26.1 C
Bhubaneswar
Sunday, November 24, 2024
Homeଦେଶ ବିଦେଶହାଥ୍ରାସ୍ ଗଣଦୁଷ୍କର୍ମ-ହତ୍ୟା ମାମଲା; ମୁଖ୍ୟ ଅଭିଯୁକ୍ତ ଦୋଷୀ, ୩ ନିର୍ଦ୍ଦୋଷରେ ଖଲାସ

ହାଥ୍ରାସ୍ ଗଣଦୁଷ୍କର୍ମ-ହତ୍ୟା ମାମଲା; ମୁଖ୍ୟ ଅଭିଯୁକ୍ତ ଦୋଷୀ, ୩ ନିର୍ଦ୍ଦୋଷରେ ଖଲାସ

ଲକ୍ଷ୍ନୌ : ଉତ୍ତରପ୍ରଦେଶର ହାଥ୍ରାସ୍ ଜିଲ୍ଲାରେ ୨୦୨୦ ସେପ୍ଟେମ୍ବର ୧୪ରେ ଘଟିଥିବା ଲୋମହର୍ଷଣକାରୀ ଗଣଦୁଷ୍କର୍ମ ଏବଂ ହତ୍ୟା ମାମଲାରେ ଏକ ଅଦାଲତ ଗୁରୁବାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ସନ୍ଦୀପ ଠାକୁରକୁ ଦୋଷୀସାବ୍ୟସ୍ତ କରିଥିବାବେଳେ ଅନ୍ୟ ତିନିଜଣଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି । ତେବେ ଦୁଷ୍କର୍ମ ନୁହେଁ, ସନ୍ଦୀପଙ୍କୁ କେବଳ ଉଦ୍ଦେଶ୍ୟବିହୀନ ହତ୍ୟା (କଲ୍‌ପେବୁଲ ହୋମିସାଇଡ୍‌) ଅଭିଯୋଗରେ ଦୋଷୀସାବ୍ୟସ୍ତ କରାଯାଇଥିବା ଜଣାପଡିଛି ।

ଅନ୍ୟ ତିନି ଅଭିଯୁକ୍ତ ରାମୁ, ରବି ଓ ଲବକୁଶଙ୍କୁ ପ୍ରମାଣ ଅଭାବରୁ ଖଲାସ କରାଯାଇଛି । ତେବେ ରାୟ ପ୍ରତିବାଦରେ ସେମାନେ ଉପରିସ୍ଥ ଅଦାଲତଙ୍କ ଦ୍ୱାରସ୍ଥ ହେବେ ବୋଲି ପୀଡିତାଙ୍କ ଓକିଲ ସୀମା କୁଶୱାହା କହିଛନ୍ତି । ସୂଚନାଯୋଗ୍ୟ ୨୦୨୦ ସେପ୍ଟେମ୍ବର ୧୪ରେ ହାଥ୍ରାସ୍ ଜିଲ୍ଲାର ଗୋଟିଏ ଗ୍ରାମରେ ଜଣେ ୧୯ ବର୍ଷୀୟା ଦଳିତ ଯୁବତୀ ବିଲକୁ ଯାଉଥିବାବେଳେ ଏହି ଚାରି ଅଭିଯୁକ୍ତ ତାକୁ ଓଢଣି ସାହାଯ୍ୟରେ ଘୋଷାଡି ନେଇ ଗଣଦୁଷ୍କର୍ମ କରିଥିଲେ । ଘୋଷାଡିବା ଦ୍ୱାରା ପୀଡିତାଙ୍କ ମେରୁଦଣ୍ଡ ପ୍ରଚଣ୍ଡଭାବେ ଆଘାତପ୍ରାପ୍ତ ହୋଇଥିଲା । ତାଙ୍କୁ ପ୍ରଥମେ ଅଲିଗଡର ଏକ ହସ୍ପିଟାଲକୁ ଏବଂ ପରେ ଦିଲ୍ଲୀର ସଫଦରଜଙ୍ଗ ହସ୍ପିଟାଲ ସ୍ଥାନାନ୍ତର କରାଯାଇଥିଲା ।

ଡାକ୍ତରଙ୍କ ସମସ୍ତ ଉଦ୍ୟମ ସତ୍ତ୍ୱେ ୨୦୨୦ ୨୯ ସେପ୍ଟେମ୍ବରରେ ଯୁବତୀଙ୍କର ମୃତ୍ୟୁ ଘଟିଥିଲା । ଉତ୍ତରପ୍ରଦେଶ ପୁଲିସ ପ୍ରଥମେ ପୀଡିତାଙ୍କ ପରିବାର ପକ୍ଷରୁ ଦାଏର ଏତଲା ଗ୍ରହଣ କରିନଥିଲା । ତେବେ ଗଣମାଧ୍ୟମରେ ଜୋରସୋର ଚର୍ଚ୍ଚା ହେବାପରେ ପୁଲିସ ଏତଲା ଗ୍ରହଣ କରିଥିଲା । ପରବର୍ତ୍ତୀ ସମୟରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନିର୍ଦ୍ଦେଶକ୍ରମେ ମାମଲାର ତଦନ୍ତ ଦାୟିତ୍ୱ ସିବିଆଇ ଉପରେ ନ୍ୟସ୍ତ କରାଯାଇଥିଲା । ସିିବିଆଇ ପକ୍ଷରୁ ୨୦୨୦ ଡିସେମ୍ବର ୧୯ରେ ଚାର୍ଜସିଟ୍ ଦାଖଲ କରାଯାଇଥିଲା । ଏଥିରେ ସନ୍ଦୀପକୁ ମୁଖ୍ୟ ଅଭିଯୁକ୍ତ ଦର୍ଶାଯାଇଥିଲା । ପୀଡିତାଙ୍କ ପରିବାରକୁ ୨୫ ଲକ୍ଷ ଟଙ୍କା, ଜଣେ ସଦସ୍ୟଙ୍କୁ ସରକାରୀ ଚାକିରୀ, ହାଥ୍ରାସ୍ ଜିଲ୍ଲାରେ ଏକ ସରକାରୀ ବାସଗୃହ ପ୍ରଦାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ସେତେବେଳେ ଘୋଷଣା କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking