ଦେବଗଡ଼: ଦିନେ ଦେଶର ସୀମାକୁ ଜଗି ସୁରକ୍ଷା ଦେଉଥିଲେ ଦେଶବାସୀଙ୍କୁ l ଚାକିରୀ କାଳରେ ଦେଶ ମଧ୍ୟକୁ ଶତ୍ରୁଙ୍କ ଅନୁପ୍ରବେଶ ରୋକିବାକୁ ନିଜ ସମୟ ଅତିବାହିତ କରିଦେଇଥିଲେ l ମାତ୍ର ଚାକିରୀରୁ ଅବସର ପରେ ନିଜ ଘରକୁ ଫେରିବା ପରେ ନିଜ ପୈତୃକ ସମ୍ପତିକୁ ନିଜ ସମ୍ପର୍କୀୟଙ୍କ ଅନୁପ୍ରବେଶ ଓ ଲୁଟକୁ ରୋକି ପାରିନଥିଲେ l ଫଳରେ ନ୍ୟାୟ ପାଇଁ ଥାନାର ଦ୍ୱାରସ୍ତ ହୋଇ ବିଫଳ ହେବା ପରେ ଅଦାଲତର ଆଶ୍ରୟ ନେଇ ନ୍ୟାୟ ପାଇବାର ତାରିଖକୁ ଅନାଇ ବସିଛନ୍ତି ଅବସର ପ୍ରାପ୍ତ ବିଏସଏଫ ଯବାନ ପରୀକ୍ଷିତ ସାହୁ l
ଅଭିଯୋଗ ଅନୁଯାଇ ବାରକୋଟ ଥାନା ଅନ୍ତର୍ଗତ ରଘୁନାଥପୁର ଗ୍ରାମର ରଘୁନାଥ ସାହୁଙ୍କ ପୁଅ ପରୀକ୍ଷିତ ସୀମା ସୁରକ୍ଷା ବାହିନୀରେ ଯବାନ ଭାବେ କାର୍ଯ୍ୟ କରି ଗତ 2008 ମସିହାରେ ଅବସର ଗ୍ରହଣ କରିଥିଲେ l ଚାକିରୀରୁ ଅବସର ପରେ ନିଜ ଗାଁକୁ ଫେରି ପରିବାର ସହ ରହୁଥିବା ବେଳେ ପ୍ରାୟ 12 ବର୍ଷ ପୂର୍ବେ ଉଭୟ ବାପା ମାଙ୍କ ଦେହାନ୍ତ ପରେ ନିଜ ପୈତୃକ ସମ୍ପତି ପାଇଁ ଗାଁ ନିକଟରେ ଶିକ୍ଷକତା କରୁଥିବା ବଡ ଭାଇ ହରେକୃଷ୍ଣ ସାହୁଙ୍କ ସହ ଆଲୋଚନା ପରେ ସମ୍ପତି ଭାଗ ପାଇଁ ପ୍ରକ୍ରିୟା ଆରମ୍ଭ କରିଥିଲେ l ତେବେ ଆଲୋଚନା ଅନୁଯାଇ ବଡ ଭାଇ ଖିଲାପ କରିବାରୁ ଗାଁ ରେ ଜାତି ସମାଜଙ୍କ ମାଧ୍ୟମରେ ସମାଧାନ ପାଇଁ ପରୀକ୍ଷିତ ପ୍ରୟାସ କରିଥିଲେ ମଧ୍ୟ ବଡଭାଇ ସହଯୋଗ କରିନଥିଲେ l ଫଳରେ ମାମଲା ଥାନାରେ ପହଞ୍ଚିଥିଲା l ମାତ୍ର ଥାନାରେ ବଡଭାଇ ହରେକୃଷ୍ଣ କୌଣସି ପ୍ରକାରେ ନିଜ ପକ୍ଷକୁ ସଠିକ ଥିବା ଦର୍ଶାଇ ଖସି ଥିବା ବେଳେ ହରେକୃଷ୍ଣଙ୍କ ସ୍ତ୍ରୀ କୈକେଇ ସାହୁ ଦିଅର ପରୀକ୍ଷିତଙ୍କ ବିରୁଦ୍ଧରେ ପାଲଟା ଅଭିଯୋଗ କରିବାରୁ ଅଭିଯୋଗ ଆଧାରରେ ପୁଲିସ ଏକ ମାମଲା ରୁଜୁ କରିଥିଲା l ଏପରିକି ଉକ୍ତ ମାମଲାରେ ପରୀକ୍ଷିତଙ୍କୁ ଅଦାଲତରୁ ଜାମିନରେ ଯିବାକୁ ପଡିଥିଲା l
ଏହି ଘଟଣାକୁ ନେଇ ପରୀକ୍ଷିତ ଅଦାଲତରେ କମ୍ପ୍ଲେନ କେଶ ଦାୟର କରିବାକୁ ଆସିଥିବା ବେଳେ ଉକ୍ତ ଦିନ ପରୀକ୍ଷିତଙ୍କ ସ୍ତ୍ରୀ ଓ ପିଲା ଛୁଆଙ୍କୁ ବଡଭାଇ ଓ ଭାଉଜ ମିଶି ମାରଣନ୍ତକ ଆକ୍ରମଣ କରିଥିଲେ l ସନ୍ଧ୍ୟାରେ ପରୀକ୍ଷିତ ଏହି ଘଟଣାକୁ ନେଇ ଥାନାରେ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ ଅଭିଯୁକ୍ତଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିଲା l ଜଣେ ଅବସର ସେନା କର୍ମଚାରୀଙ୍କୁ ପୁଲିସ ନ୍ୟାୟ ପ୍ରଦାନରେ ବିଫଳ ହେବା କାରଣରୁ ଶେଷରେ ଏହି ମାମଲାକୁ ପରୀକ୍ଷିତ ଉଚ୍ଚ ନ୍ୟାୟଳୟକୁ ନେଇ ନ୍ୟାୟ ଭିକ୍ଷା କରିଥିଲେ l ଫଳରେ ମାନ୍ୟବର ଉଚ୍ଚ ନ୍ୟାୟଳୟ 4 ସପ୍ତାହ ମଧ୍ୟରେ ଘଟଣାର ତଦନ୍ତ ରିପୋର୍ଟ ଅଦାଲତରେ ଦାଖଲ କରିବାକୁ ନିର୍ଦେଶ ଦେଇଥିଲେ ମଧ୍ୟ ଅଭିଯୋଗକାରି ପରୀକ୍ଷିତଙ୍କ ଅଭିଯୋଗ ପତ୍ର ହଜି ଯାଇଥିବା କାରଣରୁ ତାଙ୍କୁ ପୁଣି ଥରେ ନ୍ୟାୟ ପାଇଁ ଲମ୍ବା ତାରିଖକୁ ଅପେକ୍ଷା କରିବାକୁ ପଡ଼ିଥିବା ପରୀକ୍ଷିତ ଅଭିଯୋଗ କରିଛନ୍ତି l ଅନ୍ୟ ପକ୍ଷରେ ଅବସର ପ୍ରାପ୍ତ ସେନା କର୍ମଚାରୀଙ୍କୁ ତୁରନ୍ତ ନ୍ୟାୟ ପ୍ରଦାନ ପାଇଁ ବହୁ ଗ୍ରାମବାସୀ ମଧ୍ୟ ଅନୁରୋଧ କରିଛନ୍ତି l