମା, ପେନ୍‌ସନ, ସଡ଼କ ଯାତ୍ରା ବେଳେ ବିଭିନ୍ନ ସ୍ଥାନରେ ବିଶ୍ରମାଗାର, ଶୌଚାଳୟ ବ୍ୟବସ୍ଥା ।

ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଅନେକ ଗୁଡିଏ ଡ୍ରାଇଭର ସଂଘ ଏହି ଆନ୍ଦୋଳନରେ ସାମିଲ ହେବାକୁ ପ୍ରତିଶ୍ରୃତି ଦେଇଥିଲେ ମଧ୍ୟ ବୁଧବାର ଦିନ କିଛି ସଂଗଠନ ଏଥିରୁ ଧୀରେ ଧୀରେ ଉହରି ଯାଇଛନ୍ତି । ରାଜ୍ୟ ଘାରୋଇ ବସ୍ ମାଲିକ ସଂଘ ଏବଂ ରାଜ୍ୟ ଘରୋଇ ଟ୍ରକ ମାଲିକ ସଂଘ ଆନ୍ଦୋଳନରେ ସାମିଲ ହେଉ ନାହିଁ ବୋଲି ସ୍ପଷ୍ଟ କରିଛି । ସେହିପରି ଅନ୍‌ଲାଇନ୍ କାର ମାଲିକ ସଂଘ ମଧ୍ୟ ଉକ୍ତ ଆନ୍ଦୋଳନରେ ସାମିଲ ହେବ ନାହିଁ ବୋଲି କହିଛି । ଏହା ସହ ପ୍ରାୟ ୨୦ରୁ ଅଧିକ ଡ୍ରାଇଭର ସଂଘ ଏଥିରେ ସାମିଲ ହେବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି । ଏମାନେ ଗାଡି ଚଳାଚଳକୁ ସ୍ୱାଭାବିକ ରଖିବେ । କିଛି ସଂଘ ଗାଡି ଚଳାଇବା ବେଳେ ଏକତା ମହାମଞ୍ଚର ଡ୍ରାଇଭରମାନେ ଏମାନଙ୍କୁ ଅଟକାଇ ପାରନ୍ତି । ଯାହାକୁ ନେଇ ସେମାନଙ୍କ ବିରୋଧରେ ଉତ୍ତେଜନା ମୂଳକ ପରିସ୍ଥିତି ଉପୁଜି ପାରେ । ଆଇନ୍ ଶୃଙ୍ଖଳା ପରିସ୍ଥିତି ବିଗିଡ଼ିବାର ସମ୍ଭାବନା ରହିଛି ।

ଏସମ୍ପର୍କରେ ପୁଲିସ କମିଶନର ସୌମେନ୍ଦ୍ର ପ୍ରୀୟଦର୍ଶୀ କହିଛନ୍ତି ହିଂସାତ୍ମକ ଆନ୍ଦୋଳନକୁ ବରଦାସ୍ତ କରାଯିବ ନାହିଁ । ଉପଦ୍ରବ ଏବଂ ହିଂସାରେ ସାମିଲ ଥିବା ବ୍ୟକ୍ତି ବିଶେଷଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ବୁଧବାର କମିଶନରେଟ୍ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି, ଆସନ୍ତାକାଲି ଗାଡ଼ି ଚଳାଚଳ ସ୍ୱାଭାବିକ ରହିବ । କୌଣସି ବ୍ୟକ୍ତି ଅସୁବିଧାର ସମ୍ମୁଖିନ ହେଲେ ସେ ୧୧୨ରେ ଫୋନ୍ କରିବାକୁ ଅନୁରୋଧ କରାଯାଉଛି । ସେହିପରି କୌଣସି ଅପ୍ରୀତିକର ପରିସ୍ଥିତକୁ ଏଡାଇବା ସହ ସୁରକ୍ଷାକୁ ଦୃଷ୍ଟିରେ ରଖି ପୁଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଏଥିପାଇଁ କମିଶନରେଟ୍ ପୁଲିସ ପକ୍ଷରୁ ପ୍ରାୟ ୧୫ ପ୍ଲାଟୁନ୍ ଫୋର୍ସ ମୃତୟନ କରାଯିବ । ଏହାସହ ୫୦ରୁ ଅଧିକ ଅଫିସରଙ୍କୁ ମଧ୍ୟ ନିୟୋଜିତ କରାଯିବ । ସମସ୍ତ ଆଇଆଇସିଙ୍କୁ ଏନେଇ ସୂଚନା ଦିଆଯାଇଛି । କାହାରିକୁ ଯେପରି ଅସୁବିଧା ନ ହେବ ସେଥିପ୍ରତି ବିଶେଷ ଧ୍ୟାନ ଦେବାକୁ ପୁଲିସକୁ ନିର୍ଦ୍ଦେଶ ଦିଆଯାଇଛି । ଯେଉଁ ସଂଗଠନ ଗାଡି ଚଳାଇବାକୁ ଚାହିଁବେ ସେମାନଙ୍କୁ ସୁରକ୍ଷା ଯୋଗାଇ ଦିଆଯିବ ବୋଲି ପୁଲିସ କମିଶନର କହିଛନ୍ତି ।

ଅନ୍ୟପକ୍ଷରେ ଏନେଇ ପରିବହନ ମନ୍ତ୍ରୀ ଟୁକୁନୀ ସାହୁ କହିଛନ୍ତି, ଡ୍ରାଇଭରମାନଙ୍କ ଦାବି ଗୁଡିକ ଉପରେ ସରକାର ସାକାରାତ୍ମକ ବିଚାର କରାଯାଉଛି । ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା ହୋଇଛି । ତେଣୁ ସେମାନେ ଆନ୍ଦୋଳନରୁ ଓହରି ଆସନ୍ତୁ । ପରିବହନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗତ ୧୩ ତାରିଖରେ ଏକ ବୈଠକ ଡକାଯାଇଥିଲା । ଦଶମ ଏବଂ ଯୁକ୍ତ ୨ ପରୀକ୍ଷା ଚାଲୁଥିବାରୁ ଷ୍ଟିଅରିଂ ଛାଡ ଆନ୍ଦୋଳନ ପିଲାମାନଙ୍କ ପରୀକ୍ଷାକୁ ପ୍ରଭାବିତ କରିବ । ତେଣୁ ଆନ୍ଦୋଳନ ପ୍ରତ୍ୟାହାର କରିବାକୁ ଅନୁରୋଧ କରାଯାଇଥିଲା । ଏହାସତ୍ୱେ ମହାମଞ୍ଚ ଏହି ଆନ୍ଦୋଳନ ପ୍ରତ୍ୟାହାର କରି ନାହିଁ । ତେଣୁ ଆଜି ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ବୈଠକରେ ଦଶମ ଏବଂ ଯୁକ୍ତ ୨ ପରିକ୍ଷାରେ ଯେଭଳି ଅସୁବିଧା ନ ହେବ ସେଥିପାଇଁ ବିକଳ୍ପ ପନ୍ଥା ଆପଣାଇବାକୁ ବୈଠକରେ ଉପସ୍ଥିତ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking