ଅକ୍ଲାଣ୍ଡ: ନ୍ୟୁଜିଲାଣ୍ଡ୍ରେ ଅନୁଷ୍ଠିତ ଏକ ପ୍ଲେ-ଅଫ୍ ଟୁର୍ଣ୍ଣାମେଣ୍ଟ୍ରେ ବୁଧବାର ଚିଲିକୁ ୨-୧ରେ ହରାଇ ହାଇତି ପ୍ରଥମ ଥର ପାଇଁ ଫିଫା ମହିଳା ବିଶ୍ୱକପ୍ ପାଇଁ ଯୋଗ୍ୟତା ଅର୍ଜନ କରିଛି । ନ୍ୟୁଜିଲାଣ୍ଡ ଓ ଅଷ୍ଟ୍ରେଲିଆରେ ମିଳିତ ଭାବେ ଆୟୋଜିତ ହେବାକୁ ଥିବା ବିଶ୍ୱକପ୍ର ଗ୍ରୁପ୍-ଡି’ରେ ଇଂଲଣ୍ଡ, ଡେନ୍ମାର୍କ ଓ ଚୀନ୍ ସହିତ ସାମିଲ ହୋଇଛି । ବିଶ୍ୱ ର୍ୟାଙ୍କିଙ୍ଗ୍ର ୫୫ତମ ସ୍ଥାନରେ ଥିବା ହାଇତି ଜୁଲାଇ ୨୨ରେ ତା’ ପ୍ରଥମ ମ୍ୟାଚ୍ରେ ୟୁରୋପୀୟ ଚାମ୍ପିଅନ୍ ଇଂଲଣ୍ଡକୁ ବ୍ରିସ୍ବେନ୍ରେ ଭେଟିବ ।
ବୁଧବାର ଅକ୍ଲାଣ୍ଡ୍ରେ ଖେଳାଯାଇଥିବା ପ୍ଲେ-ଅଫ୍ ମ୍ୟାଚ୍ରେ ଫ୍ରେଞ୍ଚ୍ କ୍ଲବ୍ ଷ୍ଟାଡେ ଡେ ରେମିସ୍ ପକ୍ଷରୁ ଖେଳୁଥିବା ଟିନ୍ଏଜ୍ ମିଡ୍ଫିଲ୍ଡର୍ ମେଲ୍ଚି ଡୁମୋର୍ନେ ହାଫ୍ ଟାଇମ୍ ପୂର୍ବରୁ ହାଇତିକୁ ଅଗ୍ରଣୀ ପ୍ରଦାନ କରିଥିଲେ । ମ୍ୟାଚ୍ର ଅତିରିକ୍ତ ସମୟରେ ୧୯ ବର୍ଷୀୟା ଡୁମୋର୍ନେ ଚିଲି ଗୋଲ୍କିପର୍ଙ୍କୁ ମାତ୍ ଦେଇ ବ୍ୟକ୍ତିଗତ ଦ୍ୱିତୀୟ ଗୋଲ୍ କରିବା ସହିତ ହାଇତିର ଅଗ୍ରଣୀକୁ ଡବଲ୍ କରିଥିଲେ । ଡେଥ୍ ଟାଇମ୍ରେ ବଦଳ ଖେଳାଳି ମାରିଆ ଜୋସ୍ ରୋଜାସ୍ ଚିଲି ପକ୍ଷରୁ ସାନ୍ତ୍ୱନାମୂଳକ ଗୋଲ୍ଟି ସ୍କୋର୍ କରିଥିଲେ । ବିଶ୍ୱକପ୍ ଯୋଗ୍ୟତା ନିର୍ଣ୍ଣୟ ପାଇଁ ହେବାକୁ ଥିବା ତିନିଟି ପ୍ଲେ-ଅଫ୍ ଟୁର୍ଣ୍ଣାମେଣ୍ଟ୍ର ଏହା ପ୍ରଥମ ମ୍ୟାଚ୍ ଥିଲା ।