ଭୁବନେଶ୍ୱର: ଆନ୍ତର୍ଜାତିକ ମହିଳା ଦିବସ ଉପଲକ୍ଷେ ଆଜି ମାର୍ଚ୍ଚ ୧୩ତାରିଖ ସୋମବାର ଭୁବନେଶ୍ୱରସ୍ଥିତ ଜୟଦେବ ଭବନ ପରିସରରେ ଶିବାଂଶୀ ଫାଉଣ୍ଡେସନ ପକ୍ଷରୁ ‘ଶ୍ରୀ ସମ୍ପୂର୍ଣ୍ଣା’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ବିଭିନ୍ନ କ୍ଷେତ୍ରରେ ରାଜ୍ୟର ସଫଳ ମହିଳାମାନଙ୍କୁ ଏଥିରେ ସମ୍ବର୍ଦ୍ଧିତ କରାଯିବା ସହ ‘ସୁସ୍ଥ ସମାଜରେ ମହିଳାଙ୍କ ଭୂମିକା’ ଶୀର୍ଷକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା ।
ଏହି କାର୍ଯ୍ୟକ୍ରମର ପ୍ରଥମ ପର୍ଯ୍ୟାୟ ଅଧିବେଶନରେ ଆଲୋଚନା ଚକ୍ର କାର୍ଯ୍ୟକ୍ରମକୁ ଓଡ଼ିଶା ସରକାରଙ୍କ ମାନ୍ୟବର ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ଶ୍ରୀମତୀ ରୀତା ସାହୁ ଉଦଘାଟନ କରିଥିଲେ । ଶ୍ରୀମତୀ ସାହୁ କହିଥିଲେ ଯେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟରେ ମହିଳାମାନଙ୍କୁ ସଶକ୍ତ ହୋଇଛନ୍ତି । ଏଠାରେ ଉପସ୍ଥିତ ଥିବା ସମସ୍ତ ମହିଳା ଏହାର ନିଚ୍ଛକ ଉଦାହରଣ । ସେହିପରି ଦ୍ୱିତୀୟ ପର୍ଯ୍ୟାୟ ଅଧିବେଶନରେ ଯୋଗ ଦେଇ କବିସୂର୍ଯ୍ୟନଗର ବିଧାୟିକା ମାନ୍ୟବର ଶ୍ରୀମତୀ ଲତିକା ପ୍ରଧାନ କହିଥିଲେ ଯେ, ପୁରୁଷ ଓ ମହିଳାମାନଙ୍କ ମଧ୍ୟରେ ବାଛବିଚାର ନକରି ସମାଜରେ ଉଭୟଙ୍କୁ ସମାନ ଭାବେ ସମ୍ମାନ ମିଳିବାର ଆବଶ୍ୟକତା ରହିଛି । ଓଡ଼ିଶା ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ଅଧ୍ୟକ୍ଷା ମାନ୍ୟବର ଶ୍ରୀମତୀ ଶ୍ରୀମୟୀ ମିଶ୍ର କହିଥିଲେ ଯେ, ମହିଳାଟିଏ ମା’,ଭଉଣୀ, ପତ୍ନୀ, ବାନ୍ଧବୀ ଆଦି ରୂପରେ ସମାଜ ଗଠନରେ ପ୍ରମୁଖ ଭୂମିକା ତୁଲାଇବା ସହ ପ୍ରେରଣାର ସ୍ରୋତ ପାଲଟିଥାଏ ।
ସେହିପରି ଓଡ଼ିଶୀ ସଙ୍ଗୀତ ନାଟକ ଏକାଡ଼େମୀ ସଭାପତି ପଦ୍ମଶ୍ରୀ ଅରୁଣା ମହାନ୍ତି କହିଥିଲେ , ସବୁଦିନେ ସକାଳୁ ଉଠି ନିଜକୁ ଦେଖି ମହିଳାମାନେ ଅନୁଭବ କରିବା ଦରକାର ଯେ ସେ ଜଣେ ସଶକ୍ତ ମହିଳା । ମାସିକ ପତ୍ରିକା ‘କାଦମ୍ବିନୀ’ର ମୁଖ୍ୟ ସମ୍ପାଦିକା ଡଃ ଇତିଶ୍ରୀ ସାମନ୍ତ କହିଥିଲେ ଯେ, ସବୁ ମହିଳାଙ୍କ ସଫଳତା ପଛରେ ସଂଘର୍ଷର କାହାଣୀ ରହିଛି । ସେ ସଂଘର୍ଷରୁ ବହୁତ କିଛି ଶିଖିବାକୁ ମିଳିଥାଏ । ସେହିପରି ଆଇସିସି ଜାତୀୟ ମହିଳା ଉଦ୍ୟୋଗୀ କମିଟି(ଆଇଏନଡବ୍ଲ୍ୟୁଇସି) ସଂଯୋଜିକା ଶ୍ରୀମତୀ ସ୍ୱୀକୃତି ପଟ୍ଟନାୟକ କହିଥିଲେ ଯେ, ମହିଳାମାନେ ସଫଳ ଉଦ୍ୟୋଗୀ ହେବା ପାଇଁ ସେମାନଙ୍କ ଭିତରେ ଧୈର୍ଯ୍ୟ, ସାହାସ ଓ ଅନ୍ତର୍ନିହିତ ଇଚ୍ଛାଶକ୍ତିର ଆବଶ୍ୟକତା ରହିଛି ।
ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଥିବା ରାଜ୍ୟର ୨୩ଜଣ ସଫଳ ମହିଳାଙ୍କୁ ‘ଶ୍ରୀ ସମ୍ପୂର୍ଣ୍ଣା’ ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଥିଲା । ସେମାନେ ହେଲେ- ଅଂଶୁ ତ୍ରିପାଠୀ, ରଶ୍ମୀ ମହାପାତ୍ର, ସଂଯୁକ୍ତା ପଣ୍ଡା, ଶେଲିନା ପଟ୍ଟନାୟକ , ଶିକ୍ତା ଦାସ, ସୁଚେତା ମହାନ୍ତି , ପ୍ରୀତି ପଲ୍ଲଭୀ ପଟ୍ଟନାୟକ, ଶ୍ୱେତା ଶର୍ମା, ଜୁବିନା ଅଲ୍ଲୀ, ସବିତା ସ୍ୱାଇଁ, ଅନୁରାଧା ମହାନ୍ତି, ଡଃ ସମ୍ପଦା ସେଠିଆ, ସଂଯୁକ୍ତା ଭୂତିଆ, ଶୈଳବାଳା ମିଶ୍ର, ଦେବଯାନୀ ଦାସ, ଶାନ୍ତା ଦାସ, ଡଃ ଜୟଶ୍ରୀ ଧଳ, ଗୁନଗୁନ୍ ମହାନ୍ତି, ଲିପସା ପଟ୍ଟନାୟକ, ଶୁଭାସିନୀ ସାହୁ, ସରସ୍ୱତୀ ପଟେଲ, ପ୍ରଫେସର ସରିତା ସୁପକାର । ଏହି ମହିଳାମାନେ ସ୍ୱକୀୟ ପ୍ରତିଭାରେ ସମାଜରେ ଉଦାହରଣ ସୃଷ୍ଟି କରିବା ସହ ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିଛନ୍ତି ।
ସେହିପରି ଲଳିତ ଶତପଥୀ, ସୁନୀଲ ମୁରାର୍କା, ତନ୍ମୟ ନାୟକ ଓ ଶାନ୍ତନୁ କୁମାର ପାତ୍ରଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା । ଏହାସହିତ ରମାଦେବୀ ବିଶ୍ୱବିଦ୍ୟାଳୟର ଛାତ୍ରୀଙ୍କ ସମେତ ଦିବ୍ୟଜ୍ୟୋତି କନ୍ୟାଶ୍ରମର ଝିଅମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଲଳିତ ଶତପଥୀ ଓ ଡଃ ଜୟଶ୍ରୀ ଧଳ ସଙ୍ଗୀତ ପରିବେଷଣ କରିଥିଲେ । ଫାଉଣ୍ଡେସନର ସଂଯୋଜିକା ଇପସିତା ସାହୁ କାର୍ଯ୍ୟକ୍ରମ ପରିଚାଳନା ସହ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ସୁପ୍ରୀତି ଶର୍ମା ଓ ସୌଭାଗିନୀ ସହଯୋଗ କରିଥିଲେ । ଉଲ୍ଲେଖଯୋଗ୍ୟ, ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ ମାଧ୍ୟମରେ ନିଜସ୍ୱ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ‘ଶିବାଂଶୀ ଫାଉଣ୍ଡେସନ’ ସମ୍ପୂର୍ଣ୍ଣ ଭାବେ ମହିଳାମାନଙ୍କ ଦ୍ୱାରା ପ୍ରତିଷ୍ଠିତ ତଥା ପରିଚାଳିତ ।