ମୁମ୍ବାଇ: ଦେଶର ଷଷ୍ଠ ବୃହତ୍ ଆଇଟି କମ୍ପାନୀ ଟେକ୍ ମହିନ୍ଦ୍ରା ପକ୍ଷରୁ ମୋହିତ ଜୋଷୀଙ୍କୁ ଏମ୍ଡି (ପରିଚାଳନା ନିର୍ଦ୍ଦେଶକ) ଓ ସିଇଓ ନିଯୁକ୍ତ କରାଯାଇଛି । ଚଳିତବର୍ଷ ଡିସେମ୍ବର ୧୯ରେ ସି.ପି.ଗୁର୍ନାନି ଏହି ପଦରୁ ଅବସର ନେବାପରେ ମୋହିତ ନୂଆ ଦାୟିତ୍ୱ ଗ୍ରହଣ କରିବେ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି । ତେବେ କମ୍ପାନୀର କାର୍ଯ୍ୟଶୈଳୀ ସହ ପରିଚିତ ହେବାକୁ ମୋହିତ ନିର୍ଦ୍ଧାରିତ ତାରିଖ ପୂର୍ବରୁ କମ୍ପାନୀରେ ଯୋଗଦେଇପାରିବେ ବୋଲି ମଧ୍ୟ କୁହାଯାଇଛି ।
ମୋହିତଙ୍କ ନିଯୁକ୍ତିକୁ ଟେକ୍ ମହିନ୍ଦ୍ରା ପରିଚାଳନା ବୋର୍ଡ ଅନୁମୋଦନ କରିଛି । ମୋହିତ ୨୦୨୩ ଡିସେମ୍ବର ୧୯ରୁ ୨୦୨୮ ଡିସେମ୍ବର ୧୯ (୫ ବର୍ଷ) ଏହି ପଦରେ କାର୍ଯ୍ୟ କରିବେ । ସୂଚନାଯୋଗ୍ୟ ମୋହିତ ଇତିପୂର୍ବରୁ ଇନ୍ଫୋସିସ୍ କମ୍ପାନୀର ପ୍ରେସିଡେଣ୍ଟ ଭାବେ କାର୍ଯ୍ୟରତ ଥିବାବେଳେ ନିକଟରେ ଏହି ପଦରୁ ଇସ୍ତଫା ଦେଇଛନ୍ତି । ଏହାସତ୍ତ୍ୱେ ମୋହିତ ଚଳିତବର୍ଷ ଜୁନ୍ ୯ ପର୍ଯ୍ୟନ୍ତ ପ୍ରେସିଡେଣ୍ଟ ପଦରେ ରହିବେ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି ।