କରାଚି : ପାକିସ୍ତାନର କରାଚି ସହରରେ ଶୁକ୍ରବାର ଆତଙ୍କବାଦୀ ଆକ୍ରମଣରେ ୨ ଜଣ ପୁଲିସ କର୍ମୀଙ୍କ ସହ ମୋଟ ୪ ଜଣଙ୍କର ମୃତ୍ୟୁ ଘଟିଥିଲା । ତେବେ ଯବାନଙ୍କ ପାଲଟା କାର୍ଯ୍ୟାନୁଷ୍ଠାନରେ ସମସ୍ତ ୫ ଆତଙ୍କବାଦୀ ପ୍ରାଣ ହରାଇଥିବା ଜଣାପଡିଛି । ଶୁକ୍ରବାର ସନ୍ଧ୍ୟାରେ ତେହେରିକ୍-ଇ-ତାଲିବାନ ସଂଗଠନର ୫ ଜଣ ସଶସ୍ତ୍ର ଆତଙ୍କବାଦୀ କରାଚି ସହରରେ ଥିବା ଏକ ପାଞ୍ଚମହଲା ବିଶିଷ୍ଟ ପୁଲିସ କାର୍ଯ୍ୟାଳ ଉପରେ ଆକ୍ରମଣ କରିଥିଲେ । ଏଥିରେ ୨ ପୁଲିସ କର୍ମୀଙ୍କ ସମେତ ୪ ଜଣଙ୍କର ମୃତ୍ୟୁ ଘଟିଥିଲା ।
ତେବେ ଯବାନମାନେ ଉକ୍ତ ଅଟ୍ଟାଳିକାକୁ ଘେରାଉ କରିବା ଫଳରେ ଆତଙ୍କବାଦୀଙ୍କ ସହ ସେମାନଙ୍କର ଏନ୍କାଉଣ୍ଟର ଆରମ୍ଭ ହୋଇଥିଲା । ଏଥିରେ ୩ ଜଣ ଆତଙ୍କବାଦୀ ପ୍ରାଣ ହରାଇଥିବାବେଳେ ଅନ୍ୟ ୨ ଆତଙ୍କୀ ନିଜ ଦେହରେ ଖଞ୍ଜିଥିବା ବୋମାକୁ ବିସ୍ଫୋରଣ କରିବାରୁ ସେମାନଙ୍କର ମୃତ୍ୟୁ ଘଟିଛି । ଆତଙ୍କୀ ଆକ୍ରମଣ ଏବଂ ପରବର୍ତ୍ତୀ ଏନ୍କାଉଣ୍ଟରରେ ମୋଟ ୧୭ ଜଣ ଆହତ ହୋଇଥିବାବେଳେ ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଆତଙ୍କବାଦୀଙ୍କ କବଳରୁ ପୁଲିିସ କାର୍ଯ୍ୟାଳୟ ସମ୍ପୂର୍ଣ୍ଣ ମୁକ୍ତ ହୋଇଥିବା କୁହାଯାଇଛି ।