କରାଚି: ପାକିସ୍ତାନୀ ନାବାଳିକା ଜଣେ ଭାରତୀୟ ଯୁବକଙ୍କୁ ଭେଟିବା ଓ ବିବାହ କରିବା ପାଇଁ ନିଜେ କିପରି ବିନା ଭିସାରେ ପାକିସ୍ତାନରୁ ଭାୟା ଦୁବାଇ ଓ ନେପାଳ ଦେଇ ଆସି ବେଙ୍ଗାଲୁରୁରେ ପହଞ୍ଚିଥିଲେ ତାହାର ରୋଚକ କାହାଣୀ ଏବେ ପଦାକୁ ଆସିଛି । ଇତିମଧ୍ୟରେ ସଂପୃକ୍ତା ପାକିସ୍ତାନୀ ନାବାଳିକା ଇକ୍ରା ଜୀବାନୀଙ୍କୁ ବେଙ୍ଗାଲୁରୁରୁ ଉଦ୍ଧାର କରାଯିବା ପରେ ତାଙ୍କୁ ରବିବାର ୱାଘା ସୀମାରେ ପାକିସ୍ତାନୀ କର୍ତ୍ତୃପକ୍ଷଙ୍କୁ ହସ୍ତାନ୍ତର କରାଯାଇଛି । ଆଉ ତାଙ୍କ ଭାରତୀୟ ପ୍ରେମିକ ମୁଲାୟମ ସିଂହ ଯାଦବ (୨୬) ବର୍ତ୍ତମାନ ଜେଲରେ ଅଛନ୍ତି ।
ଯାହାଙ୍କ ଘରୁ ଇକ୍ରାଙ୍କୁ ଉଦ୍ଧାର କରାଯାଇଥିଲା । ଏହି ରୋଚକ କାହାଣୀ ଗତ ସେପ୍ଟେମ୍ବର ମାସରେ ଆରମ୍ଭ ହୋଇଥିଲା । ଯେତେବେଳେ ଇକ୍ରା ଘରୁ କଲେଜ ଯାଇ ନିଖୋଜ ହୋଇ ଯାଇଥିଲେ । ୧୬ ବର୍ଷୀୟା ପାକିସ୍ତାନୀ ନାବାଳିକା ଇକ୍ରା ଅନ୍ ଲାଇନ୍ ଲୁଡୋ ଗେମ୍ ଖେଳୁଥିବା ବେଳେ ବେଙ୍ଗାଲୁରୁର ମୁଲାୟମ ସିଂହ ଯାଦବଙ୍କୁ ଭେଟିଥିଲେ । ପରେ ଉଭୟଙ୍କ ମଧ୍ୟରେ ପ୍ରେମ ହୋଇଯାଇଥିଲା ଏବଂ ସେମାନେ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ । ଇକ୍ରା ଭାରତ ତାଙ୍କ ପ୍ରେମିକଙ୍କ ପାଖକୁ ଆସିବାକୁ ଚାହୁଁଥିଲେ । ଏଥିପାଇଁ ସେ ଦୁବାଇ ଏବଂ ତା’ପରେ କାଠମାଣ୍ଡୁକୁ ବିମାନ ଟିକେଟ୍ କିଣିବା ପାଇଁ ତାଙ୍କ ଅଳଙ୍କାର ବିକ୍ରି କରି ସାଙ୍ଗମାନଙ୍କଠାରୁ ଟଙ୍କା ଧାର କରିଥିଲେ । ପରେ ନେପାଳ ବାଟ ଦେଇ ଭାରତରେ ପ୍ରବେଶ କରିଥିଲେ । କିନ୍ତୁ, ଇକ୍ରାଙ୍କ ପରିବାର ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ସେ ବେଙ୍ଗାଲୁରୁର ଜଣେ ମୁସଲମାନ ସଫ୍ଟୱେର ଇଞ୍ଜିନିୟର ସମୀର ଅନସାରୀଙ୍କୁ ଭଲ ପାଉଥିବାରୁ ଏହି ଲମ୍ବା ଏବଂ ବିପଜ୍ଜନକ ଯାତ୍ରା କରିଥିଲେ ।